କରୋନା ସଂକ୍ରମଣକୁ ଦେଖି ଦିଲ୍ଲୀରେ ବଢ଼ିଲା କଟକଣା, ବନ୍ଦ ହେଲା ସମସ୍ତ ପ୍ରାଇଭେଟ ଅଫିସ୍

1 min read

ନୂଆଦିଲ୍ଲୀ: ଦେଶରେ ଉପରମୁହାଁ କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ଭାରତରେ ୧ ଲକ୍ଷ ୬୮ ହଜାରରୁ ଅଧିକ କରୋନା ଆକ୍ରାନ୍ତ ସଂଖ୍ୟା ଚିହ୍ନଟ ହୋଇଛି ।  ଦିଲ୍ଲୀ କଥା ଯଦି କହିବା ତାହାଲେ ଦିଲ୍ଲୀରେ ସୋମବାର ୧୯ ହଜାରରୁ ଅଧିକ କେସ୍ ଚିହ୍ନଟ ହୋଇଥିଲା । ସେହିପରି ସୋମବାର କରୋନାରେ ୧୭ ଜଣଙ୍କର ମୃତ୍ୟୁ ହୋଇଥିଲା । ଦିଲ୍ଲୀରେ ସଂକ୍ରମଣ ବୃଦ୍ଧିକୁ ଦେଖି କଡ଼ା କଟକଣା ଲାଗୁ କରାଯାଇଛି । ଲାଗୁ କରାଯାଇଥିବା ନୂଆ ନିୟମ ଅନୁସାରେ ଦିଲ୍ଲୀରେ ଥିବା ସମସ୍ତ ପ୍ରାଇଭେଟ ଅଫିସ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରାଇଭେଟ ଅଫିସର ସମସ୍ତ କର୍ମଚାରୀ ଓ୍ୱାର୍କ ଫ୍ରମ ହୋମ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟି ଏହି ଆଦେଶ ଦେଇଛି ।

ଏହା ବ୍ୟତୀତ DDMA ଆହୁରି କଡ଼ା କଟକଣା ମଧ୍ୟ ଲାଗୁ କରିଛି । DDMAର ନୂଆ ଆଦେଶ ଅନୁସାରେ ଦିଲ୍ଲୀରେ ସବୁ ରେଷ୍ଟୁରାଣ୍ଟ ଓ ବାର୍ ସମ୍ପୂର୍ଣ୍ଣ ଭାବରେ ବନ୍ଦ ରହିବ । କିନ୍ତୁ ରେଷ୍ଟୁରାଣ୍ଟରୁ ଖାଦ୍ୟ ସାମଗ୍ରୀ ହୋମ୍ ଡେଲିଭରୀ ହୋଇପାରିବ । ସେହିପରି ଦିଲ୍ଲୀରେ ବର୍ତ୍ତମାନ କେବଳ ଜରୁରୀକାଳୀନ ସେବାକୁ ଅନୁମତି ଦିଆଯାଇଛି । ଏହା ପୂର୍ବରୁ ଦିଲ୍ଲୀରେ କରୋନା ସଂକ୍ରମଣକୁ ରୋକିବା ପାଇଁ କଡ଼ା କଟକଣା ଲାଗୁ କରାଯାଇଥିଲା । ଦିଲ୍ଲୀରେ ନାଇଟ କର୍ଫ୍ୟୁ, ସପ୍ତାହାନ୍ତ ସଟଡାଉନ କର୍ଫ୍ୟୁ ମଧ୍ୟ ଲାଗୁ କରାଯାଇଥିଲା । କିନ୍ତୁ ଏହି କଟକଣା ଲାଗୁ ସତ୍ତ୍ୱେ ଦିଲ୍ଲୀରେ କରୋନା ସଂକ୍ରମଣ ହ୍ରାସ ହୋଇନଥିଲା । ଯାହା ଫଳରେ DDMA ଏପରି କଡ଼ା କଟକଣା ଲାଗୁ କରିଛି ।

Leave a Reply