ଆଜି ଆପ୍‌ ସାଂସଦ ସଞ୍ଜୟ ସିଂଙ୍କ ଜାମିନ ଆବେଦନର ଶୁଣାଣି

1 min read

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟି ସାଂସଦ ସଞ୍ଜୟ ସିଂଙ୍କ ଆଜି ଜାମିନ ଆବେଦନର ଶୁଣାଣି । ଦିଲ୍ଲୀ ମଦନୀତି ମାମଲାରେ ଗିରଫ ହୋଇଥିବା ସଞ୍ଜୟଙ୍କ ଜାମିନର ଶୁଣାଣି ଗତ ଶନିବାର ହେବାର ଥିଲା । ମାତ୍ର ତାହାକୁ ମଙ୍ଗଳବାରକୁ ଘୁଞ୍ଚାଇ ଦିଆଯାଇଥିଲା । ଦିଲ୍ଲୀର ରାଉସ ଆଭେନ୍ୟୁ କୋର୍ଟରେ ମାମଲାର ହେବ ଶୁଣାଣି । ମଦ ନୀତି ମାମଲାରେ ଗତ ଅକ୍ଟୋବର ୪ ତାରିଖରେ ସଞ୍ଜୟଙ୍କୁ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ପରେ ସଞ୍ଜୟ ସିଂଙ୍କୁ ଗିରଫ କରିଥିଲା ଇଡି । ଇଡିର ଚାର୍ଜସିଟରେ କୁହାଯାଇଥିଲା- ଦିଲ୍ଲୀଭିତ୍ତିକ ବ୍ୟବସାୟୀ ତଥା ମଦ ଦୁର୍ନୀତି ଅଭିଯୁକ୍ତ ଦିନେଶ ଆରୋରା ଦିଲ୍ଲୀ ମୁଖ୍ଯମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ । ସେଠାରେ ସଞ୍ଜୟ ସିଂ ଉପସ୍ଥିତ ଥିଲେ । ଜେରା ବେଳେ ଦିନେଶ ଅତୀତରେ ସଞ୍ଜୟଙ୍କୁ ଏକ ଇଭେଣ୍ଟରେ ଭେଟିଥିଲେ ଏବଂ ପରେ ସେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସମ୍ପର୍କରେ ଆସିଥିଲେ ।

ଦିଲ୍ଲୀ ନିର୍ବାଚନ ପୂର୍ବରୁ ପାଣ୍ଠି ଯୋଗାଡ ଉଦ୍ଦେଶ୍ୟରେ ଏହି ଇଭେଣ୍ଟ ଆୟୋଜିତ ହୋଇଥିଲା । ଏହା ସହ ଦିଲ୍ଲୀ ମଦ ବିଭାଗରେ ଦିନେଶଙ୍କ ବ୍ୟବସାୟ ସମ୍ପର୍କିତ ପଡିରହିଥିବା ଏକ ସମସ୍ୟାକୁ ବି ସମାଧାନ କରିବାରେ ସଞ୍ଜୟ ସହାୟତା କରିଥିଲେ । ଏହି ମାମଲାରେ ପୂର୍ବରୁ ଦିନେଶଙ୍କୁ ଗିରଫ କରିଥିଲା ଇଡି । ଦିଲ୍ଲୀ ମଦ ଦୁର୍ନୀତି ମାମଲାର ସିବିଆଇ ତଦନ୍ତ ଲାଗି ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭିକେ ସକ୍ସେନା ନିର୍ଦ୍ଦେଶ ଦେଇଥିଲେ । ପୂର୍ବରୁ ଦିଲ୍ଲୀ ମଦନୀତି ମାମଲାରେ ଗତ ଫେବ୍ରୁଆରୀ 26ରେ ମନୀଷ ସିସୋଦିଆ ହୋଇଥିଲେ ଗିରଫ ।