କ୍ବାଟର୍ସ ଛାଡ଼ିବାକୁ ରାଘବଙ୍କୁ ଦିଲ୍ଲୀ କୋର୍ଟଙ୍କ ନିର୍ଦ୍ଦେଶ

1 min read

ନୂଆଦିଲ୍ଲୀ: କ୍ବାଟର୍ସ ଛାଡିବାକୁ ସାଂସଦ ରାଘବ ଚଢାଙ୍କୁ ଦିଲ୍ଲୀ କୋର୍ଟଙ୍କ ନିର୍ଦ୍ଦେଶ । ଟାଇପ-୭ ବଙ୍ଗଳାକୁ ନେଇ ରାଜ୍ଯସଭା ସଚିବାଳୟ ଓ ରାଘବଙ୍କୁ ନେଇ ଚାଲିଥିବା ବିବାଦର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ସେପଟେ ତାଙ୍କ ବିରୋଧରେ ଜାଣିଶୁଣି ସରକାର ଏପରି ପରିସ୍ଥିତି ସୃଷ୍ଟି କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି ରାଘବ । ରାଘବଙ୍କୁ ଦିଲ୍ଲୀର ପାଣ୍ଡରା ରୋଡରେ ଯେଉଁ ଟାଇପ-୭ ବଙ୍ଗଳା ଦିଆଯାଇଥିଲା ତାହାକୁ ଗତ ମାର୍ଚ୍ଚରେ ରଦ୍ଦ କରିଥିଲା ରାଜ୍ୟସଭା ସଚିବାଳୟ । ପ୍ରଥମ ଥରର ସାଂସଦମାନଙ୍କୁ ଯେଉଁ ଘର ଦିଆଯାଇଥାଏ ତାହାଠାରୁ ଅଧିକ ମାନର ଟାଇପ-୭ ଘର ଦିଆଯାଇଥିଲା ବୋଲି ସଚିବାଳୟ ପକ୍ଷରୁ କୁହାଯାଇଥିଲା ।

ଏହା ସହ ତାଙ୍କୁ ଆଉ ଏକ କ୍ବାର୍ଟର୍ସ ଦିଆଗଲା ବୋଲି ସଚିବାଳୟ କହିଥିଲା । ଏହି ନିଷ୍ପତ୍ତି ବିରୋଧରେ ରାଘବ ପାଟିଆଲା ହାଉସ କୋର୍ଟଙ୍କ ଦ୍ବାରସ୍ଥ ହୋଇ ଏହା ଉପରେ ଗତ ଏପ୍ରିଲରେ ସ୍ଥଗିତାଦେଶ ପାଇଥିଲେ । ପରେ ଏହି ସ୍ଥଗିତାଦେଶ ବିରୋଧରେ ସଚିବାଳୟ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା । ଗତ ଜୁଲାଇ ୨୦୨୨ରେ ରାଘବଙ୍କୁ ଏକ ଟାଇପ-୬ କ୍ବାର୍ଟର୍ସ ଦିଆଯାଇଥିଲା । ତେବେ ତାଙ୍କୁ ଏକ ଟାଇପ-୭ ଘର ଦେବା ଲାଗି ସେ ରାଜ୍ୟସଭା ଅଧ୍ୟକ୍ଷକୁ ଅନୁରୋଧ କରିବା ପରେ ତାଙ୍କୁ ପାଣ୍ଡରା ରୋଡରେ ଏକ ଟାଇପ 7 ଘର ଦିଆଯାଇଥିଲା । ରାଜ୍ୟସଭା ସଦସ୍ୟଙ୍କ ହ୍ୟାଣ୍ଡବୁକ ଅନୁସାରେ ପ୍ରଥମ ଥର ଲାଗି ହୋଇଥିବା ସାଂସଦଙ୍କୁ ଟାଇପ-୫ ବଙ୍ଗଳା ଦିଆଯିବ ।

ପୂର୍ବତନ କ୍ଯାବିନେଟ ମନ୍ତ୍ରୀ,  ପୂର୍ବତନ ଗଭର୍ଣ୍ଣର, ପୂର୍ବତନ ମୁଖ୍ୟମନ୍ତ୍ରୀ, ପୂର୍ବତନ ଲୋକସଭା ବାଚସ୍ପତି ଥିବା ସାଂସଦମାନଙ୍କୁ ହିଁ ଟାଇପ-୭ ବଙ୍ଗଳା ମିଳିବ । କ୍ବାର୍ଟର୍ସ ରଦ୍ଦ ଲାଗି କରାଯାଇଥିବା ଯୋଜନାକୁ ରାଘବ ସମାଲୋଚନା କରିବା ସହ ତାଙ୍କୁ କୌଣସି ନୋଟିସ ଦିଆ ନଯାଇ ଏହି ପ୍ରକ୍ରିୟା କରାଯାଇଛି ବୋଲି ସେ କହିଛନ୍ତି । ରାଜ୍ୟସଭାର ୭୦ ବର୍ଷର ଇତିହାସରେ ଏପରି ଘଟି ନଥିଲା ଏବଂ ଜଣେ ସାଂସଦଙ୍କ ପ୍ରତି ଏପରି ଆଚରଣ କରାଯିବାର ନମୁନା ନାହିଁ ବୋଲି ସେ କହିଛନ୍ତି । ଏହାକୁ ନେଇ ସେ ବିଜେପି ଉପରେ ବର୍ଷିଛନ୍ତି ।