ସିବିଆଇରେ ସିସୋଦିଆଙ୍କୁ ଜେରା, ଗର୍ଜିଲେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ

ନୂଆଦିଲ୍ଲୀ: ଅବକାରୀ ଦୁର୍ନିତୀ ମାମଲାରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଜେରା କରୁଛି ସିବିଆଇ । ଦିନ ସାଢ଼େ ୧୧ଟାରୁ ଦିଲ୍ଲୀ ମଦ ନୀତିରେ ଦୁର୍ନୀତି ନେଇ ସିବିଆଇ ଟିମ୍ ତାଙ୍କୁ ପଚରାଉଚରା କରୁଛି । ସିବିଆଇ କାର୍ଯ୍ୟାଳୟରେ ହାଜର ହେବା ପୂର୍ବରୁ ସିସୋଦିଆ ରାଜଘାଟରେ ପହଞ୍ଚି ଗାନ୍ଧିଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଆଜି ପଚରାଉଚରା ପରେ ସିସୋଦିଆଙ୍କୁ ସିବିଆଇ ଗିରଫ କରିପାରେ ବୋଲି ଆମ ଆଦମୀ ପାର୍ଟି ଆଶଙ୍କା କରିଛି ।

ସେପଟେ ସିସୋଦିଆଙ୍କୁ ଜେରା ନେଇ ଟ୍ବିଟ କରି ବିଜେପିକୁ ଟାର୍ଗେଟ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ । ସେ ଟ୍ବିଟ କରିଛନ୍ତି ଯେ ଜେଲ୍‌ କେ ତାଲା ଟୁଟେଙ୍ଗେ, ମନୀଷ ସିସୋଦିଆ ଛୁଟେଙ୍ଗ (ଜେଲର ତାଲା ଭାଙ୍ଗିବ, ମନୀଷ ସିସୋଦିଆ ଖଲାସ ହେବେ ) । ସିବିଆଇ କାର୍ଯ୍ୟାଳୟକୁ ଯିବା ପୂର୍ବରୁ ସିସୋଦିଆ ସାଧାରଣ ଜନତାଙ୍କୁ ସମ୍ବୋଧିତ କରୁଥିବାର ଏକ ଭିଡିଓ ଟ୍ବିଟ କରିଛନ୍ତି କେଜ୍ରିୱାଲ । ହେଲେ ମନୀଷ ସିସୋଦିଆ ଗିରଫ ନେଇ ଅଧିକାରିକ ଭାବେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।

ଗୁଜୁରାଟରେ ଦିଲ୍ଲୀ ସ୍କୁଲ ଭଳି ସ୍କୁଲ ନିର୍ମାଣ ପାଇଁ ସିସୋଦିଆ ପ୍ରତିଶ୍ରୁତି ଦେଇଥିଲେ । ତେଣୁ ଆଜି ତାଙ୍କୁ ଗିରଫ କରିବା ପାଇଁ ସିବିଆଇ ପ୍ରସ୍ତୁତି ଚଳାଇଛି । ୮ ଡିସେମ୍ବରରେ ଗୁଜୁରାଟ ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପରେ ଜେଲର ତାଲା ଭାଙ୍ଗିବ ଓ ସିସୋଦିଆ ବାହାରକୁ ବାହରିବେ ବୋଲି ଟ୍ବିଟ କରିଛନ୍ତି କେଜରିଓ୍ବାଲ ।

ଅନ୍ୟପଟେ ଜେରା ପୂର୍ବରୁ ଦିଲ୍ଲୀ ମଦ ନୀତିରେ ଗୋଟିଏ ଟଙ୍କାକର ବି ଦୁର୍ନୀତି ହୋଇ ନଥିବା ସିସୋଦିଆ କହିଥିଲେ । ପୂର୍ବରୁ ସିସୋଦିଆଙ୍କ ଘର ଓ ବ୍ୟାଙ୍କ ଲକର ଯାଞ୍ଚ ପରେ ବି ସିବିଆଇକୁ ଦୁର୍ନୀତି ନେଇ କିଛି ତଥ୍ୟ ପ୍ରମାଣ ହସ୍ତଗତ ହୋଇ ନଥିଲା । ସିସୋଦିଆଙ୍କୁ ଜେରାକୁ ବିରୋଧ କରି ଆଜି ଦିଲ୍ଲୀରେ ବିକ୍ଷୋଭ ପ୍ରଦର୍ଶନ କରିଛି ଆମ ଆଦମୀ ପାର୍ଟି । ସିବିଆଇ କାର୍ଯ୍ୟାଳୟ ଆଗରେ ଆପ୍ ପକ୍ଷରୁ ବିକ୍ଷୋଭ ଜାରି ରହିଥିବା ବେଳେ ଅନେକ ନେତାଙ୍କୁ ପୋଲିସ ଉଠାଇ ନେଇଛି ।