ଦିଲ୍ଲୀ ପାଇଁ ବିଜେପିର ନିର୍ବାଚନୀ ଇସ୍ତାହାର

ନୂଆଦିଲ୍ଲୀ : ଦିଲ୍ଲୀର ମହିଳା ଭୋଟରଙ୍କୁ ମାସିକ ୨୫୦୦ ଟଙ୍କା ଦେବାକୁ ବିଜେପିର ପ୍ରତିଶ୍ରୁତି । ଏଲପିଜି ସିଲିଣ୍ଡର ପିଛା ୫ ଶହ ଟଙ୍କା ଲେଖାଏଁ ସବସିଡି ମିଳିବ। ହୋଲି ଓ ଦୀପାବଳିରେ ଦୁଇଟି ଲେଖାଏଁ ସିଲିଣ୍ଡର ମାଗଣା। ଗର୍ଭବତୀଙ୍କୁ ଦିଆଯିବ ଏକକାଳୀନ ୨୧ ହଜାର ଟଙ୍କା। ପ୍ରଥମ ପିଲା ହୋଇଥିଲେ ୫ ହଜାର ଟଙ୍କା ଓ ଦ୍ଵିତୀୟ ପିଲା ହୋଇଥିଲେ ମିଳିବ ୬ ହଜାର ଟଙ୍କା। ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଏହି ସବୁ ପ୍ରତିଶ୍ରୁତି ଦେଇଛି ବିଜେପି। ନିର୍ବାଚନୀ ଇସ୍ତାହାର ଆଜି ଜାରି କରିଛନ୍ତି ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା। ଏହାକୁ ସଂକଳ୍ପ ପତ୍ର ବୋଲି କହି ବିଜେପି ଏତେ ସବୁ ପ୍ରତିଶ୍ରୁତି ଦେଇଛି। ନଡ୍ଡା କହିଛନ୍ତି, ପ୍ରଥମ କ୍ଯାବିନେଟ ବୈଠକରେ ଲାଗୁ କରାଯିବ ଆୟୁଷ୍ମାନ ଭାରତ ଯୋଜନା। ଏଥିରେ ଦିଲ୍ଲୀବାସୀଙ୍କୁ ଅତିରିକ୍ତ ୫ ଲକ୍ଷର ବୀମା ମିଳିବ। ୬୦ରୁ ୭୦ ବର୍ଷର ଲୋକଙ୍କୁ ମିଳିବ ମାସିକ ୨ ହଜାରରୁ ୨୫୦୦ ଟଙ୍କା ଲେଖାଏଁ ଭତ୍ତା, ୭୦ରୁ ଅଧିକ ବର୍ଷର ଲୋକଙ୍କୁ ପ୍ରଦାନ କରାଯିବ ୩ ହଜାର ଟଙ୍କା। ପ୍ରତ୍ଯେକ ବସ୍ତିରେ ଅଟଳ କ୍ଯାଣ୍ଟିନର ବ୍ୟବସ୍ଥା। ଏଥିରେ ମାତ୍ର ୫ ଟଙ୍କାରେ ମିଳିବ ଭୋଜନ। ନଡ୍ଡା ସ୍ପଷ୍ଟ କରିଛନ୍ତି ଦିଲ୍ଲୀରେ ବିଜେପି କ୍ଷମତାକୁ ଆସିଲେ ମଧ୍ୟ ଆପ୍ ସରକାରର ସବୁ ଯୋଜନା ଜାରି ରହିବ। ୧୯୯୮ରୁ ଏଯାଏ ୨୭ ବର୍ଷ ହେଲା ବିଜେପି ଦିଲ୍ଲୀ ଦଖଲ କରିପାରି ନାହିଁ। କଂଗ୍ରେସ ଲଗାତର ୩ ଥର କ୍ଷମତା ହାସଲ କରିଥିଲା, ତା ପରେ ୨୦୧୩ରୁ କ୍ଷମତାରେ ଅଛି ଆମ୍ ଆଦମୀ ପାର୍ଟି। ତେଣୁ ଏଥର କଳେ ବଳେ କୌଶଳେ ଦିଲ୍ଲୀରେ ସରକାର ଗଠନ କରିବାକୁ ବିଜେପି ଲକ୍ଷ୍ୟ ରଖିଛି। ସେଥିପାଇଁ ଦେଇଛି ଲୋଭନୀୟ ପ୍ରତିଶ୍ରୁତି । ବିଶେଷ କରି ମହିଳା ଓ ଯୁବକଙ୍କୁ ଟାର୍ଗେଟ କରିଛି। ମାଗଣାର ଲୋଭ ଦେଖାଇଛି। ଅନେକ ଜନହିତକର ଯୋଜନାକୁ ମାଗଣା ସଂସ୍କୃତି ସବୁବେଳେ ଅନ୍ୟ ସରକାର ଓ ଦଳକୁ ସମାଲୋଚନା କରୁଥିବା ବିଜେପି ଏଥର ଦିଲ୍ଲୀରେ ସେହି ରଣନୀତି ଆପଣେଇଛି। ନିଜେ ଏଥର ରେବଡ଼ି ବାଣ୍ଟିବାକୁ ଦେଇଛି ପ୍ରତିଶ୍ରୁତି ।