ଦିଲ୍ଲୀରେ ଅସମ୍ଭାଳ ହେଲାଣି ବାୟୁ ପ୍ରଦୂଷଣ, ଅତ୍ୟନ୍ତ ଖରାପ ଶ୍ରେଣୀକୁ ଖସିଲାଣି ବାୟୁ ଗୁଣବତ୍ତା
ନୂଆଦିଲ୍ଲୀ : ଦିଲ୍ଲୀରେ ଅସମ୍ଭାଳ ହେଲାଣି ବାୟୁ ପ୍ରଦୂଷଣ । ବାୟୁଗୁଣବତ୍ତା ପୁଣି ଅତ୍ୟନ୍ତ ଖରାପ ଶ୍ରେଣୀକୁ ଖସି ଆସିଛି । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ତଥ୍ୟ ଅନୁଯାୟୀ, ଆଜି ଆନନ୍ଦବିହାର ଅଞ୍ଚଳରେ ବାୟୁ ଗୁଣବତ୍ତା ସୂଚକାଙ୍କ ବା ଏକ୍ୟୁଆଇ ୩୫୭ ରେକର୍ଡ କରାଯାଇଛି । ଆନନ୍ଦ ବିହାର, ଅଲିପୁର, ବୱାନା, ଜାହାଙ୍ଗୀରପୁରୀ, ମୁଣ୍ଡକା, ୱାଜିରପୁର, ବିବେକ ବିହାର ଓ ସୋନିଆ ବିହାର ଆଦି ସହରରେ ଏକ୍ୟୁଆଇ ରିଡିଂ ଗୁରୁତର ବର୍ଗରେ ରହିଛି ।
ଶୂନ୍ୟରୁ ୫୦ ମଧ୍ୟରେ ଏକ୍ୟୁଆଇକୁ ଭଲ, ୫୧ରୁ ୧୦୦ ସନ୍ତୋଷଜନକ, ୧୦୧ରୁ ୨୦୦ ମଧ୍ୟମ, ୨୦୧ରୁ ୩୦୦ ଖରାପ, ୩୦୧ରୁ ୪୦୦ ଅତ୍ୟନ୍ତ ଖରାପ ଓ ୪୦୧ରୁ ୫୦୦କୁ ଗୁରୁତର ବୋଲି ବିବେଚନା କରାଯାଏ । ଅନୁକୂଳ ପବନ ଯୋଗୁଁ ଗତ ଦୁଇରୁ ତିନିଦିନ ହେଲା ଦିଲ୍ଲୀର ବାୟୁଗୁଣବତ୍ତା ଅତ୍ୟନ୍ତ ଖରାପରୁ ଖରାପ ଶ୍ରେଣୀକୁ ଉନ୍ନତ ହୋଇଥିଲା । ହେଲେ ଗତକାଲି ଭୋର ସମୟରେ ସହରରେ ଏକ ସ୍ମଗ୍ ସ୍ତର ସୃଷ୍ଟି ହୋଇଥିଲା । ଆର୍ଦ୍ରତା ସ୍ତର ୯୩ ପ୍ରତିଶତ ଉପରେ ମଧ୍ଯ ରହିଛି ।