୧୨୨ ବର୍ଷର ରେକର୍ଡ ଭାଙ୍ଗିଛି ଡିସେମ୍ୱର, ସର୍ବନିମ୍ନ ତାପମାତ୍ରା ୨୧.୪୯ ଡିଗ୍ରୀ

ଭୁବନେଶ୍ବର: ଜଳବାୟୁ ପରିବର୍ତ୍ତନର ବଡ଼ ପ୍ରଭାବ । ଭାରତରେ ଅସ୍ବାଭାବିକ ଭାବରେ ବଢିଚାଲିଛି ତାପମାତ୍ରା । ୨୦୨୨ ଡିସେମ୍ବର ମାସ ଭାରତ ସବୁଠୁ ଉତ୍ତପ୍ତ ଭାବରେ ରେକର୍ଡ କରିଛି । ଫଳରେ ଗତ ୧୨୨ବର୍ଷର ରେକର୍ଡ ଭାଙ୍ଗିଛି ଡିସେମ୍ୱର । ପୁରା ମାସରେ ସର୍ବନିମ୍ନ ହାରାହାରି ତାପମାତ୍ରା ୨୧.୪୯ଡିଗ୍ରୀ ରେକର୍ଡ କରାଯାଇଛି । ରେକର୍ଡ ହୋଇଥିବା ତାପମାତ୍ରା ସ୍ୱାଭାବିକଠାରୁ ୧ଡିଗ୍ରୀ ଅଧିକ ବୋଲି ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ ।

୧୨୨ ବର୍ଷ ମଧ୍ୟରେ ଅଧିକ ତାପମାତ୍ରା ଥିବା ଟପ୍ ୫ ଟି ବର୍ଷ ମଧ୍ୟରୁ ୨୦୨୨ ସର୍ବାଧିକ ୨୧.୪୯ ଡିଗ୍ରୀ ତାପମାତ୍ରା ରହିଥିବା ବେଳେ ୨୦୦୮ ରେ ଦ୍ବିତୀୟ ସର୍ବାଧିକ ୨୧.୪୬ ଡିଗ୍ରୀ, ୨୦୧୬ ୨୧.୪୦ ଡିଗ୍ରୀ, ୨୦୧୫ରେ ୨୧.୧୩ ଡିଗ୍ରୀ ଏବଂ ୨୦୦୯ ରେ ହାରାହାରି ୨୧ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା । ଡିସେମ୍ବର ସରି ଜାନୁୟାରୀ ମାସର ୫ ଦିନ ବି ବିତିଲାଣି । କିନ୍ତୁ ଉତ୍ତରା ପବନ ସକ୍ରିୟ ନ ଥିବାରୁ ଜାଡ ପଡିନି ।

ଆସନ୍ତା ୨ ରୁ ୩ ଦିନ ମଧ୍ୟରେ ଉତ୍ତରା ପବନ ସକ୍ରିୟ ହେବା ସହ ରାଜ୍ୟରେ ଥଣ୍ଡା ଶୁଷ୍କ ପବନ ବହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଫଳରେ ସ୍ବାଭାବିକ ଠାରୁ ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବାର ସମ୍ଭାବନା ରହିଛି । ତେବେ ଏହି ଜାଡ ବି ସ୍ବଳ୍ପ ସମୟ ପାଇଁ ବୋଲି ଆକଳନ କରାଯାଇଛି ।