ନୂଆ ଆୟକରକୁ ବିରୋଧ କରି କେନିଆରେ ବିଦ୍ରୋହ; ୩୯ ମୃତ, ୩୬୦ରୁ ଅଧିକ ଗୁରୁତର

ନୂଆଦିଲ୍ଲୀ : କେନିଆରେ ନୂଆ ଆୟକରକୁ ବିରୋଧ କରି ବିଦ୍ରୋହ ଘଟଣା । ସରକାରୀ ବିରୋଧୀ ଆନ୍ଦୋଳନରେ ୩୯ ଜଣଙ୍କର ମୃତ୍ଯୁ ହୋଇଛି । ୩୬୦ରୁ ଅଧିକ ଜଣ ଗୁରୁତର ହୋଇଛନ୍ତି । ୩୨ଟି ମାମଲାରେ ୬୨୭ ଆନ୍ଦୋଳନକାରୀଙ୍କୁ ଗିରଫ କରାଯାଇଛି । ଏନେଇ କେନିଆ ନ୍ଯାସନାଲ କମିଶନ ଅନ ହ୍ଯୁମାନ ରାଇଟ୍ସଙ୍କ ତରଫରୁ ସୂଚନା ଦିଆଯାଇଛି । ଦେଶରେ ବ୍ଯାପକ ସଙ୍କଟ ଜାରି ରହିଥିବାବେଳେ କେନିଆ ସରକାର ଏକ ବିବାଦୀୟ ଫାଇନାନ୍ସ ବିଲକୁ ଅନୁମୋଦନ କରିଥିଲେ । ଏହା କାର୍ଯ୍ୟକାରୀ ହେଲେ ଦେଶରେ ଟିକସ ବୃଦ୍ଧି ପାଇବ । ଯାହାକୁ ସାରା ଦେଶରେ ବିରୋଧ କରାଯାଉଛି ।

କୋଭିଡ ଓ ୟୁକ୍ରେନ ଯୁଦ୍ଧ ପରଠାରୁ ଦେଶରେ ଅର୍ଥନୈତିକ ସ୍ଥିତି ଅତ୍ଯନ୍ତ ଘନୀଭୂତ ହୋଇଛି। ଏହି ଟିକସ ଜରିଆରେ ସରକାର ଅତିରିକ୍ତ ୨.୭ ବିଲିୟନ ଡଲାର ସଂଗ୍ରହ କରିବାକୁ ଚାହୁଁଥିଲେ । ଗୋଟିଏ ପଟେ ମରୁଡି ସ୍ଥିତି ଥିବାବେଳେ ଅନ୍ଯ ପଟେ ରନ୍ଧନ ତେଲ, ପାଉଁରୁଟି, କାର ଆଦି ଉପରେ ଅଧିକ କର ପ୍ରସ୍ତାବ ରହିଥିଲା । ଯାହାକୁ ବିରୋଧ କରି ଆନ୍ଦୋଳନକୁ ଜୋରଦାର କରିବା ସହ ହିଂସାତ୍ମକ ପନ୍ଥା ଆପଣାଇଥିଲେ ଲୋକେ । ଏପରିକି ଲୋକମାନେ ପାର୍ଲାମେଣ୍ଟ ମଧ୍ଯ ଜାଳିଦେଇଥିଲେ । ଟିକସ ବୃଦ୍ଧି ବିଲକୁ ନେଇ ଜୋରଦାର ବିକ୍ଷୋଭ ଓ ହିଂସାକାଣ୍ଡ ପରେ କେନିୟା ସରକାର ଏହାକୁ ପ୍ରତ୍ଯାହାର କରିବା ପାଇଁ ଘୋଷଣା କରିଛନ୍ତି ।