ନନ୍ଦିଘୋଷ ବ୍ୟୁରୋ: ରାୟଗଡ଼ାରେ ଦୁଇ ଋଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣା । ସେମାନଙ୍କ ମୃତ୍ୟୁ ସମ୍ପର୍କରେ ଚାଲିଥିବା ତଦନ୍ତ ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି ଋଷ ସରକାର । ଋଷ ସରକାରଙ୍କ ପ୍ରତିନିଧି ଡେନିସ ଆଲିପୋଭ କହିଛନ୍ତି- ଓଡିଶାରେ ଦୁଇ ଋଷୀୟ ନାଗରିକଙ୍କ ମୃତ୍ୟୁ କ୍ଷେତ୍ରରେ ଯେପରି ତଦନ୍ତ ଚାଲିଛି ସେଥିରେ ସେ ସନ୍ତୁଷ୍ଟ ଅଛନ୍ତି । ଏହା ସହ ଋଷୀୟ ପରମ୍ପରା ଅନୁସାରେ ତାଙ୍କ ଦେଶରେ ସେମାନଙ୍କ ଶେଷକୃତ୍ୟ କରାଯିବ ।
ସେପଟେ କୋଲକାତାସ୍ଥିତ କନସଲେଟ ଜେନେରାଲଙ୍କ ପକ୍ଷରୁ କୁହାଯାଇଛି- ଭ୍ଲାଦିମିର ବୁଦାନୋଭ ଓ ପାଭେଲ ଆନ୍ଥୋଭଙ୍କ ଶେଷକୃତ୍ୟ କରିବା ସହ ସେମାନଙ୍କ ଦେହାବଶେଷ ବା ଚିତାଭସ୍ମ ଋଷ ନେବାକୁ ସେମାନଙ୍କ ସମ୍ପର୍କୀୟ ଇଚ୍ଛା ପ୍ରକାଶ କରିଛନ୍ତି । ରୁଷ ପର୍ଯ୍ୟଟକ ବ୍ଲାଦିମିର ବିଦାନୋଭ ଓ ଆଣ୍ଟୋଭ ପାଭେଲ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ରାୟଗଡ଼ାରେ କ୍ରାଇମବ୍ରାଞ୍ଚ ଟିମ୍ ରହିଛି ।
କ୍ରାଇମବ୍ରାଞ୍ଚ ଡିଏସପି ସରୋଜକାନ୍ତ ମହାନ୍ତଙ୍କ ନେତୃତ୍ୱରେ ୧୨ ଜଣିଆ ଟିମ୍ ତଦନ୍ତ ଜାରି ରଖିଛନ୍ତି । ଏଥିରେ ସାଇଁଟିଫିକ ଟିମ୍ ମଧ୍ୟ ରହିଛନ୍ତି। କ୍ରାଇମବ୍ରାଞ୍ଚ ଅଧିକାରୀ ଓ ଗତକାଲି ଅନୁସନ୍ଧାନ ପାଇଁ ଆସିଥିବା ଆଇ.ବି ଟିମ୍ ମଧ୍ୟରେ ସାକ୍ଷାତ ହୋଇଥିଲା। ପାଖାପାଖି ହୋଟେଲରେ ରହୁଥିବା ଦୁଇଟି ତଦନ୍ତକାରୀ ସଂସ୍ଥା କର୍ତ୍ତୃପକ୍ଷ ମଧ୍ୟରେ ସକାଳୁ ଆଲୋଚନା ହୋଇଥିବା ଜଣାପଡ଼ିଛି। ଏହାପରେ କ୍ରାଇମବ୍ରାଞ୍ଚ ଟିମ୍ ଜିଲ୍ଲା ପୋଲିସ କାର୍ଯ୍ୟାଳୟଯାଇ ସେଠାରେ ଏସପି, ଏସଡିପିଓ ସମେତ ଅନ୍ୟାନ୍ୟ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ।

