ଡ୍ରେନରେ ଭାସିଯାଇ ନାବାଳକ ମୃତ୍ୟୁ ଘଟଣା, ନଗର ଉନୟନ ବିଭାଗକୁ ରିପୋର୍ଟ ଦେଲା ବିଏମସି

ଭୁବନେଶ୍ବର: ଭୁବନେଶ୍ୱର ମସଜିଦ କଲୋନୀ ଡ୍ରେନରେ ଭାସି ନାବାଳକ ମୃତ୍ୟୁ ଘଟଣାର ରିପୋର୍ଟ ଦେଇଛି ବିଏମସି । ନଗର ଉନୟନ ବିଭାଗକୁ ବିଏମସି ରିପୋର୍ଟ ପ୍ରଦାନ କରିଛି । ଏଥିପାଇଁ ଜେଇଙ୍କୁ ଶୋ’ କଜ୍ ନୋଟିସ ଦିଆଯାଇଛି । ଡ୍ରେନ କାମ ନେଇ ସେହି ସମୟରେ ଡ୍ରେନେଜ ବିଭାଗର କାର୍ଯ୍ୟରତ ଅଧକାରୀଙ୍କୁ ଦାୟୀ କରିଛି ବିଏମସି ।

ଭୁବନେଶ୍ୱରରେ କେତେ କିଲୋମିଟର ଡ୍ରେନ ମୁକୁଳା ଅଛି ଓ କେତୋଟି ଡ୍ରେନରେ ସ୍ଲାବ ନାହିଁ ତାର ବି ରିପୋର୍ଟ ନଗର ଉନ୍ନୟନ ବିଭାଗକୁ ଦିଆଯାଇଛି । ଆଜିଠୁ ଲୁହା ବ୍ଯାରିକେଡ କାମ ଆରମ୍ଭ ହୋଇଥିବା ମେୟର ସୁଲୋଚନା ଦାସ ସୂଚନା ଦେଇଛନ୍ତି ।

ବିଏମସି ଅଞ୍ଚଳରେ ୭୭ କିଲୋମିଟର ପ୍ରମୁଖ ଡ୍ରେନ ଓ ୧୩୮୦ କିଲୋମିଟର ଇଣ୍ଟରନାଲ ଡ୍ରେନ ରହିଛି । ମୁଖ୍ଯ ନାଳକୁ କଭର କରାଯାଇ ପାରିବନି ବୋଲି ଏନଜିଟିର ନିର୍ଦ୍ଦେଶ ରହିଛି । ଅନେକ ଜାଗାରେ ଡ୍ରେନ ଲୁହା ଜାଲି ଲଗାଯାଇଛି । ଏନଏଚଏଆଇ ଓ ଇଡକୋ ଡ୍ରେନ ବି ରହିଛି । ସେମାନଙ୍କ ଆଲୋଚନା କରାଯାଇ ଡ୍ରେନ କଭର କରାଯିବ । ବିଏମସି ଅନେକ ଡ୍ରେନ କଭର କରିଥିବାବେଳେ ବାକି ରହିଥିବା ଡ୍ରେନକୁ ଚିହ୍ନଟ କରାଯାଇ ବ୍ଯାରିକେଡ ଲଗାଯିବ । ଡ୍ରେନଜ ସିଷ୍ଟମକୁ ସୁଦୃଢ କରିବା ପାଇଁ ଆଇଆଇଟି ରୁର୍କୀ ବିଶେଷଜ୍ଞ ଦଳ ଭୁବନେଶ୍ୱରେ ଅନୁଧ୍ଯାନ କରିଛନ୍ତି । ରାଜଧାନୀରେ ଅନେକ ଜାଗାରେ ବେଆଇନ ନିର୍ମାଣ ହୋଇଛି । ଏହାଛଡ଼ା ଡ୍ରେନ ସଫା କଲା ବେଳେ ମଧ୍ଯ ସିମେଣ୍ଟ ସ୍ଲାବ ଭାଙ୍ଗିଯାଉଛି । ଆଗକୁ ସିମେଣ୍ଟ କଭର ସ୍ଲାବ ବଦଳରେ ଲୁହା ଚାମ୍ବର ପାଇଁ ପ୍ରସ୍ତାବ ଦିଆଯିବ । ଡ୍ରେନ ସଫା ପାଇଁ କ୍ଲିନଙ୍ଗ ମେସିନ ଆଣିବା ପାଇଁ ଲକ୍ଷ୍ଯ ରଖାଯାଇଛି । ଡ୍ରେନେଜ ବ୍ଯବସ୍ଥାକୁ ସୁଦୃଢ କରିବାକୁ ହଜାରେ କୋଟି ଟଙ୍କା ଦରକାର ଓ ଏଥିପାଇଁ ପ୍ରସ୍ତାବ ଦିଆଯିବ ବୋଲି ମେୟର କହିଛନ୍ତି ।