ହଷ୍ଟେଲ ବାଥରୁମରୁ ନବମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ଉଦ୍ଧାର

ବରଗଡ଼: ହଷ୍ଟେଲ ବାଥରୁମରୁ ନବମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ଉଦ୍ଧାର । ହତ୍ୟା ଅଭିଯୋଗ ଆଣିଲେ ମୃତକଙ୍କ ସମ୍ପର୍କୀୟ । ବରଗଡ଼ ଜିଲ୍ଲା ପଦ୍ମପୁର କଲେଜ ରୋଡ ସ୍ଥିତ ଅନ୍ଵେଷା ହଷ୍ଟେଲରେ ରହି ପାଠ ପଢୁଥିଲେ ଝଙ୍କରପାଲି ଗାଁର ପ୍ରିନ୍ସ କୁମ୍ଭାର ।

ସୂଚନା ଅନୁଯାୟୀ, ମଙ୍ଗଳବାର ରାତିରେ ଭୋଜନ କରି ଟଏଲେଟ ଗଲା ପରେ ଆଉ ଫେରିନଥିଲେ ପ୍ରିନ୍ସ । ବାଥରୁମରେ ପ୍ରିନ୍ସଙ୍କ ମୃତଦେହ ଝୁଲୁଥିବାର ଦେଖିବାକୁ ପାଇଥିଲେ ଅନ୍ୟ ଛାତ୍ରମାନେ। ପରେ ତାଙ୍କୁ ଉଦ୍ଧାର କରି ପଦ୍ମପୁର ଉପଖଣ୍ଡ ହସ୍ପିଟାଲକୁ ଅଣାଯାଇଥିଲା । ସେଠାରେ ପ୍ରିନ୍ସଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ହଷ୍ଟେଲ ସୁପରିଟେଣ୍ଡେଣ୍ଟ କହିଛନ୍ତି । ତେବେ କେଉଁ କାରଣରୁ ଛାତ୍ର ଜଣକ ଆତ୍ମହତ୍ୟା କରିଛନ୍ତି ତାହା ଜଣାନଥିବା ହଷ୍ଟେଲ ସୁପରିଟେଣ୍ଡେଣ୍ଟ କହିଥିବାବେଳେ ସେପଟେ ହତ୍ୟା ଅଭିଯୋଗ ଆଣିଛନ୍ତି ମୃତକଙ୍କ ମାମୁଁ । ଏନେଇ ଅଧିକ ତଦନ୍ତ କରୁଛି ପଦ୍ମପୁର ପୋଲିସ।