ଭାରତ ବିରୋଧରେ ମାଫିଆ ଡନ୍ ଦାଉଦ୍ ଇବ୍ରାହିମର ନୂଆ ୟୁନିଟ୍, ଟାର୍ଗେଟରେ ନେତା ଓ ଶିଳ୍ପପତି

1 min read

ମୁମ୍ବାଇ: ଅନେକ ଦିନର ନିରବତା ପରେ ପୁଣି ସକ୍ରିୟ ହୋଇଛି ଦାଉଦ୍ । ଅଣ୍ଡର ୱାର୍ଲ୍ଡ ଡନ୍ ଦାଉଦ୍ ଇବ୍ରାହିମ୍ କସ୍କର । ଭାରତର ପବ୍ଲିକ୍ ଏନିମି ନମ୍ବର ୱାନ୍ । ଆଇଏସଆଇର ଜୟଚନ୍ଦ୍ । ଯିଏ ପାକିସ୍ତାନରେ ଶରଣ ନେଇ ଭାରତ ଉପରେ କରିଛି ଅନେକ ଆକ୍ରମଣ । ଆଉ ଏବେ ପୁଣି ତିଆରି କରିଛି ଆକ୍ରମଣର ବ୍ଲୁ ପ୍ରିଣ୍ଟ୍ । ଦାଉଦର ବ୍ଲୁ ପ୍ରିଣ୍ଟରେ ଅଛନ୍ତି ନାମି ଦାମୀ ନେତା ଓ ବ୍ୟବସାୟୀ । ଲକ୍ଷ୍ୟ ହେଉଛି ନେତାଙ୍କ ଉପରେ ଆକ୍ରମଣ କରି ଭାରତରେ ଅସ୍ଥିରତା ଓ ହିଂସାକୁ ହାୱା ଦେବା । ବ୍ୟବସାୟୀଙ୍କୁ ଟାର୍ଗେଟ୍ କରି ଭାରତୀୟ ଅର୍ଥନୀତିକୁ କ୍ଷତାକ୍ତ କରିବା । ଆଉ ଏଥିରେ ତାକୁ କିଏ ସାହାଯ୍ୟ କରୁଥିବ ତାହା କିଛି ଅଛପା ନୁହେଁ କିମ୍ବା ମିଲିୟନ ଡଲାରର ପ୍ରଶ୍ନ ନୁହେଁ  ।

ପୁଣି ଆକ୍ଟିଭ୍ ହେଲା ମୁଛଡ୍ ଓରଫ ବିଗ୍ ବସ । କରାଚୀରେ ବସି ମୁମ୍ବାଇ ଅଣ୍ଡରୱାର୍ଲଡକୁ ନିୟନ୍ତ୍ରଣ କରୁଥିବା ଦାଉଦ୍ ଭାରତକୁ ଟାର୍ଗେଟ୍ କରିବା ପାଇଁ ଏକ ସ୍ୱତନ୍ତ୍ର ୟୁନିଟ୍ ତିଆରି କରିଛି । ଯେଉଁ ୟୁନିଟର କାମ ହେବ ଭାରତୀୟ ନେତା ଓ ବ୍ୟବସାୟୀଙ୍କୁ ଟାର୍ଗେଟ୍ କରିବା । ଏଭଳି ଦାବି କରିଛି ନ୍ୟାସନାଲ ଇଣ୍ଟେଲିଜେନ୍ସ ୟୁନିଟ୍ ବା ଏନ୍ ଆଇ ଏ ।

ଏନ ଆଇ ଏ ଅନୁସାରେ ଏହି ୟୁନିଟ୍ ଭାରତୀୟ ଅର୍ଥବ୍ୟବସ୍ଥାକୁ କ୍ଷତି ପହଂଚାଇବାକୁ ଚାହୁଁଛି । ଶିଳ୍ପପତିଙ୍କୁ ଟାର୍ଗେଟ୍ କରି ଭାରତର ଅର୍ଥନୀତିକୁ କ୍ଷତି ପହଂଚାଇବା ଯଦି ଦାଉଦର ଲକ୍ଷ୍ୟ ତେବେ ନେତାଙ୍କ ହତ୍ୟା କରି ଦେଶରେ ଦଙ୍ଗା ସୃଷ୍ଟି ମଧ୍ୟ ଡି-କମ୍ପାନୀର ଯୋଜନା । ଡି-କମ୍ପାନୀର ଏହି ଶଣ୍ଢୁଆସୀ ପ୍ଲାନିଂ ବାବଦରେ ଏନ୍ ଆଇ ଏ ଜାଣିବାକୁ ପାଇଛି । ସୂଚନାଯୋଗ୍ୟ ଯେ, ୧୯୯୩ ବମ୍ବେ ବ୍ଲାଷ୍ଟର ମାଷ୍ଟରମାଇଣ୍ଡ୍ ଦାଉଦ୍ ଇବ୍ରାହିମ୍ ପାକ୍ ଗୁଇନ୍ଦା ଏଜେନ୍ସି ଆଇ ଏସ ଆଇ ଶରଣରେ କରାଚୀରେ ରହୁଛି । କରାଚୀର କ୍ଲିଫ୍ଟନ ଏରିଆରେ ଦାଉଦ୍ କଡା ସୁରକ୍ଷା ଘେରରେ ରହୁଛି । କ୍ଲିଫ୍ଟନ ଏରିଆରୁ ଦାଉଦ୍ ତା’ର ହଜାର ହଜାର କୋଟି ଟଙ୍କାର ଅପରାଧିକ ସାମ୍ରାଜ୍ୟର ନିୟନ୍ତ୍ରଣ କରୁଛି ।

ଦାଉଦ୍ ଭାରତରୁ ପଳାୟନ ପରେ ଆଇ ଏସ ଆଇ ସଂପର୍କରେ ଆସିଥିଲା । ଆଇ ଏସ ଆଇ ମୁମ୍ବାଇରେ ସିରିଜ୍ ବ୍ଲାଷ୍ଟ୍ କରିବାକୁ ଡି-କମ୍ପାନୀର ନେଟୱର୍କକୁ ବ୍ୟବହାର କରିଥିଲା । ମୁମ୍ବାଇ ସିରିଜ୍ ବ୍ଲାଷ୍ଟ ବେଳେ ଦାଉଦ୍ ଦୁବାଇରେ ରହୁଥିଲା । ତେବେ ପରେ ସେ ସେଠାରୁ ପାକିସ୍ତାନକୁ ପଳାଇ ଥିଲା । ପାକିସ୍ତାନରେ ତା’ ସହିତ ସାନଭାଇ ଅନିସ ଇବ୍ରାହିମର ପରିବାର ରହୁଛି । ଏହାସହ ଦାଉଦର ମୁଖ୍ୟ ସେନାପତି ଛୋଟା ସକିଲ ମଧ୍ୟ କରାଚୀରେ ରହୁଛି ।

ଜିହାଦୀଙ୍କ ସହିତ ଦାଉଦର ସମ୍ପର୍କ ଢେର ପୁରୁଣା । ଦାଉଦ୍ ଆଇଏସଆଇ ଜରିଆରେ ୧୯୯୬ରେ ତାଲିବାନ ସମ୍ପର୍କରେ ଆସିଥିଲା । ତାଲିବାନ ଦ୍ୱାରା ଉତ୍ପାଦିତ ହେରୋଇନ୍ ଭଳି ମାଦକ ପଦାର୍ଥରେ ମୁଖ୍ୟ ବିତରକ ହେଉଛି ଦାଉଦ୍ ଇବ୍ରାହିମ୍ । ଦାଉଦର ଜିହାଦୀ ସମ୍ପର୍କ ତାକୁ ଆମେରିକାର ରଡାରକୁ ଆଣିଥିଲା । ୨୦୦୩ରେ ଦାଉଦକୁ ଆମେରିକା ଗ୍ଲୋବାଲ ଜିହାଦୀ ଭାବେ ଘୋଷଣା କରିଥିଲା । ଭାରତ ଭଳି ଆମେରିକା ମଧ୍ୟ ଦାଉଦକୁ ଖୋଜୁଛି । କିନ୍ତୁ ଦାଉଦ୍ ଏବେବି ଆଇଏସଆଇର ସୁରକ୍ଷା ଘେରରେ ରହୁଛି । ଦାଉଦକୁ ଜୀବନ୍ତ ଓ ମୃତ ଧରିବାକୁ ଭାରତର କିଛି ଉଦ୍ୟମ ବିଫଳ ହୋଇଛି । ଏବେ ଦାଉଦର ନୂଆ ୟୁନିଟ୍ ଭାରତର ସୁରକ୍ଷା ପାଇଁ ଗୋଟିଏ ବଡ଼଼ ପ୍ରଶ୍ନ ଭାବେ ଉଭା ହେବ ।

 

Leave a Reply