ବିହାର ରାଜନୀତିରେ ଛକାପଞ୍ଝା: ଲୁଚୁଛି ନା ଗୋଡ଼ ଦି’ଟା ଦୁଶୁଛି ନ୍ୟାୟରେ BJPର LJP ପ୍ରୀତି

1 min read

ପାଟନା: ବିହାରରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆସନ୍ତା ୨୮ ତାରିଖରେ ହେବାକୁ ଯାଉଛି । ଏଥିପାଇଁ ପ୍ରାର୍ଥିପତ୍ର ଦାଖଲ ମଧ୍ୟ ଆରମ୍ଭ ହୋଇ ଗଲାଣି । କିଛି କିଛି ସଂସ୍ଥା ନିର୍ବାଚନୀ ଫଳାଫଳ ନେଇ ପୂର୍ବାନୁମାନ କଲେଣି । ଏହି ପୂର୍ବାନୁମାନ ହିଁ ବିଜେପିକୁ ହରଡ଼ଘଣାରେ ପକାଇଛି । ଦିବଂଗତ ନେତା ରାମବିଳାସ ପାଶୱାନଙ୍କ ଦଳ ରାଷ୍ଟ୍ରୀୟ ଲୋକ ଜନ ଶକ୍ତି ପାର୍ଟି(ଏଲଜେପି) ଅଲଗା ହୋଇ ଲଢିବା ବିଜେପିକୁ ଏତେଟା ଫାଇଦା ଦେଉନାହିଁ । ଓଲଟି ଏଲଜେପି ଭାରତୀୟ ଜନତା ପାର୍ଟିର ବି-ଟିମ୍ ଭାବେ କାର୍ଯ୍ୟ କରୁଥିବା ପ୍ରତୀୟମାନ ହେଉଛି । ଯାହା ଦ୍ୱାରା ବିଜେପି ଲଢୁଥିବା ସିଟ୍ ଗୁଡିକରେ ଜେଡିୟୁ ସମର୍ଥକଙ୍କ ଯେପରି ସହଯୋଗ ମିଳିବା କଥା, ମିଳୁ ନାହିଁ ।

nitish bjp ljp

ଭାଜପାର କେତେକ ନେତା ମଧ୍ୟ ଦଳର ଦ୍ୱିମୁଖୀ ଆଭିମୁଖ୍ୟକୁ ପଦାରେ ପକାଇ ଦେଇଛନ୍ତି । କେତେକ ଭାଜପା ନେତା ଏଲଜେପିରେ ଯୋଗ ଦେବା ପରେ ଖୋଲାଖୋଲି ନୀତିଶ କୁମାରଙ୍କ ବିରୋଧରେ କହୁଛନ୍ତି । କେବଳ ସେତିକି ନୁହେଁ, ଭାଜପାକୁ ମଧ୍ୟ ସମର୍ଥନ କରୁଛନ୍ତି । ତେଣୁ ଏହା ତୃଣମୂଳସ୍ତରରେ ଜେଡିୟୁ କର୍ମୀଙ୍କୁ ରଗାଉଥିବା କୁହାଯାଉଛି । କୌଣସିମତେ ଘଟଣାଠାରୁ ନଜର ହଟାଇବା ପାଇଁ ଭାଜପା ହାତଗଣତି ନେତାଙ୍କୁ ନିଲମ୍ବିତ ମଧ୍ୟ କରିଛି । ହେଲେ ଲୁଚିଛି ନା ଗୋଡ଼ ଦି’ଟା ଦୁଶୁଛି ନ୍ୟାୟରେ ଭାଜପାର ଅସଲ ଚାଲ ଧରାପଡିଯାଇଛି । ଯେଉଁ ଉଦ୍ଦେଶ୍ୟରେ ଏଲଜେପିକୁ ପ୍ରୋତ୍ସାହିତ କରାଯାଉଛି, ସେହି ତୁଳନାରେ ଚିରାଗ ପାଶୱାନଙ୍କ ଦଳ ସଫଳତା ପାଇବ ନାହିଁ ବୋଲି ସମୀକ୍ଷକମାନେ ମତ ଦେଲେଣି ।

ସେହିପରି କୌଣସି ମତେ ବିହାର ବିଧାନସଭାରେ ସର୍ବବୃହତ ଦଳ ଭାବେ ଉଭା ହେଲେ ବି ଏକାକୀ ସରକାର ଗଢିବାର ସାମର୍ଥ୍ୟ ଭାଜପା, ଜେଡିୟୁ କିମ୍ବା ଆରଜେଡି ପାଖରେ ନାହିଁ । ତେଣୁ ପ୍ରାଥମିକ ଭାବେ ଅକ୍ଟୋବର ଦ୍ୱିତୀୟ ସପ୍ତାହରେ ଆସିଥିବା ଏକ ଜନମତ ସର୍ଭେରେ ଝୁଲା ବିଧାନସଭାର ସୂଚନା ଆସିଛି । ଯାହା ବିଜେପିକୁ ହରଡ଼ଘଣାରେ ପକାଇଛି । ଏକୁଟିଆ ଭାବେ ବିଜେପି ଯଦି ଅଧିକ ସିଟ୍ ପାଇଲେ ବି ଜଣେ ସହଯୋଗୀ ଲୋଡା । ସେହି ନ୍ୟାୟରେ ଏଲଜେପି ଅପେକ୍ଷା ନୀତିଶଙ୍କ ଦଳର ସମ୍ଭାବନା ଅଧିକ ରହିଛି । ତେଣୁ ତୃଣମୂଳସ୍ତରରେ ବିଜେପି ଯେ ଜେଡିୟୁ ବିରୋଧୀ ଏବଂ ନୀତିଶଙ୍କ ପ୍ରଭୁତ୍ୱକୁ କ୍ଷୁର୍ଣ୍ଣ କରିବାକୁ ଚାହୁଁଛି, ସେ ବାର୍ତ୍ତା କିପରି ପ୍ରଚାର ନ ହେବ, ସେଥିପ୍ରତି ଧ୍ୟାନ ଦେଉଛି ।

nitish

ନୀତିଶ ମଧ୍ୟ ଅନୁରୂପଭାବେ ବିଜେପିର ଭିତିରିଆ ଚାଲକୁ ବୁଝି ନିଜ ପାଇଁ ପ୍ଲାନ-ବି ପ୍ରସ୍ତୁତ କରୁଥିବା ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି । ନିକଟରେ କରାଯାଉଥିବା ଏକ ସର୍ଭେ କୁହାଯାଇଛି ଯେ, ଆରଜେଡି-କଂଗ୍ରେସ-ବାମମେଣ୍ଟ ପ୍ରାୟ ୮୦ ପାଖାପାଖି ଆସନ ପାଉଛନ୍ତି । ସେହିପରି ଜେଡିୟୁ ମଧ୍ୟ ୭୦ରୁ ଅଧିକ ଆସନ ପାଉଛି । ତେଣୁ ଭାଜପା ଯଦି ନୀତିଶଙ୍କ ଉପରେ ଅଙ୍କୁଶ ଲଗାଇବାକୁ ଚାହିଁବ, ତେବେ ନୀତିଶ ୨୦୧୫ ଭଳି ଅଣ ଭାଜପା ଦଳକୁ ନେଇ ସରକାର ଗଢିବାକୁ ପ୍ରୟାସ ଯେ ନ କରିବେ, ସେ କଥା କିଏ କହିପାରିବ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି ।

Leave a Reply