ପୁଣି ଦୁମକାରେ ବର୍ବରତା, ଦୁଷ୍କର୍ମ ପରେ ହତ୍ୟା କରି ଗଛରେ ଟାଙ୍ଗିଦେଲେ

ରାଞ୍ଚି: ଝାଡଖଣ୍ଡରେ ପୁଣି ସୀମା ଟପିଲା ବର୍ବରତା  । ଦୁଷ୍କର୍ମ ପରେ ହତ୍ୟା କରି ମୃତକଙ୍କୁ ଗଛରେ ଝୁଲାଇ ଦେଇଥିବା ଅଭିଯୋଗ ଆଣିଲେ ପରିବାର  । ଦୁମକାରେ ଜଣେ ୧୪ ବର୍ଷୀୟା ଆଦିବାସୀ ନାବାଳିକାଙ୍କ ମୃତଦେହ ଉଦ୍ଧାର ହୋଇଛି  । ଗଛରେ ଝୁଲୁଥିବା ଅବସ୍ଥାରେ ମୃତଦେହ ଜବତ କରିଛି ପୋଲିସ  । ଅଭିଯୁକ୍ତ ଅରମାନ୍‌ ଅନସାରୀକୁ ଏହି ମାମଲାରେ ଗିରଫ କରାଯାଇଛି  ।

ବ୍ୟବଚ୍ଛେଦ ପରେ ପରିବାରକୁ ମୃତଦେହ ହସ୍ତାନ୍ତର କରାଯିବ ବୋଲି ପୋଲିସ କହିଛି  । ଦୁମକାରେ ସମ୍ପର୍କୀୟଙ୍କ ଘରେ ରହୁଥିବା ସମୟରେ ପୀଡିତାର ଅନସାରୀ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା  । ପରେ ପୀଡିତା ଜଣକ ଗର୍ଭବତୀ ଥିବା ଜାଣିପାରି ଅନସାରୀଙ୍କୁ ବିବାହ କରିବା ପାଇଁ ଜିଦ୍‌ ଧରିଥିଲା  । ଯେଉଁଥିପାଇଁ ଅନସାରୀ ପୀଡିତାକୁ ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି  ।

ଘଟଣାକୁ ଦୁର୍ଭାଗ୍ୟଜନକ କହି ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ  । ଅଭିଯୁକ୍ତକୁ ଗିରଫ କରାଯାଇଛି ଓ ତା ବିରୁଦ୍ଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ  । ପୀଡିତାଙ୍କ ପରିବାରକୁ ଭଗବାନ ଧୈର୍ଯ୍ୟ ଓ ଶକ୍ତି ଦିଅନ୍ତୁ ବୋଲି ଟ୍ବିଟ କରିଛନ୍ତି ମୁଖ୍ୟମନ୍ତ୍ରୀ  ।

ଏହି ଘଟଣା ପରେ ଝାଡଖଣ୍ଡ ସରକାରକୁ ନେଇ ଆରୋପ ପ୍ରତ୍ୟାରୋପ ପର୍ବ ଆରମ୍ଭ ହୋଇଯାଇଛି  । ଅନ୍ତର୍ଜାତୀୟ ଲଭ ଜିହାଦ ନେଟୱର୍କ ଏଥିପାଇଁ ଦାୟୀ ଥିବା କହିଛନ୍ତି ବିଜେପି ନେତା ବାବୁଲାଲ ମାରାଣ୍ଡି  । ସେପଟେ ରାଜ୍ୟରେ ସୋରେନ ସରକାରରେ ଦଳିତ ମହିଳା ସୁରକ୍ଷିତ ନଥିବା ବିଜେପି ଆଇଟି ସେଲ୍‌ କହିଛି  ।

କିଛି ଦିନ ପୂର୍ବରୁ ଏକତରଫା ପ୍ରେମ ପାଇଁ ଝାଡଖଣ୍ଡରେ ଦ୍ବାଦଶ ଶ୍ରେଣୀ ଛାତ୍ରୀ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲା ଅଭିଯୁକ୍ତ ଶାହରୁଖ  । ଆଜି ଦୁମକାରେ ପୁଣି ଏକ ଘଟଣା ଲଭ ଜିହାଦ ପ୍ରସଙ୍ଗକୁ ତାଜା କରିବା ସହ ସୋରେନ ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ପାଲଟିଛି ।