ଭୁବନେଶ୍ବର କ୍ଯାପିଟାଲ ହସପିଟାଲରେ ବେସରକାରୀ ଆମ୍ବୁଲାନ୍ସ କର୍ମଚାରୀଙ୍କ ଦାଦାଗିରି
ଭୁବନେଶ୍ବର : ଘରୋଇ ଆମ୍ବୁଲାନ୍ସ କର୍ମଚାରୀଙ୍କ ଦାଦାଗିରି । ଶବ ବ୍ୟବଚ୍ଛେଦ ପାଇଁ ଆସିଥିବା ଆମ୍ବୁଲାନ୍ସକୁ ଅଟକ । ଛାଡିଲେନି ମୃତଦେହ । ୩ ଘଣ୍ଟା କାଳ ଅଟକାଇ ରଖିଲେ ଶବ । ଗଣମାଧ୍ୟମରେ ଖବର ପରେ ମୁକୁଳିଲେ ୟୁପିର ପରିବାର । ଏପରି ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ବର କ୍ଯାପିଟାଲ ହସପିଟାଲରେ । ଶବ ଉପରେ ଜୁଲମ କରିଛନ୍ତି କ୍ୟାପିଟାଲ ହସ୍ପିଟାଲ ଘରୋଇ ଆମ୍ବୁଲାନ୍ସ କର୍ମଚାରୀ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଉତ୍ତର ପ୍ରଦେଶର କମଲେଶ୍ ପାଣ୍ଡେଙ୍କ ମୃତ୍ୟୁ ହୋଇଥିଲା । ଶବ ନେଇ ବ୍ୟବଛେଦ ପାଇଁ ଆସିଥିବା ଆମ୍ବୁଲାନ୍ସକୁ ଛାଡିନଥିଲେ ଘରୋଇ ଆମ୍ବୁଲାନ୍ସ କର୍ମଚାରୀ । ସ୍ଥାନୀୟ ଆମ୍ବୁଲାନ୍ସ ନ ନେଲେ ମୃତଦେହ ନେଇପାରିବେ ନାହିଁ ବୋଲି ଅଡିବସିଥିଲେ । ଗଣମାଧ୍ୟମ ପ୍ରତିନିଧି ପହଞ୍ଚିବା ପରେ ଛାଡିଥିଲେ ।
କ୍ୟାପିଟାଲ ହସ୍ପିଟାଲରେ ଘରୋଇ ଆମ୍ବୁଲାନ୍ସ କର୍ମଚାରୀଙ୍କ ଜୁଲମ ନୂଆ ନୁହେଁ । ପୂର୍ବରୁ ଏଭଳି ଅନେକ ଘଟଣା ଘଟିଛି । ଫଳରେ ହତା ଭିତରୁ ଆମ୍ବୁଲାନ୍ସକୁ ବାହାର କରିଦିଆ ଯାଇଛି । କିନ୍ତୁ ଏବେ ପୁଣି ହସ୍ପିଟାଲ ପରିସରରେ ଦାଦାଗିରି ଆରମ୍ଭ କରିଛନ୍ତି ଘରୋଇ ଆମ୍ବୁଲାନ୍ସ । ଭଲକରି ଦେଖନ୍ତୁ ଏହି ପୋଷ୍ଟରକୁ । ହସ୍ପିଟାଲ କାନ୍ଥରେ ଘରୋଇ ଆମ୍ବୁଲାନ୍ସ ସେବାର ପୋଷ୍ଟର ଲାଗିଛି । ମୋବାଇଲ ନମ୍ବର ବି ଅଛି । କିନ୍ତୁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ପଡୁନି । ଫଳରେ ନିରୀହ ଲୋକମାନେ ଏମିତି ନିର୍ଯାତନାର ଶିକାର ହେଉଛନ୍ତି । ଏନେଇ ପୂର୍ବରୁ ଅନେକ ଅଭିଯୋଗ ହୋଇଛି । କିନ୍ତୁ କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ଦୌରାତ୍ମ ବଢିବଢି ଚାଲିଛି । ସେପଟେ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ କହିଛନ୍ତି ଏଭଳି ହେଉଥିଲେ ଆମକୁ ଅଭିଯୋଗ କରନ୍ତୁ । କ୍ୟାପିଟାଲ ହସ୍ପିଟାଲରେ ଏଭଳି ଅଭିଯୋଗ ବାରମ୍ବାର ହେଉଛି । ଶବ ନେବାପାଇଁ ନିରୀହ ଲୋକଙ୍କୁ ଘରୋଇ ଆମ୍ବୁଲାନ୍ସ କର୍ମଚାରୀମାନେ ଅଧିକ ଅର୍ଥ ଦାବି କରୁଛନ୍ତି । କିନ୍ତୁ ପ୍ରଶାସନର ନୀରବତା ସେମାନଙ୍କୁ ସାହାସ ଦେଉଛି ।