ଆସ୍ତେ ଆସୁଛି ୟାସ, ବାସୁଦେବପୁର-ବାହାନଗା ମଧ୍ୟରେ ଲ୍ୟାଣ୍ଡଫଲ

ଭୁବନେଶ୍ୱର: ସ୍ଥଳଭାଗ ନିକଟତର ହେଉଛି ୟାସ । ଯେତେ ପାଖାଉଛି, ସେତେ ଗର୍ଜନ କରୁଛି । ଘଣ୍ଟା ପ୍ରତି 12 କିଲୋମିଟର ବେଗରେ ମାଡି ଆସୁଛି ବାତ୍ୟା ୟାସ । ଏସଆରସିଙ୍କ ସୂଚନା ମୁତାବକ ଧାମରାରୁ ୯୦ ଓ ପାରାଦୀପ ଠାରୁ 100 କିଲୋମିଟର ଦୂରରେ ରହିଛି ୟାସ୍ । ସେହିପରି ବାଲେଶ୍ବରଠାରୁ ୧୫୦ କିଲୋମିଟର ଦୂରରେ ରହିଛି ୟାସ ।

ସାମୁଦ୍ରିକ ଝଡ଼ ୟାସର ପ୍ରଭାବରେ ମଧ୍ୟରାତ୍ରୀରୁ ବଢିଛି ପବନର ବେଗ । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ମଧ୍ୟ ଦେଖିବାକୁ ମିଳିଛି । ଏହା ଅନେକ ସ୍ଥାନରେ ଘର ସହିତ ଗଛ ଭାଙ୍ଗିଥିବା ଜଣାପଡିଛି । ଅନ୍ୟପଟେ ସମୂଦ୍ରରେ ଉଚ୍ଚ ଜୁଆର ମଧ୍ୟ ଉଠୁଥିବା ଦେଖିବାକୁ ମିଳିଛି ।

କିନ୍ତୁ ଆକଳନ କରାଯାଉଥିବା ସମୟ ଠାରୁ ବିଳମ୍ବରେ ବାତ୍ୟା ୟାସ ସ୍ଥଳ ଭାଗ ଛୁଇଁପାରେ । ଯେହେତୁ ସମୁଦ୍ର ମଧ୍ୟରେ ବାତ୍ୟାର ଗତି ଧିମା ରହିଛି , ତେଣୁ ଏହା ବିଳମ୍ବରେ ଲ୍ୟାଣ୍ଡଫଲ କରିପାରେ  । ଅର୍ଥାତ ୧୦ଟାରୁ ୧୧ ଟା ମଧ୍ୟରେ ସ୍ଥଳଭାଗ ଛୁଇଁବା ନେଇ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା ।

ବାତ୍ୟା ୟାସ ସ୍ଥଳ ଭାଗ ଅତିକ୍ରାନ୍ତ କରିବା ସମୟରେ ପବନର ବେଗ 155 କିଲୋମିଟର ରହିପାରେ । ଗ୍ରୀନ୍ ଜୋନରେ ପବନର ଗତି 90ରୁ 120କିଲୋମିଟର ରହିବ ବୋଲି ଆକଳନ କରାଯାଉଛି । ଭାଓଲେଟ୍ ଜୋନରେ ପବନର ଗତି ରହିବ 60ରୁ 90 କିଲୋମିଟର ରହିବ । ଭାଓଲେଟ୍ ଜୋନରେ ରହିଛି କଟକ, ଭୁବନେଶ୍ବର, ପୁରୀ । ସେହିପରି କଚ୍ଚାଘର ଭାଙ୍ଗିବା ସହିତ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗିବାର ସମ୍ଭାବନା ରହିଛି । ବ୍ୟାପକ ଫସଲ ନଷ୍ଟ ସହିତ ବଡ ଗଛ ଉପୁଡିବା ସମ୍ଭାବନା ରହିଥିବା କହିଛନ୍ତି ପ୍ରଦୀପ ଜେନା ।

Leave a Reply