ପାରାଦୀପଠାରୁ ୩୬୦ ଓ ବାଲେଶ୍ୱରଠାରୁ ୪୬୦ କିଲୋମିଟର ଦୂରରେ ରହିଛି ବାତ୍ୟା ୟାସ୍

1 min read

ଭୁବନେଶ୍ୱର,ବାଲେଶ୍ୱର,ଜଗତସିଂହପୁର: ବଙ୍ଗୋପସାଗରରୁ ସ୍ଥଳଭାଗ ଆଡ଼କୁ ମାଡ଼ିଆସୁଛି ବାତ୍ୟା ୟାସ୍‌  । ଆଜି ଭେରି ସିଭିୟର ସାଇକ୍ଲୋନର ରୂପ ନେବ ବାତ୍ୟା । ପାରାଦୀପଠୁ ୩୬୦ କିଲୋମିଟର ଦୂରରେ ଥିବା ବେଳେ, ବାଲେଶ୍ବରଠୁ ୪୬୦ ଓ ଦୀଘାଠୁ ୪୫୦ କିଲୋମିଟର ଦୂରରେ ରହିଛି ବାତ୍ୟା ୟାସ । ଏହା ଧିରେ ଧିରେ ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି । ଗତ ୬ ଘଣ୍ଟା ମଧ୍ୟରେ ବାତ୍ୟା ୟାସ ଘଣ୍ଟାପ୍ରତି ୯ କିଲୋମିଟର ବେଗରେ ଗତି କରୁଛି । ଆସନ୍ତାକାଲି ଦ୍ବିପହରେ ବାଲେଶ୍ବର ପାଖାପାଖି ଅତିକ୍ରମ କରିପାରେ ବାତ୍ୟା ୟାସ । ଅମ୍ଫାନଠୁ ଆହୁରି ଭୟଙ୍କର ହେବା ନେଇ ଅନୁମାନ କରାଯାଉଛି । ପାରାଦୀପରୁ ସାଗରଦ୍ବୀପ ମଧ୍ୟରେ ବାଲେଶ୍ବର ପାଖରେ ଲ୍ୟାଣ୍ଡଫଲ୍‌ ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ୟାସ୍‌ ପ୍ରଭାବରେ ଉପକୂଳ ଓଡ଼ିଶାରେ ଧୀରେ ଧୀରେ ପବନର ବେଗ ଓ ବର୍ଷାର ପରିମାଣ ବଢ଼ିବାରେ ଲାଗିଛି । ଲ୍ୟାଣ୍ଡଫଲ୍‌ ବେଳକୁ ପବନର ବେଗ ଘଣ୍ଟାପ୍ରତି ୧୫୫ରୁ ୧୬୫ କିଲୋମିଟର ହୋଇପାରେ । ସେହିପରି ଝଟ୍‌କା ପବନର ବେଗ ଘଣ୍ଟା ପ୍ରତି ୧୮୫ କିଲୋମିଟର ହୋଇପାରେ । ବାଲେଶ୍ବର, ଭଦ୍ରକ, ଓ ପଶ୍ଚିମଙ୍ଗର ମେଦୀନିପୁର ସମୁଦ୍ର ଅଶାନ୍ତ ରହିବ । ସମୁଦ୍ର ଅଶାନ୍ତ ହୋଇ ଲହଡ଼ି ୧୪ ମିଟର ହୋଇପାରେ  । ଲ୍ୟାଣ୍ଡଫଲ୍ ସମୟରେ ସମୁଦ୍ରରେ ୨ରୁ ୪ ମିଟର ଉଚ୍ଚରେ ଜୁଆର ଉଠିପାରେ । ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ମୟୂରଭଞ୍ଜକୁ ୟାସ୍‌ ଅଧିକ ପ୍ରଭାବିତ କରିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ପୁରୀ, ଖୋର୍ଦ୍ଧା, ଗଞ୍ଜାମ ଓ ଗଜପତି ଜିଲ୍ଲା ଉପରେ ମଧ୍ୟ ୟାସର ପ୍ରଭାବ ପଡ଼ିବ । ଘଣ୍ଟାକୁ ୯୦ରୁ ୧୨୦ କିଲୋମିଟର ବେଗରେ ପବନ ବହିବା ସହ ବର୍ଷା ହୋଇପାରେ ।

ଏଥିସହିତ ପଢ଼ନ୍ତୁ: ଆଉ ନାହାଁନ୍ତି ଲୋକପ୍ରିୟ ପ୍ରବଚକ ଚାରଣ ରାମ ଦାସ, କୋଭିଡରେ ପରଲୋକ

Leave a Reply