ଓଡ଼ିଶାରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା ସି-ତ୍ରଙ୍ଗ

1 min read

ଭୁବନେଶ୍ବର: ଘନୀଭୂତ ହେଉଛି ଘୂର୍ଣ୍ଣିବଳୟ, ୨୪ ଘଣ୍ଟା ମଧ୍ୟରେ ନେବ ଲଘୁଚାପର ରୂପ । ୨୨ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବ । ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ବାତ୍ୟାର ରୂପ ନେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ECMWF, GFS, NCUM ମଡେଲର ଆକଳନ ଅନୁସାରେ ୨୫ତାରିଖ ବେକଳୁ ବାତ୍ୟାଟି ପଶ୍ଚିମବଙ୍ଗର ଦୀଘା କିମ୍ବା ବାଂଲାଦେଶର ପଥରଘାଟରେ ଲାଣ୍ଡଫଲ କରିପାରେ । ତେବେ ଆଇଏମଡି ଜିଏଫଏସ୍ ମଡେଲର ଆକଳନ ଅନୁସାରେ ବାତ୍ୟା ୨୮ ତାରିଖ ସୁଦ୍ଧା ଓଡ଼ିଶାରେ ଲ୍ୟାଣ୍ଡଫଲ ସମ୍ଭାବନା ଅଧିକ । ସେପଟେ ବାତ୍ୟା ନେଇ ସତର୍କ ରହିବାକୁ ୭ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଏସ୍ଆରସି ।

ଅତିଭୀଷଣ ବାତ୍ୟାର ରୂପ ନେଇ ସି-ତ୍ରାଙ୍ଗ ଛୁଇଁପାରେ ଓଡ଼ିଶାର ସ୍ଥଳଭାଗ । ୨୮ ତାରିଖ ମଧ୍ୟରେ ଗୋପାଳପୁରରୁ ବାଲେଶ୍ବର ମଧ୍ୟରେ ଲ୍ୟାଣ୍ଡଫଲ ! ଆଇଏମଡି ଜିଏଫଏସ୍ ମଡେଲର ଆକଳନ । ଘନୀଭୂତ ହେବା ପରେ ଗତିପଥରେ ହୋଇପାରେ ପରିବର୍ତ୍ତନ ।  ବାତ୍ୟାର ତୀବ୍ରତା କେତେ ରହିବ ? କେଉଁଠି ଲ୍ୟାଣ୍ଡଫଲ କରିବ ? ପବନର ବେଗ କେତେ ରହିବ ? କେଉଁ ଦିଗରେ ଗତି କରିବ ? କେଉଁ କେଉଁ ଜିଲ୍ଲାରେ ପଡିବ ପ୍ରଭାବ ? ଫନି ବାତ୍ୟାର ଗତି ପଥରେ ଆସିଲେ ଅଧିକ ଘାତକ ହେବ କି ? ଏନେଇ ଖୁବ୍ ଶୀଘ୍ର ସ୍ପଷ୍ଟ କରିବ ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ସେପଟେ ଲଘୁଚାପ ପରେ ଅଶାନ୍ତ ହେବ ସମୁଦ୍ର । ଉପକୂଳ ଅଞ୍ଚଳରେ ଝଡ ବର୍ଷା ସହ ଘଣ୍ଟା ପ୍ରତି ୪୫ରୁ ୫୫ କିମି ଓ ଝଟକା ପବନର ବେଗ ୬୫ କିଲୋମିଟର ପର୍ଯ୍ୟନ୍ତ ଯାଇପାରେ । ଲଘୁଚାପ ଘନୀଭୂତ ହୋଇ ୨୨ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତ ସୃଷ୍ଟି ହେବ। ଗଭୀର ସମୁଦ୍ରରେ ବାତ୍ୟା ଦେଖାଇବ କରାଳ ରୂପ । ଏଥିପାଇଁ ୨୨ ତାରିଖ ପୂର୍ବରୁ ଗଭୀର ସମୁଦ୍ରକୁ ଯାଇଥିବା ମତ୍ସଜୀବୀଙ୍କୁ ଫେରି ଆସିବାକୁ ପରାମର୍ଶ ଦିଆଯାଇଛି । ୨୩ ତାରିଖଠାରୁ ୨୮ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଉପକୂଳ ପାଇଁ ଗୁରୁତ୍ବପୂର୍ଣ୍ଣ ସମୟ । ବାତ୍ୟାଟି ଅତି ଭୀଷଣ ରୂପ ନେବା ପାଇଁ ପାଗ ଅନୁକୂଳ ରହିଛି । ଏଭଳି ହେଲେ ଉପକୂଳ ଓଡିଶା ସହ ସଂଲଗ୍ନ ଜିଲ୍ଲାରେ ଘଣ୍ଟାପ୍ରତି ୧୪୦ରୁ ୧୬୦ କିମି ବେଗରେ ପବନ ବହିପାରେ ।

ଶନିବାର ଅବପାତ ରୂପ ନେବା ପରେ ଏହା ବାତ୍ୟାର ରୂପ ନେଇପାରେ ବୋଲି ଅନ୍ତର୍ଜାତୀୟ ପାଣିପାଗ ବିଜ୍ଞାନୀ ଜାସନ ନିକୋଲ୍ସ ଆକଳନ କରିଛନ୍ତି । ଏହାର ପ୍ରଭାବ ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ବାଂଲାଦେଶରେ ପଡିବ । ସେପଟେ ବାତ୍ୟା ନେଇ ଆକଳନ ପରେ ଉପକୂଳବର୍ତ୍ତୀ ୭ ଜିଲ୍ଲା ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, ଭଦ୍ରକ, କେନ୍ଦ୍ରାପଡା ଏବଂ ବାଲେଶ୍ବର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସ୍ଆରସି । ଆବଶ୍ୟକ ପଦକ୍ଷେପ ନେବା ସହ ଲୋକଙ୍କୁ ସଚେତନ କରିବାକୁ ଚିଠିରେ ଉଲ୍ଲେଖ ରହିଛି ।