ବାତ୍ୟା ‘ଦାନା’ ଅପଡେଟ: ସମୁଦ୍ରରେ କମୁଛି ଗତି, ପରାଦୀପଠାରୁ ୧୫୦ କି.ମି. ଦୂରରେ

ଭୁବନେଶ୍ବର: ଧିରେ ଧିରେ ସ୍ଥଳଭାବର ନିକଟତର ହେଉଛି ବାତ୍ୟା ‘ଦାନା’ । ତେବେ ସମୁଦ୍ର ମଧ୍ୟରେ ବଳ ଗୋଟାଇବା ସହ ବାତ୍ୟାର ଗତି ମନ୍ଥର ହେବାରେ ଲାଗିଛି । ଗତ ୬ ଘଣ୍ଟା ଧରି ଘଣ୍ଟାପ୍ରତି ୧୦ କି.ମି. ବେଗରେ କୂଳ ଆଡ଼କୁ ମାଡ଼ି ଆସିଛି ବାତ୍ୟା ‘ଦାନା’ ।

ଏବେ ପାରାଦୀପଠାରୁ ୧୫୦ କି.ମି. ଦୂରରେ ରହିଛି ବାତ୍ଯା ‘ଦାନା’ । ଧାମରାଠାରୁ ୧୮୦ କି.ମି. ଦୂରରେ ରହିଛି । ସେହିପରି ସାଗରଦ୍ବୀପଠାରୁ ୨୫୦ କି.ମି. ଦୂରରେ ଦାନା ବାନ୍ଧୁଛି ବାତ୍ଯା ‘ଦାନା’ ।

ଆଜି ମଧ୍ଯରାତ୍ରୀରୁ ଆରମ୍ଭ ହେବ ଲ୍ଯାଣ୍ଡଫଲ୍ ପ୍ରକ୍ରିୟା । ଏହା ଆସନ୍ତାକାଲି ଭୋର ୪ଟା ପର୍ଯ୍ୟନ୍ତ ଚାଲିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଦାନା ରାଜନଗରରେ ଦେଇ ଚାନ୍ଦବାଲିରେ ଲ୍ଯାଣ୍ଡଫଲ୍ ହୋଇପାରେ । ବାତ୍ୟା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା କରହିଛି । ବିଶେଷ କରି ବାଲେଶ୍ବର, ମୟୂରଭଞ୍ଜ, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କେନ୍ଦୁଝର, ଯାଜପୁର, କଟକ, ଢେଙ୍କାନାଳ, ଖୋର୍ଦ୍ଧା ଓ ପୁରୀରେ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ।

ବାତ୍ୟା ମୁକାବିଲା ନେଇ ଏସଆରସି ସୂଚନା ଦେଇଛନ୍ତି । ଏସଆରସି କହିଛନ୍ତି, ୧୧ଟି ଜିଲ୍ଲା ପ୍ରଭାବିତ ହେବାର ଆଶଙ୍କା ରହିଛି । ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା ସର୍ବାଧିକ ପ୍ରଭାବିତ ହେବ । ଏହିସବୁ ଜିଲ୍ଲାରେ ୩ ଲକ୍ଷ ୭୦ ହଜାର ୮୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ବର୍ତ୍ତମାନ ସୁଦ୍ଧା ୩ ଲକ୍ଷ ୪୦ ହଜାର ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇସାରିଛି ।

ଆଶ୍ରୟ ସ୍ଥଳରେ ଲୋକଙ୍କ ପାଇଁ ରନ୍ଧା ଖାଦ୍ୟର ବ୍ୟବସ୍ଥା କରାଯାଇଛି । ୧୧ ଜିଲ୍ଲାର ୬୦ ବ୍ଲକର ୨୧୩୧ ଗାଁ ଓ ୧୨ଟି ସହରାଞ୍ଚଳ ପ୍ରଭାବିତ ହେବାର ସମ୍ଭାବନା ରହିଛି । ଏସବୁ ଅଞ୍ଚଳରେ ୪ ଲକ୍ଷ ଲୋକ ପ୍ରଭାବିତ ହେବେ । ବିଭିନ୍ନ ସ୍ଥାନରେ ୮୪୨ ସ୍ଥାୟୀ ଓ ୬୪୪୫ ଅସ୍ଥାୟୀ ମୋଟ ୭୩୦୭ ରିଲିଫ ସେଣ୍ଟର ବ୍ୟବସ୍ଥା ହୋଇଛି । ୪୭୫୬ ରିଲିଫ ସେଣ୍ଟରରେ ଅପରେସନ ଆରମ୍ଭ ହୋଇଛି ।

ଆଗକୁ ସେ କହିଛନ୍ତି, ବିଭିନ ପ୍ରଭାବିତ ଅଞ୍ଚଳରେ ସମସ୍ତ ପ୍ରାଣୀ ସମ୍ପଦ ପାଇଁ ବି ବ୍ୟବସ୍ଥା ହୋଇଛି । ପ୍ରାଣୀ ସମ୍ପଦ ପାଇଁ ୩୬୦ଟି ଆଶ୍ରୟସ୍ଥଳୀ ତିଆରି କରାଯାଇଛି । ୬୪୫୪ ପଶୁ ସ୍ଥାନାନ୍ତରିତ ହୋଇଛନ୍ତି । ଘରେ ରଶିରେ ବାନ୍ଧି କେହି ଗାଈ ଗୋରୁଙ୍କୁ ନ ରଖିବାକୁ ପରାମର୍ଶ ଦିଆଯାଇଛି । ସବୁ ରିଲିଫ କେନ୍ଦ୍ରରେ ରୋଷେଇ ଖାଦ୍ୟ ବ୍ୟବସ୍ଥା ହୋଇଛି । ପିଲାମାନଙ୍କ ପାଈଁ ଶିଶୁ ଖାଦ୍ୟ ଓ କ୍ଷୀର ବ୍ୟବସ୍ଥା ହୋଇଛି । ୨୧୩ ମେଡିକାଲ ଟିମ୍ ଅଛନ୍ତି । ପଶୁ ସମ୍ପଦ ପାଇଁ ୧୨୦ ଟିମ୍ ରହିଛନ୍ତି । ୩୭୦୦ ଗର୍ଭବତୀ ମହିଳାଙ୍କୁ ସ୍ଥାନାନ୍ତରିତ କରାଯାଇଛି । ୨ ଜଣ ସୁରକ୍ଷୀତ ପ୍ରସବ କରିଛନ୍ତି, ୩୮୫ ରେସପନ୍ସ ଟିମ୍ ଗ୍ରାଉଣ୍ଡରେ ଅଛନ୍ତି ।

୧୯ ଏନଡିଆରଏଫ, ୫୧ ଓଡ୍ରାଫ, ୯୫ ଓଏଫଡିସି, ୨୨୦ ଅଗ୍ନିଶମ ଟିମ୍ ମୁତୟନ ହୋଇଛନ୍ତି । ଆଶା ଦିଦି ଓ ଅଙ୍ଗନବାଡି ଦିଦି ମୁତୟନ ଅଛନ୍ତି । ଆଜି ମଧ୍ୟରାତ୍ରିରୁ ଭୋର ୪ଟା ଭିତରେ ଲ୍ୟାଣ୍ଡଫଲ ହେବ । ଭିତରକନିକା ଧାମରା ଭିତରେ ଲ୍ୟାଣ୍ଡଫଲ ହେବ । ଦିଗ ପରିବର୍ତ୍ତନ କଲେ ବି ସବୁ ଦିଗରୁ ସରକାର ପ୍ରସ୍ତୁତ ଅଛନ୍ତି । ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀ ନ ଛାଡିବାକୁ ଅନୁରୋଧ କରିଛନ୍ତି ରାଜସ୍ବ ମନ୍ତ୍ରୀ ।