ବାରମ୍ବାର ଦିଗ ବଦଳାଉଛି ବାତ୍ୟା ‘ଦାନା’, ଚାନ୍ଦବାଲିରେ କରିବ ଲ୍ୟାଣ୍ଡଫଲ୍‌

1 min read

ଭୁବନେଶ୍ବର: ବାତ୍ୟା ଦାନା ଆସିବା ପୂର୍ବରୁ ଓଡିଶାର କେନ୍ଦ୍ରାପଡା ସମୁଦ୍ର ମୁହାଣରେ ଉଠିଲାଣି ବଡ ବଡ ଢେଉ  । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି  । ଖବର ଲେଖାଯିବା ସୁଦ୍ଧା ବାତ୍ୟା ଦାନା କେନ୍ଦ୍ରାପଡାର ତାଳଚୁଆ ଠାରେ ଲ୍ୟାଣ୍ଡଫଲ କରିବାର ସୂଚନା ରହିଛି  । ଆଜି ରାତି ସୁଦ୍ଧା ଭିତରକନିକା ଜାତୀୟ ଉଦ୍ୟାନ ଓ ଧାମରା ବନ୍ଦର ମଝିରେ ପହଞ୍ଚିବାର ସମ୍ଭାବନା ରହିଛି  । ଏହି ସମୟରେ ପବନର ଘଣ୍ଟା ପ୍ରତି ବେଗ ୧୨୦ ରୁ ୧୨୫ କିଲୋମିଟର ରହିବ  ।

IMD ସୂଚନା ଅନୁସାରେ ବାତ୍ୟା ଦାନା ସ୍ଥଳଭାଗ ମୁହାଁ ହେଉଥିବାରୁ ଓଡିଶା ଓ ପଶ୍ଚିମବଙ୍ଗର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି  । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାତ୍ୟା ସମୀକ୍ଷା କରିଛନ୍ତି  । ବାତ୍ୟା ଦାନାର ପ୍ରଭାବ ଓଡିଶା, ପଶ୍ଚିମବଙ୍ଗ ସମେତ ବିହାର, ଝାଡଖଣ୍ଡ ପର୍ଯ୍ୟନ୍ତ ଦେଖିବାକୁ ମିଳିବ  ।

ଟାପୁରେ ଫସିଲେ ମତ୍ସ୍ୟଜୀବୀ

ମୟୂରଭଞ୍ଜ କପ୍ତିପଦା ବ୍ଲକ କାଳ ଡ୍ୟାମ ଭିତରେ ଟାପୁରେ ଫସିଲେ ମତ୍ସ୍ୟଜୀବୀ। ମାଛ ମାରିବାକୁ ଯାଇଥିବା ବେଳେ ପବନ ଓ ବର୍ଷା କାରଣରୁ କାଳ ଡ୍ୟାମ ଟାପୁରେ ଫସି ରହିଲେ ଯୁବକ। ଉଦ୍ଧାର କରିବାକୁ ଟାପୁରେ ପହଁଚିଲା ଓଡ୍ରାଫ ଟିମ ।

ଲ୍ୟାଣ୍ଡଫଲ ପରେ ଦୁର୍ବଳ ହେବ ବାତ୍ୟା ଦାନା

ଆଜି ମଧ୍ୟ ରାତ୍ରିରୁ କାଲି ସକାଳ ଭିତରେ ଲ୍ୟାଣ୍ଡଫଲ୍।ଉପକୂଳ ପାଖରେ ବା ନିକଟରେ ଜୁଆର ୨ ମିଟର ପର୍ଯ୍ୟନ୍ତ ଆସିବ। ଆଜି ରାତିରୁ କାଲି ସକାଳ ୯ ପର୍ଯ୍ୟନ୍ତ ସମୟ ଗୁରୁତ୍ୱପୂର୍ଣ୍ଣ। ଏହାର ପ୍ରଭାବରେ କେଉଁଝର , ମୟୂରଭଞ୍ଜ, ସୁନ୍ଦରଗଡ଼, ଅନୁଗୁଳ, ଢେଙ୍କାନାଳ, ଦେବଗଡ଼, ସମ୍ବଲପୁର, ବୌଦ୍ଧ,ନୟାଗଡ଼ରେ ବର୍ଷା ହୋଇପାରେ। ଏବେ ପାଇଁ ବାତ୍ୟା ଦୁର୍ବଳ ହେବାର କୌଣସି ସଂକେତ ନାହିଁ। ଭୀଷଣ ବାତ୍ୟା ରୂପରେ କରିବ ଲ୍ୟାଣ୍ଡଫଲ୍ ବା ଉପକୂଳ ଅତିକ୍ରମ କରିବ।

କମିଶନରେଟ ପୋଲିସ ଯୋଗାଇବ ଶୁଖିଲା ଖାଦ୍ୟ

ବାତ୍ୟା ‘ ଦାନା ‘ କୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ନିଜେ ପୋଲିସ କମିଶନର ବାତ୍ୟାର ତଦାରଖ କରୁଛନ୍ତି। କୌଣସି ପ୍ରକାର ବିପଦକୁ ଏଡ଼ାଇବା ପାଇଁ ଥାନାରେ ଥାନାରେ ଆବଶ୍ୟକତା ଠୁ ଅଧିକ ଫୋର୍ସ ମୁତୟନ କରାଯାଇଛି । ଏହାସହ ଗଛ କାଟିବା ପାଇଁ ଆବଶ୍ୟକୀୟ ମେସିନ, ଶୁଖିଲା ଖାଦ୍ୟ , ବିସ୍କୁଟ ଆଦି ମହଜୁଦ ରଖାଯାଇଛି । ତଳିଆ ଅଞ୍ଚଳ କିମ୍ବା ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ଉପରେ ନଜର ରଖାଯାଇଛି । ପକ୍କା ଘର ନଥିଲେ ସେମାନଙ୍କୁ ନିକଟସ୍ଥ ଛାତ ଘର, କଲ୍ୟାଣମଣ୍ଡପ , ବାତ୍ୟା ଆଶ୍ରୟସ୍ଥଳୀ , କମ୍ୟୁନିଟି ସେଣ୍ଟରକୁ ସ୍ଥାନାନ୍ତର କରାଯିବା ପାଇଁ ବ୍ୟବସ୍ଥା ହୋଇଛି ।

ଆଜି ସନ୍ଧ୍ୟାରୁ କାଲି ଯାଏଁ ବିମାନ ଚଳାଚଳ ବନ୍ଦ

ଭୁବନେଶ୍ୱରରେ ପବନ ବେଗ 35-40 MPH ରୁ ଅଧିକ ରହିବା ନେଇ ପାଣିପାଗ ସୂଚନା ରହିଛି । ଯାହା ବିମାନ ଉଡିବା ପାଇଁ ସୁରକ୍ଷିତ ନୁହେଁ । ଗତକାଲି ରାତିରେ ଏ ନେଇ ଜରୁରୀକାଳୀନ ବୈଠକ ବସିଥିଲା । ତେଣୁ ସବୁ ଅଂଶୀଦାର ନିଷ୍ପତ୍ତି ନେଲୁ ଯେ ଆଜି ସନ୍ଧ୍ୟା ୫ ଟାରୁ ଆସନ୍ତାକାଲି ସକାଳ ୯ଟା ଯାଏଁ ବିମାନ ସେବା ବନ୍ଦ ରହିବ । କାଲି ସକାଳେ ପୁଣି ସମୀକ୍ଷା ହେବା ପରେ  ବିମାନ ଚଳାଚଳ ନେଇ ନିଷ୍ପତ୍ତି ନିଆଯିବ ବୋଲି କହିଲେ ବିମାନ ବନ୍ଦର କର୍ତ୍ତୃପକ୍ଷ  ।

କଳାବଜାରୀ ରୋକିବାକୁ ଚଢାଉ

ବ୍ୟତ୍ୟା ସମୟର କଳାବଜାରୀ ରୋକିବା ପାଇଁ ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳରେ ଥିବା ଗ୍ୟାସ ଡିପୋ, ଆଳୁ ଗୋଦାମ, ଗ୍ରସରୀ ଦୋକାନ ଉପରେ ତହସିଲ ଓ ଯୋଗାଣ ବିଭାଗ ପକ୍ଷରୁ ଚଢାଉ।

ମୟୂରଭଞ୍ଜରେ ୨୫ ହଜାରରୁ ଉର୍ଦ୍ଧ୍ବ ସ୍ଥାନାନ୍ତରଣ

ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ବର୍ତ୍ତମାନ ସୁଦ୍ଧା ମୟୂରଭଞ୍ଜ ଜିଲ୍ଲାରେ ବିଭିନ୍ନ ଅଂଚଳରେ ୪୦୦ରୁ ଉର୍ଦ୍ଧ୍ବ ବାତ୍ୟା ଆଶ୍ରୟସ୍ଥଳୀ କରାଯାଇଛି। ସମଗ୍ର ଜିଲ୍ଲାରେ ଥିବା ୧୦ ଗୋଟି ସ୍ଥାୟୀ ଆଶ୍ରୟସ୍ଥଳୀ ସମେତ ବିଭିନ୍ନ ଅଂଚଳରେ ହୋଇଥିବା ଅସ୍ଥାୟୀ ଆଶ୍ରୟସ୍ଥଳୀ କରାଯାଇଛି  । ମଧ୍ୟାହ୍ନ ସୁଦ୍ଧା ୨୫ ହଜାରରୁ ଉର୍ଦ୍ଧ୍ବ ଜନସାଧାରଣଙ୍କୁ ସ୍ଥାନାନ୍ତରୀକରଣ କରାଯାଇଛି।

ସ୍ଥାନାନ୍ତର ହେବେ ୬୦ ହଜାର ପଶୁ 

ପ୍ରାଣୀ ସମ୍ପଦର ସୁରକ୍ଷା ଗୁରୁତ୍ୱପୂର୍ଣ  । ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡିକରେ ୬୦ ହଜାର ପଶୁଙ୍କୁ ଆଶ୍ରୟ ସ୍ଥଳୀକୁ ଅଣାଯିବାପାଇଁ ବ୍ୟବସ୍ଥା ହୋଇଛି  । ୧ ହଜାର ଟନ ଗାଈ ଗୋରୁ ଆଶ୍ରୟ ସ୍ଥଳୀ ହୋଇଛି  । ୧ ହଜାର କୁଣ୍ଡା ଓ ଡ୍ରାଏ ଫୁଡ ବ୍ୟବସ୍ଥା ହୋଇଛି  । ପଶୁ ଅସୁସ୍ଥ ବା ଆଘାତ ହେଲେ ୧୯୬୨ କୁ ଯୋଗାଯୋଗ କରିବାକୁ ନିବେଦନ କରିଛି ପ୍ରଶାସନ  ।

ଚାନ୍ଦବାଲିରେ କରିବ ଲ୍ୟାଣ୍ଡଫଲ୍‌

ବାରମ୍ବାର ଦିଗ ବଦଳାଉଛି ବାତ୍ୟା ଦାନା  । ଦାନା ଏକଜାଟ୍‌ କେଉଁଠି ଲ୍ୟାଣ୍ଡଫଲ କରିବ ଏପର୍ଯ୍ୟନ୍ତ ସଠିକ ସୂଚନା ଦେଇନାହିଁ ଆଇଏମଡି  । ଖବର ଲେଖାଯିବା ସୁଦ୍ଧା ବାତ୍ୟା ଦାନା ଚାନ୍ଦବାଲିରେ ଲ୍ୟାଣ୍ଡଫଲ୍‌ କରିବ ବୋଲି ଆଇଏମଡି ସୂଚନା ଦେଇଛି  ।

ଦଶ ଲକ୍ଷରୁ ଅଧିକ ଲୋକ ସ୍ଥାନାନ୍ତରଣ

ଖବର ଲେଖାଯିବା ସୁଦ୍ଧା ପାଖାପାଖି ୧୦ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତରଣ କରାଗଲାଣି  । ଲ୍ୟାଣ୍ଡଫଲ୍‌ ବେଳେ ପବନର ବେଗ ଘଣ୍ଟାପ୍ରତି ୧୨୦ ରୁ ୧୨୫ କିଲୋମିଟର ରହିବ  ।

ରାତି ସୁଦ୍ଧା ଓଡିଶା ପଶ୍ଚିମବଙ୍ଗରେ ପ୍ରବଳ ବର୍ଷା

ଗତ ୬ ଘଣ୍ଟାରେ ଘଣ୍ଟାପ୍ରତି ୧୨ କିଲୋମିଟର ବେଗରେ ଗତି କରୁଛି ବାତ୍ୟା  । ଆଜି ମଧ୍ୟରାତ୍ରିରୁ ଅକ୍ଟୋବର ୨୫ ସକାଳ ସୁଦ୍ଧା ସ୍ଥଳଭାଗ ଛୁଇଁବ ବାତ୍ୟା  । ପବନର ବେଗ ଧୀରେ ଧୀରେ ବଢିବା ସହ ରାତିରେ ବେଗ ଅଧିକ ରହିବ  ।

ଭଦ୍ରକ, କେନ୍ଦ୍ରାପଡାରେ ଉଦ୍ଧାରକାର୍ଯ୍ୟ ଜାରି

ବାତ୍ୟା ଦାନା ଆସିବା ପୂର୍ବରୁ ଲୋକଙ୍କୁ ଆଶ୍ରୟସ୍ଥଳରେ ପହଞ୍ଚାଉଛି ପ୍ରଶାସନ  । କିଛି ଲୋକେ ବାତ୍ୟା ଆଶ୍ରୟସ୍ଥଳକୁ ନିଜେ ଆସୁଥିବା ବେଳେ ଆଉ କିଛି ଲୋକଙ୍କୁ ଘରୁ ଆଣିବା ପାଇଁ ପ୍ରୟାସ ଚଳାଇଛି ପୋଲିସ  ।