ଘନୀଭୂତ ହୋଇ ସ୍ଥଳଭାଗ ମୁହାଁ ବାତ୍ୟା ‘ଆସାନୀ’

1 min read

ଭୁବନେଶ୍ୱର: ବାତ୍ୟାର ରୂପ ନେଲା ଦକ୍ଷିଣ ଆଣ୍ଡାମାନ୍ ସାଗରରେ ସୃଷ୍ଟ ଗଭୀର ଅବପାତ । ଘନୀଭୂତ ହୋଇ ସ୍ଥଳଭାଗ ମୁହାଁ ବାତ୍ୟା ଆସାନୀ । ସନ୍ଧ୍ୟା ସୁଦ୍ଧା ଭୀଷଣ ବାତ୍ୟାରେ ପରିଣତ ହେବା ସମ୍ବାବନା ।  ୬ଘଣ୍ଟା ଧରି ଘଣ୍ଟା ପ୍ରତି ୧୬ କିମି ବେଗରେ ଉତ୍ତର -ପଶ୍ଚିମ ଦିଗରେ ଗତି କରୁଛି ବାତ୍ୟା । ପୁରୀ ଠାରୁ ୧୦୨୦ କିମି ଦକ୍ଷିଣ-ଦକ୍ଷିଣ-ପୂର୍ବ ରେ କେନ୍ଦ୍ରୀଭୂତ  ହୋଇଛି ।

ସେହିପରି ବିଶାଖାପାଟଣା ଠାରୁ ୯୭୦ କିମି ଦକ୍ଷିଣ ପୂର୍ବ ଦିଗରେ ରହିଛି ବାତ୍ୟା ଆସାନୀ । ୧୦ ତାରିଖ ସନ୍ଧ୍ୟା ଯାଏଁ ଏହା ଉତ୍ତରପଶ୍ଚିମ ଦିଗରେ ଗତିକରିବ । ଏହି ସମୟରେ ସମୁଦ୍ର ଅଶାନ୍ତ ରହିବା ସହିତ ପବନର ବେଗ ମଧ୍ୟ ବଢିଛି । ଏହାକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି । ଯେଉଁମାନେ ବି ସମୁଦ୍ର ମଧ୍ୟରେ ଅଛନ୍ତି ସମସ୍ତେ ଆଜି ଫେରି ଆସିବାକୁ ନିର୍ଦ୍ଦେଶ ଦେଇଛି ପାଣିପାଗ କେନ୍ଦ୍ର ।

ତେବେ ବାତ୍ୟା ପ୍ରଭାବରେ ୧୦ ତାରିଖରୁ ଓଡିଶା ଉପକୂଳ ରେ ଆରମ୍ଭ ହେବ ବର୍ଷା । ୧୧ ତାରିଖରେ  ବର୍ଷାର ପରିମାଣ ବଢିବ ଏବଂ ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କଟକ ଓ ଜଗତସିଂହପୁର ରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଉପକୂଳ ଦେଇ ସମାନ୍ତରାଳ ଭାବେ ଆନ୍ଧ୍ର ଏବଂ ଓଡିଶା ଉପକୂଳ ଦେଇ ଗତିକରିବ ବାତ୍ୟା । ଏହି ସମୟରେ ଘଣ୍ଟାପ୍ରତି ୫୦ ରୁ ୬୦ କିଲୋମିଟର ବେଗରେ ବହିବ ପବନ ବୋଲି ସୂଚନା ଦେଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର ।