ଟ୍ରାକ୍ ବଦଳାଉଛି ‘ଅସାନି’, କାକିନାଡ଼ା ପାଖରେ ଛୁଇଁପାରେ ସ୍ଥଳଭାଗ

1 min read
Cyclone Asani Changes Track, May Landfall Near Kakinada Of Andhra Pradesh

ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା ‘ଅସାନି’ । ବାତ୍ୟା ଏବେ କାକିନାଡ଼ା ଠାରୁ ଦକ୍ଷିଣ-ଦକ୍ଷିଣ ପୂର୍ବ ଦିଗରେ ୨୦୦ କିଲୋମିଟ ଏବଂ ବିଶାଖାପାଟ୍ଟଣମ ଠାରୁ ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗରେ ୩୦୦ କିଲୋମିଟର ଦୂରରେ ରହିଛି ବାତ୍ୟା । ଏନେଇ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା । ତେବେ ପାଣିପାଗ ବିଭାଗର ଆକଳନ ଠାରୁ ଏବେ ବାତ୍ୟାର ସ୍ଥିତି ଓ ଗତିପଥରେ ପରିବର୍ତ୍ତନ ଆସିଛି । ଏବେ ମିଳିଥିବା ତଥ୍ୟ ଅନୁସାରେ, ବାତ୍ୟା ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ଗତି କରି କାକିନାଡ଼ା ପାଖାପାଖି ସ୍ଥଳଭାଗ ଛୁଇଁପାରେ ।

ସ୍ଥଳଭାଗ ଛୁଇଁବା ପୂର୍ବରୁ ବାତ୍ୟା ରିକର୍ଭ କରିପାରେ । ‘ଅସାନି’ ଉତ୍ତର-ଉତ୍ତର ପୂର୍ବ ଦିଗକୁ ରିକର୍ଭ କରି ବିଶାଖାପାଟ୍ଟଣମ୍ ଦେଇ ଯିବ । ବିଶାଖାପାଟ୍ଟଣମ ଅତିକ୍ରମ ପରେ ବାତ୍ୟା ପୁଣି ରିକର୍ଭ କରି ସମୁଦ୍ର ଭିତରକୁ ପଳାଇବ ବୋଲି ଆଇଏମଡି ଆକଳନ କରିଛି । ବାତ୍ୟା ୧୩ ତାରିଖ ସକାଳ ପର୍ଯ୍ୟନ୍ତ ଓଡ଼ିଶା ଉପକୂଳ ପହଞ୍ଚିବ ନାହିଁ । ତେବେ ବାତ୍ୟା ସମୁଦ୍ର ଭିତରକୁ ଯିବା ପରେ ଗତିପଥ କଣ ରହିବ ଆକଳନ ହୋଇନାହିଁ । ପ୍ରଭାବରେ ଓଡ଼ିଶାରେ ଅଧିକ ପବନ ହେବ ନାହିଁ ବୋଲି କହିଛନ୍ତି ଏସଆରସି ।

Cyclone Asani Changes Track, May Landfall Near Kakinada Of Andhra Pradesh

ତେବେ ଆନ୍ଧ୍ରର କାକିନାଡ଼ା ପାଖାପାଖି ‘ଅସାନି’ ସ୍ଥଳଭାଗ ଛୁଇଁଲେ ଓଡ଼ିଶା ଉପରେ ପବନର ପ୍ରଭାବ ରହିବ ନାହିଁ । ଗଞ୍ଜାମ, ପୁରୀ, ଜଗତସିଂହପୁର, କଟକ, ଖୋର୍ଦ୍ଧା, କଟକ, ମାଲକାନଗିରି, କୋରାପୁଟ, ଗଜପତି ଜିଲ୍ଲାରେ ବର୍ଷା ହେବ । ଆସନ୍ତାକାଲି ଗଜପତି, ମାଲକାନଗିରି, କୋରାପୁଟ, ରାୟଗଡ଼ା ଆଦି ଜିଲ୍ଲାରେ ଅଧିକ ବର୍ଷା ହେବ । ମଧ୍ୟମରୁ ପ୍ରବଳ ବର୍ଷା ୧୩ ତାରିଖ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାରେ ହେବ ବୋଲି କହିଛନ୍ତି ଏସଆରସି ପ୍ରଦୀପ ଜେନା ।

ମାଲକାନଗିରିରେ ୬ଟି ଓଡ୍ରାଫ୍ ଟିମ୍, ୧୩ଟି ଫାୟାର ଟିମ୍ ରହିବେ । କୋରାପୁଟରେ ୬ଟି ଓଡ୍ରାଫ୍ ଟିମ୍ ସହ ୧୩ଟି ଫାୟାର ଟିମ୍ ରହିବେ । ଗଞ୍ଜାମରେ ୬ଟି ଓଡ୍ରାଫ୍ ଟିମ୍ ସହ ୩୦ଟି ଫାୟାର ଟିମ୍ ରହିବେ । ଗଜପତି ଓ ରାୟଗଡ଼ାରେ ୩ଟି ଓଡ୍ରାଫ୍ ଟିମ୍ ସହ ୧୦ଟି ଫାୟାର ଟିମ୍ ରହିବେ । ଆବଶ୍ୟକତା ଅନୁଯାୟୀ ସ୍ଥାନାନ୍ତରଣ କରାଯିବ । ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ କରାଯାଇଛି । ସରକାରଙ୍କ ଉପଦେଶ ନମାନି ସମୁଦ୍ରକୁ ଗଲେ ବିପର୍ଯ୍ୟୟ ଆଇନ୍ ସହ ପ୍ରଶାସନ କାର୍ଯ୍ୟାନୁଷ୍ଠା ନେବ । ଏନେଇ ସଚେତନତା ପାଇଁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି ।