ପାରାଦୀପ ଠାରୁ ଦକ୍ଷିଣରେ ୪୨୦ କିମି ଦୂରରେ ‘ଅମ୍ଫାନ’

1 min read

ଭୁବନେଶ୍ୱର: ମହାବାତ୍ୟା ‘ଅମ୍ଫାନ’ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ଉତ୍ତର-ଉତ୍ତରପୂର୍ବ ଦିଗକୁ ଗତି କରୁଛି । ବିଗତ ୬ ଘଣ୍ଟା ହେଲା ଅତି ଭୀଷଣ ବାତ୍ୟା ରୂପରେ ‘ଅମ୍ଫାନ’ ଗତି କରୁଥିବା ବେଳେ ବେଗ ରହିଛି ଘଣ୍ଟାପ୍ରତି ୧୭ କିମି । ଏବେ ଏହା ପାରାଦୀପ ଠାରୁ ଦକ୍ଷିଣରେ ୪୨୦ କିମି ଦୂରରେ ଥିବା ବେଳେ ପଶ୍ଚିମବଙ୍ଗ ଦୀଘାରୁ ଦକ୍ଷିଣ ଦକ୍ଷିଣ-ପଶ୍ଚିମ ଦିଗରେ ୫୭୦ କିମି ଦୂରରେ ରହିଛି । ବାଂଲାଦେଶର ଖେପୁରିଆ ଠାରୁ ଦକ୍ଷିଣ ଦକ୍ଷିଣ-ପଶ୍ଚିମ ଦିଗରେ ୭୦୦ କିମି ଦୂରରେ ରହିଛି ‘ଅମ୍ଫାନ’ ।

ଏହା ଉତ୍ତର ଉତ୍ତର-ପୂର୍ବ ଦିଗକୁ ଗତି କରି ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ପଶ୍ଚିମବଙ୍ଗ ଓ ବାଂଲାଦେଶ ମଧ୍ୟରେ ଅତିକ୍ରମ କରିବ । ପଶ୍ଚିମବଙ୍ଗର ଦୀକ୍ଷା ଓ ବାଂଲାଦେଶର ହତିଆ ମଧ୍ୟରେ ଏହା ୨୦ ତାରିଖ ଅପରାହ୍ଣ କିମ୍ବା ସନ୍ଧ୍ୟାରେ ଅତିକ୍ରମ କରିବ । ସେତେବେଳେ ପବନର ବେଗ ଘଣ୍ଟାପ୍ରତି ୧୫୫ରୁ ୧୬୫ କିମି ରହିବା ସହ ବେଳେବେଳେ ପବନ ୧୮୫ କିମି ବେଗରେ ବହିବ । ଏବେ ବିଶାଖାପାଟନମ ଡପଲର ୱେଦର ରାଡାରରୁ ‘ଅମ୍ଫାନ’ ଉପରେ ନଜର ରଖାଯାଉଛି ।

ପ୍ରଭାବରେ ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ  ସହ ଯାଜପୁର, ବାଲେଶ୍ୱର, କଟକ, ମୟୂରଭଞ୍ଜ, ଖୋର୍ଦ୍ଧା ଓ ପୁରୀରେ ଆଜି ପ୍ରବଳ ବର୍ଷା ହୋଇପାରେ । ୨୦ ତାରିଖରେ ଉତ୍ତର ଓଡ଼ିଶାର ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, ଯାଜପୁର, କେନ୍ଦ୍ରାପଡ଼ା ଓ କେନ୍ଦୁଝରରେ ଅତି ପ୍ରବଳ ବର୍ଷା ହେବ ।

ଦକ୍ଷିଣ ଓଡ଼ିଶାରେ ପବନର ବେଗ ୪୦ ଓ ୪୫ କିମି ସହ ଘଣ୍ଟାପ୍ରତି ୬୦ କିମି ରହିପାରେ । ୨୦ ତାରିଖରେ ଉତ୍ତର ଓଡ଼ିଶା ଉପକୂଳରେ ପବନ ଘଣ୍ଟାପ୍ରତି ୭୫ରୁ ୮୫ କିମି ବେଗରେ ବହିବା ସହ ବେଳେବେଳେ ୯୫ କିମି ରହିବ । ପଶ୍ଚିମବଙ୍ଗର ପୂର୍ବ ଓ ପଶ୍ଚିମ ମେଦିନିପୁର, ସାଉଥ ଓ ନର୍ଥ ୨୪ ପ୍ରଗଣା, ହାୱଡ଼ା, ହୁଗଳି, କୋଲକାତାରେ ପ୍ରବଳ ବର୍ଷା ସହ ପବନରେ ବେଗ ୧୧୦ରୁ ୧୨୫ କିମି ଘଣ୍ଟା ପ୍ରତି ରହିବ । ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ପ୍ରବେଶ ବାରଣ କରାଯାଇଛି । ସମୁଦ୍ର ଜୁଆର ୪ରୁ ୫ ମିଟର ପର୍ଯ୍ୟନ୍ତ ବଢ଼ିପାରେ ।

ମହାବାତ୍ୟାରୁ ଅତି ଭୀଷଣ ବାତ୍ୟାରେ ପରିଣତ ହେଲା ‘ଅମ୍ଫାନ’

Leave a Reply