ପେଟିଏମ୍ ଅପଡେଟ୍ କରିବା ନାଁରେ ୪ ଲକ୍ଷ ୧୦ ହଜାର ଲୁଟିନେଲା ଲୁଟେରା
![](https://nandighoshatv.com/wp-content/uploads/2025/02/vlcsnap-2025-02-10-19h15m02s904-1024x576.png)
ଭୁବନେଶ୍ବର : ଟିକେଟ୍ କାଉଣ୍ଟର ମାଲିକଙ୍କୁ ଠକିଦେଲା ଠକ । ଫୋନ ପେ’ ଅପଡେଟ ନାଁ ରେ ନେଇଗଲା ୪ ଲକ୍ଷ । ଅଦୃଶ୍ୟ ନୁହେଁ, ଦୃଶ୍ୟମାନ ହୋଇ ଲୁଟିଲା ଟଙ୍କା । ସାଇବର ସୈତାନଙ୍କ କବ୍ଜାରେ ଭୁବନେଶ୍ୱର ସହର । ଉଠା ଦୋକାନୀଙ୍କ ଠାରୁ ଆରମ୍ଭ କରି ବଡ଼ ବଡ଼ ସୋରୁମ । ସଭିଙ୍କୁ ପାଖରେ ଫୋନ ପେ । କିନ୍ତୁ ଏହି ଫୋନ ପେ ବ୍ୟବହାର କରୁଥିବା ଦୋକାନୀ ଏବେ ନିଆରା ଢଙ୍ଗରେ ଠକେଇର ଶିକାର ହୋଇଛନ୍ତି । ଇଏ ହେଉଛନ୍ତି କଟକ ସଦର ଅନ୍ତର୍ଗତ ବ୍ରାହ୍ମଣଖଣ୍ଡ ଗାଁ ର ପ୍ରଶାନ୍ତ ମହାପାତ୍ର । ଦୀର୍ଘବର୍ଷ ତଳୁ ବାଣୀବିହାର ଅଞ୍ଚଳରେ ବସ ଟିକେଟ କାଉଣ୍ଟର କରି ପରିବାର ପ୍ରତିପୋଷଣ କରନ୍ତି । ଡିଜିଟାଲ ପେମେଣ୍ଟ ପାଇଁ ପାଖରେ ଫୋନ ପେ ରଖିଛନ୍ତି । ଦିନକ ତଳେ ଜଣେ ଯୁବକ ନିଜକୁ ଫୋନ ପେ’ କର୍ମଚାରୀ କହିବା ସହ ଦୋକାନ ନିକଟରେ ପହଁଚି କେୱାଇସି ଅପଡେଟ ପାଇଁ କହିଥିଲେ । ସମସ୍ତ କାଗଜପତ୍ର ସଂଗ୍ରହ କରିବା ପରେ ଚତୁରତାର ସହ ସାଢ଼େ ୩ ଲକ୍ଷର ଏକ ଲୋନ ସହ ଆଉ ୬୦ ହଜାର ନିଜ ଆକାଉଣ୍ଟକୁ ନେଇଯାଇଥିଲେ । ଅଦୃଶ୍ୟ ନୁହେଁ, ବରଂ ୪ ଲକ୍ଷ ୧୦ ହଜାର ଦୃଶ୍ୟମାନ ହେଉଥିବା ଠକ ଲୁଟିନେବା ପରେ ଏବେ ସହିଦନଗର ଥାନା ଓ ସାଇବର ଥାନାର ଦ୍ୱାରସ୍ଥ ହୋଇଛନ୍ତି ଦୋକାନୀ ।
ଫୋନ ପେ’ ଅଫିସରୁ ମିଳିଥିବା ସୂଚନା ମୁତାବକ ଠକ ଯୁବକ ଜଣଙ୍କ ଦୁଇ ମାସ ତଳୁ ଚାକିରି ଛାଡିସାରିଛି । କିନ୍ତୁ ନିଜକୁ କର୍ମଚାରୀ କହି ଏଭଳି ଚୂନ ଲଗାଉଛି । ଏ ନେଇ ସଂସ୍ଥା ପକ୍ଷରୁ ପୋଲିସକୁ ଜଣାଯାଇଛି । ଫେକ୍ ଆଇଡେଣ୍ଟିଟି କାର୍ଡ ଦେଖାଇ ଲୋକଙ୍କୁ ଠକିଥିବା ପୋଲିସ ମଧ୍ୟ ଜାଣିବାକୁ ପାଇଛି । ୨୦୨୪ରେ ସାଇବର ଠକେଇ ସମ୍ପର୍କିତ ୭ ହଜାର ୨୬୩ ମାମଲା ରୁଜୁ ସହ ୮୨ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଠକେଇ ହୋଇଛି । ଟୋଲ ଫ୍ରି ନମ୍ବର ୧୯୩୦ ଜାରି ହୋଇଛି । କିନ୍ତୁ ଏହି ନମ୍ବରରେ କଲ କଲେ କୌଣସି ସୁଫଳ ମିଳୁନଥିବା ବେଳେ ଥାନାରୁ ମଧ୍ୟ ନିରାଶ ହେବାକୁ ପଡିଛି । ଡିଜିଟାଲ ଇଣ୍ଡିଆ କରିବା ଆଳରେ ଲୋକଙ୍କ ସର୍ବନାଶ ଘଟୁଥିବା କଥା କ୍ଷୋଭର ସହ କହିଛନ୍ତି ସ୍ଥାନୀୟ ଲୋକେ । ସାଇବର ଅପରାଧ ସଚେତନତା ନେଇ ଶତଚେଷ୍ଟା ସତ୍ତ୍ୱେ ମଧ୍ୟ ସହରରେ ସାଇବର ସୈତାନଙ୍କ ସଂଖ୍ୟା ବଢିବା ଘଟଣା ପୋଲିସ ପାଇଁ ବଢ଼ାଇଛି ମୁଣ୍ଡବିନ୍ଧା ।