ଏ କ୍ଲାସ କଣ୍ଟ୍ରାକ୍ଟରଙ୍କୁ ଶ୍ରମିକ ଦେବା ନାଁରେ ୬୬ ହଜାର ଟଙ୍କା ଲୁଟ୍‌

ଭୁବନେଶ୍ୱର: ସାଇବର ଠକର ଚିଟିଂ ସ୍କ୍ରିପଟ । ଏ କ୍ଲାସ କଣ୍ଟ୍ରାକ୍ଟରଙ୍କୁ ଶ୍ରମିକ ଦେବା ନାଁରେ 66 ହଜାର ଟଙ୍କା ଲୁଟ୍‌ । ଭୁବନେଶ୍ବର ସାଇବର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଠିକାଦାର । ମୁର୍ସିଦାବାଦରୁ ଶ୍ରମିକ ପଠାଉଛି କହି ଠିକାଦାରଙ୍କୁ ଫୋନ୍ କରିଥିଲା ଠକ । ପ୍ରଥମେ ୫ ହଜାର ଟିକେଟ ପାଇଁ ଆଡଭାନ୍ସ ନେଇଥିଲା । ଶ୍ରମିକ ପିଛା ଖର୍ଚ୍ଚ ବାବଦକୁ ନେଇଥିଲା ଆଉ ୧୫ ହଜାର ଟଙ୍କା । କିଛି ସମୟ ପରେ ରେଳବାଇ ପୋଲିସ ହାବୁଡ଼ରେ ପଡି ଯାଇଥିବା କହି ଫାଇନ ବାବଦରେ ୩୩ ହଜାର ନେଇଥିଲା ।

ଠିକାଦାର ୩୩ ହଜାର ଟଙ୍କା ପଠାଇ ସାରିବା ପରେ ଟ୍ରାନଜାକ୍ସନ ଲିମିଟ ସରିଯାଇଥିବା କହି ଆଉ ୧୩ ହଜାର ଟଙ୍କା ରେଳବାଇ ପୋଲିସ ଅଧିକାରୀଙ୍କ ଆକାଉଣ୍ଟକୁ ପଠାଇବାକୁ କହିଥିଲା । ସମସ୍ତ ଟଙ୍କା ଦେଇ ସାରିବା ପରେ କିଷାନଗଞ୍ଜ ଷ୍ଟେସନରେ ମାଜିଷ୍ଟ୍ରେଟ ତଦନ୍ତ ଚାଲୁଥିବା କହି ଆଉ ୩୦ ହଜାର ଟଙ୍କା ମାଗିଥିଲା ଠକ । ତେବେ ଠିକାଦାରଙ୍କ ସନ୍ଦେହ ହେବାରୁ ଜଣେ ସମ୍ପର୍କୀୟ ରେଳ ଅଧିକାରୀଙ୍କ ଜରିଆରେ ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ଅନୁରୋଧ କରିଥିଲେ । ଏଭଳି କିଛି ହୋଇ ନଥିବା ଜାଣିବା ପରେ ଭୁବନେଶ୍ବର ସାଇବର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଠିକାଦାର ନିତ୍ୟାନନ୍ଦ ପାଢ଼ୀ । ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ସାଇବର ଥାନା ପୋଲିସ ।