କଟକରେ ସେକ୍ସଟର୍ସନ ଅଭିଯୋଗ : ନାଇଜେରିଆ ନାଗରିକ ଗିରଫ

ନନ୍ଦିଘୋଷ ବ୍ୟୁରୋ :କଟକରେ ସେକ୍ସଟର୍ସନ ଅଭିଯୋଗ । ଏଥିରେ ଜଣେ ନାଇଜେରିଆ ନାଗରିକ ଗିରଫ ହୋଇଛି । ମୁଖ୍ୟ ଅଭିଯୁକ୍ତ ନାଇଜେରିଆ ନାଗରିକ ଜେ.ଜେ.ରେହେମାନ ଓରଫ ଜନ ହୋକିଆକୁ ଗିରଫ କଲା କଟକ କମିଶନରେଟ ପୋଲିସ । ଲୋକାଲ ପୋଲିସ ସହାୟତାରେ ଦିଲ୍ଲୀର ଉତ୍ତମନଗରରୁ ତାକୁ ଗିରଫ କରିଛି ପୋଲିସ୍ । ପୋଲିସ ତା ନିକଟରୁ ଗୋଟିଏ ଲାପଟପ୍, ୫ଟି ମୋବାଇଲ, ୮ ସିମ୍ କାର୍ଡ ସହ ଲଣ୍ଡନରେ ବ୍ୟବହୃତ ସିମକାର୍ଡ ଜବତ କରିଛି ।
ଅଭିଯୁକ୍ତର ଡାଟାବେସରେ ରହିଛି ହାଇପ୍ରୋଫାଇଲ ମହିଳାଙ୍କ ପ୍ରୋଫାଇଲ । ଲ୍ଯାପଟପରେ ବିଭିନ୍ନ ଦେଶର ୩ହଜାର ନାଗରିକଙ୍କ ମୋବାଇଲ ନମ୍ବର, ପ୍ରୋଫାଇଲ ଥିବା ପୋଲିସ ଜାଣିବାକୁ ପାଇଛି । କଟକ ଦରଘାବଜ଼ାର ଅଞ୍ଚଳର ଜଣେ ମହିଳା ଡାକ୍ତରଙ୍କ ଅଶ୍ଲୀଳ ଫଟୋ ଓ ଭିଡ଼ିଓ ଭାଇରାଲ କରିବା ଧମକ ଦେଇ ବ୍ଲାକମେଲ କରି ଟଙ୍କା ମାଗୁଥିଲା। ଲକ୍ଷାଧିକ ଟଙ୍କା ନେବାପରେ ମଧ୍ୟ ବିଦେଶୀ ନାଗରିକ ଜଣକ ଆଉ ଟଙ୍କା ମାଗିଥିଲା । ହେଲେ ପୀଡିତ ମହିଳା ଡାକ୍ତର ଟଙ୍କା ନଦେବାରୁ ତାଙ୍କ ଫଟୋ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ କରିଦେଲା । ଏହାପରେ ପୀଡିତା ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିଲେ । ପରିବାର ଲୋକ ଏ ନେଇ ଦରଘା ବଜ଼ାର ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ଟିମ ଗଠନ କରି ଦିଲ୍ଲୀରୁ ନାଇଜେରିଆ ଯୁବକକୁ ଗିରଫ କରିଛି। ଅଧିକ ତଦନ୍ତ ପାଇଁ ତାକୁ ଖୁବଶୀଘ୍ର ରିମାଣ୍ଡରେ ଅଣାଯିବ ବୋଲି କହିଛନ୍ତି ଡିସିପି ।