ମହଙ୍ଗା ପଡିଲା BSKY କାର୍ଡରେ କାରସାଦି, ନର୍ସିଂହୋମ୍ ଉପରେ ହେବ କାର୍ଯ୍ୟାନୁଷ୍ଠାନ

କଟକ : ମହଙ୍ଗା ପଡିଲା କାରସାଦି । ସ୍ବାସ୍ଥ୍ୟସେବାରେ ବରଦାନ ସାଜିଥିବା ବିଏସକେଓ୍ବାଇ କାର୍ଡରେ କାରସାଦି କରିବା ଘଟଣାରେ କଟକର ସାଉଥ ପଏଣ୍ଟ ନର୍ସିଂ ହୋମକୁ ମହଙ୍ଗା ପଡିଛି । ବେଆଇନ କାର୍ଯ୍ୟକଳାପ ବିରୋଧରେ ରାଜ୍ୟ ସରକାର ନେଇଛନ୍ତି କଡ଼ା ଆକ୍ସନ । ଚିକିତ୍ସା ବାବଦରେ କାର୍ଡ ହାତେଇ ଟଙ୍କା ହଡ଼ପ ଘଟଣାରେ ହସପିଟାଲ ମାଲିକ ବିନୟ ଶନ୍ତୁକାଙ୍କ ସମେତ ୫ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ପରେ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ଗତକାଲି ସାଉଥ ପଏଣ୍ଟ ସମେତ ଏକକାଳୀନ ୩ଟି ସ୍ଥାନରେ ହୋଇଥିଲା ଜିଏସଟି ରେଡ୍ । ହସପିଟାଲ ମାଲିକଙ୍କ ଘର, ମିରାଜ ଫାର୍ମାସ୍ୟୁଟିକାଲରେ ମଧ୍ୟ ଚଢ଼ାଉ କରିଛି ୧୦ ଜଣିଆ ଟିମ୍ । ରେଡ୍ ବେଳେ ଖୋଲିଛି ନର୍ସିଂହୋମର ଠକେଇ ଗୁମର । ଖାନନଗରରେ ଥିବା ସାଉଥ ପଏଣ୍ଟ ନର୍ସିଂହୋମ ବେଆଇନ ଭାବେ ନିର୍ମାଣ ହୋଇଥିବା ଜଣାପଡିଛି । ଏନେଇ ଆଜି ସିଏମସି ପକ୍ଷରୁ ସେହି ସବୁ ବେଆଇନ୍ ନିର୍ମାଣ ଭଙ୍ଗାଯିବ । ନର୍ସିଂହୋମର ଜିଏସଟି ବାତିଲ କରି ମେଡିସିନ ଷ୍ଟୋର ନାମରେ ପଞ୍ଜିକୃତ କରାଯାଇଥିଲା । ୨୦୧୮ରେ ନର୍ସିଂହୋମର ଜିଏସଟି ମାସେ ପାଇଁ ହୋଇଥିଲା । ଏହାପରେ ଏହି ଜିଏସଟି ନମ୍ବରକୁ ମେଡିସିନ ଷ୍ଟୋର ନାଁରେ କରାଯାଇଥିଲା । ସେବେଠାରୁ ବିନା ଜିଏସଟିରେ ନର୍ସିଂହୋମ ଚାଲିଥିଲା । ତେବେ କେତେ ଟଙ୍କାର ଠକେଇ ହୋଇଛି, ସେନେଇ ତଦନ୍ତ ଜାରି ରହିଛି ।

ନର୍ସିଂହୋମ ଲୋକଙ୍କୁ ଚିକିତ୍ସା ଦେବା ବାହାନାରେ ସରକାରୀ ରାଜକୋଷ ଲୁଟୁଥିଲା । ବିଏସକେଓ୍ବାଇ ହିତାଧିକାରୀଙ୍କଠୁ କାର୍ଡ ନେଇ ହେରଫେର ଚଳାଇଥିଲା । ଏନେଇ ଅଭିଯୋଗ ପରେ କଟକ ବୟାଳିଶ ମୌଜାର ସାଉଥ ପଏଣ୍ଟ ନର୍ସିଂହୋମ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଥିଲେ ରାଜ୍ୟ ସରକାର । ନର୍ସିଂହୋମକୁ ବିଏସକେଓ୍ବାଇ ପ୍ୟାନେଲରୁ ବାହାର କରିଦିଆଯାଇଛି । ଦାୟିତ୍ବରେ ଥିବା ସ୍ବାସ୍ଥ୍ୟ ମିତ୍ରଙ୍କୁ ମଧ୍ୟ ହଟାଯାଇଥିବା ବେଳେ, ଚିକିତ୍ସିତ ହେଉଥିବା ରୋଗୀଙ୍କୁ ଅନ୍ୟ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି । ଆଗକୁ ବିଏସକେଓ୍ବାଇରେ ହେରଫେର ଅଭିଯୋଗ ଆସିଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜ୍ୟ ସରକାର ଚେତାଇ ଦେଇଛନ୍ତି ।