ବାଲେଶ୍ବର: ଶିଳ୍ପାଞ୍ଚଳ ଥାନା ଅଞ୍ଚଳରୁ ହଟିଲା କର୍ଫ୍ୟୁ, ଅନ୍ୟ ସ୍ଥାନରେ ୯ ଘଣ୍ଟା କୋହଳ

ବାଲେଶ୍ବର: ଧୀରେ ଧୀରେ ସ୍ବାଭାବିକ ହେଉଛି ବାଲେଶ୍ବର । ଆସନ୍ତାକାଲି ୯ ଘଣ୍ଟା ପାଇଁ କୋହଳ ହେଲା କର୍ଫ୍ଯୁ । ସକାଳ ୫ରୁ ଦିନ ୨ଟା ଯାଏଁ ହଟିଲା କଟକଣା । ଶିଳ୍ପାଞ୍ଚଳ ଥାନା ଅଞ୍ଚଳରୁ ସମ୍ପୂର୍ଣ୍ଣ ଭାବେ କର୍ଫ୍ୟୁ ହଟାଇ ଦିଆଯାଇଛି । ଏହାସହ ଇଣ୍ଟରନେଟ ସେବାରେ ମଧ୍ୟ କିଛିଟା କୋହଳ ମିଳିଛି ।

ମିଳିଥିବା ସୂଚନା ଅନୁସାରେ ଶିଳ୍ପାଞ୍ଚଳ ଥାନା ଅଞ୍ଚଳରେ କର୍ଫ୍ୟୁ ସମ୍ପୂର୍ଣ୍ଣ କୋହଳ ହୋଇଛି । ହେଲେ ସହଦେବଖୁଣ୍ଟା ଓ ଟାଉନ ଥାନା ଅଞ୍ଚଳରେ ପୂର୍ବ ପରି କଟକଣା ରହିବ । ତେବେ ଏହି ଦୁଇ ଅଞ୍ଚଳରେ ସକାଳ ୫ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ କଟକଣା କୋହଳ କରାଯାଇଛି ।

ସେହିପରି ବାଲେଶ୍ବରରେ ଲିଜ୍ ଲାଇନ୍ ସହିତ ବ୍ରଡବ୍ୟାଣ୍ଡରେ ଆସନ୍ତାକାଲିଠାରୁ ମିଳିବ ଇଣ୍ଟରନେଟ ସେବା । ତେବେ ମୋବାଇଲରେ ଇଣ୍ଟରନେଟ ସେବା ବନ୍ଦ ରହିବ । ମ୍ୟୁନିସିପାଲିଟି ଅଞ୍ଚଳରେ କାଲି ମଧ୍ୟ ସମସ୍ତ ସ୍କୁଲ, କଲେଜ, ଅଙ୍ଗନବାଡି କେନ୍ଦ୍ର ବନ୍ଦ ରହିବ । ଅନ୍ୟ ଅଞ୍ଚଳରେ ଶିକ୍ଷାନୁଷ୍ଠାନ ଖୋଲିବ ବୋଲି ଜଣାପଡିଛି ।

ସୋମବାର ଦିନ ସହରରେ ଦୁଇ ଗୋଷ୍ଠୀ ମଧ୍ଯରେ ସଂଘର୍ଷ ପରେ ତିବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ପରିସ୍ଥିତିକୁ ଦେଖି ଅଞ୍ଚଳରେ କର୍ଫ୍ଯୁ ଜାରି କରାଯାଇଥିଲା । ଏହାସହ ଇଣ୍ଟରନେଟ ସେବାକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିଦିଆଯାଇଥିଲା । ଘଟଣାରେ ଆଜି ଯାଏଁ ୬୫ ଜଣଙ୍କୁ ପୋଲିସ ଗିରଫ କରିଥିବବେଳେ ଗୁଜବରୁ ଦୂରେଇ ରହିବାକୁ ଲୋକଙ୍କୁ ନିବେଦନ କରିଛନ୍ତି ଜିଲ୍ଲାପାଳ ଆଶିଷ ଠାକରେ ।