ଆଜି ଧୋନୀ ସନ୍ୟାସ ଘୋଷଣା କଲେ, କିଏ ହେବ CSK ଅଧିନାୟକ ?

ଅହମ୍ମଦାବାଦ: ଆଜି ଆଇପିଏଲ ଫାଇନାଲରେ ଗୁଜୁରାଟ ଟାଇଟନ୍ସ ଓ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ମହା ମୁକାବିଲା । ସନ୍ଧ୍ୟା ସାଢ଼େ ୭ଟାରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ଏହି ହାଇଭୋଲଟେଜ ମ୍ୟାଚ୍ । ଗତକାଲି ଫାଇନାଲରେ ବର୍ଷା ବଧକ ସାଧିଥିବା ବେଳେ ଆଜି ରିଜର୍ଭ ଡେ’ରେ ଖେଳାଯିବ ମ୍ୟାଚ୍ । ତେବେ ମ୍ୟାଚକୁ ନେଇ ଯେତିକି ଚର୍ଚ୍ଚା ହେଉଛି, ତା’ଠାରୁ ଅଧିକ ଚର୍ଚ୍ଚା ସିଏସକେ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ସନ୍ୟାସକୁ ନେଇ । ଆଜିର ମ୍ୟାଚ ଜିତି ଧୋନୀ ସିଏସକେକୁ ୫ମ ଥର ଚାମ୍ପିୟନ କରିବା ସହ ସନ୍ୟାସ ଘୋଷଣା କରିପାରନ୍ତି । ଯଦି ଏମିତି ହୁଏ ତେବେ କିଏ ହେବ ଚେନ୍ନାଇ ସୁପର କିଙ୍ଗସର ପରବର୍ତ୍ତି ଅଧିନାୟକ, ତାକୁ ନେଇ ସିଏସକେ ଫ୍ୟାନଙ୍କ ମଧ୍ୟରେ ବଢ଼ିବାରେ ଲାଗିଛି ଉତ୍କଣ୍ଠା ।

୪୧ ବର୍ଷିୟ ଧୋନୀ ଆଇପିଏଲ ୨୦୨୩ ପରେ ଅଧିନାୟକ ଓ ଖେଳାଳି ଭାବେ ଆଗକୁ ଖେଳିବା ପ୍ରାୟତଃ ଅସମ୍ଭବ । ଏମିତି ସ୍ଥିତିରେ ସିଏସକେରେ ଏମିତି ଦୁଇ ଜଣ ଖେଳାଳି ଅଛନ୍ତି, ଯାହାଙ୍କ ମଧ୍ୟରୁ ଜଣଙ୍କୁ ପରବର୍ତ୍ତି ଅଧିନାୟକ ଭାବେ ଦେଖାଯାଇପାରେ । ତେବେ ଆସନ୍ତୁ ଜାଣିବା କିଏ ଏହି ଦୁଇ ଖେଳାଳି ।

ଋତୁରାଜ ଗାୟକଓ୍ବାଡ

ଧୋନୀଙ୍କ ପରେ ଋତୁରାଜ ଗାୟକଓ୍ବାଡ ସିଏସକେର ପରବର୍ତ୍ତି ଅଧିନାୟକ ହୋଇପାରନ୍ତି । ସିଏସକେ ଅଧିନାୟକ ପାଇଁ ଋତୁରାଜ ଧୋନୀଙ୍କ ଏକ ଭଲ ବିକଳ୍ପ ବୋଲି ଚର୍ଚ୍ଚା ହେଉଛି । ଋତୁରାଜ ଜଣେ ଭଲ ଖେଳାଳି ଓ ତାଙ୍କ ପାଖରେ ମହାରାଷ୍ଟ୍ର ଟିମର ନେତୃତ୍ବ ନେବାର ଅନୁଭବ ରହିଛି ।

ଋତୁରାଜ ସିଏସକେରୁ ୨୦୨୦ରେ ଆଇପିଏଲ ଡେବ୍ୟୁ କରିଥିଲେ । ଆଇପିଏଲ ୨୦୨୩ରେ ଋତୁରାଜ ୧୫ ମ୍ୟାଚ୍ ଖେଳି ୪୩.୩୮ ହାରରେ ୫୬୪ ରନ କରିଛନ୍ତି । ଏଥିରେ ୪ଟି ଅର୍ଦ୍ଧ ଶତକ ରହିଛି । ୨୩ ଆଇପିଏଲରେ ବୋଲରଙ୍କ ପାଇଁ ଋତୁରାଜ କାଳ ପାଲଟିଛନ୍ତି । ୨୦୨୧ ଆଇପିଏଲରେ ସବୁଠାରୁ ଅଧିକର ରନ୍ କରିବା ସହ ଅରେଞ୍ଜ କ୍ୟାପ ନିଜ ନାଁରେ କରିଥିଲେ । ୧୬ ମ୍ୟାଚରୁ ଋତୁରାଜ ୪୫.୩୫ ହାର, ୧୩୬.୨୬ ଷ୍ଟ୍ରାଇକ୍ ରେଟରେ ୬୩୫ ରନ କରିଥିଲେ । ଏହି ସିଜିନରେ ତାଙ୍କ ବ୍ୟାଟରୁ ଗୋଟିଏ ଶତକ ଓ ୪ଟି ଅର୍ଦ୍ଧ ଶତକ ଆସିଥିଲା । ୨୧ ସିଜିନରେ ସିଏସକେ ଚାମ୍ପିୟନ ହେବାରେ ଋତୁରାଜଙ୍କ ଭଡ଼ ଭୂମିକା ଥିଲା ।

ରବୀନ୍ଦ୍ର ଜାଡେଜା

ରବୀନ୍ଦ୍ର ଜାଡେଜା ଆଇପିଏଲରେ ସିଏସକେ ତରଫରୁ ଖେଳୁଛନ୍ତି । ତାଙ୍କ ଧୂଆଁଧାର ଖେଳକୁ ଦେଖି ୨୦୨୨ରେ ସିଏସକେ ୧୬ କୋଟି ଟଙ୍କାରେ ଟିମକୁ ପୁଣି ଥରେ ଆଣିଥିଲା । ଗତ କିଛି ବର୍ଷ ହେବ ଜାଡେଜା ସିଏସକେ ପାଇଁ ଜଣେ ମ୍ୟାଚ୍ ଓ୍ବିନର ସାବ୍ୟସ୍ଥ ହୋଇଛନ୍ତି । ସିଏସକେ ଫ୍ୟାନଙ୍କ ହୃଦୟରେ ଜାଡେଜାଙ୍କର ଏକ ସ୍ବତନ୍ତ୍ର ସ୍ଥାନ ରହିଛି । କେବଳ ମ୍ୟାଟିଂ ନୁହେଁ, ବୋଲିଂରେ ବି ତାଙ୍କ ଜଲଓ୍ବା ସମସ୍ତେ ଦେଖିଛନ୍ତି । ଅଲରାଉଣ୍ଡର ଜାଡେଜାଙ୍କ ପାଖରେ ସେ ସମସ୍ତ ଗୁଣ ଅଛି, ଯାହା ତାଙ୍କୁ ଭବିଷ୍ୟତରେ ସିଏସକେର ଅଧିନାୟକ କରିପାରେ । ବ୍ୟାଟିଂ, ବୋଲି ଓ ଫିଲ୍ଡିଂରେ ଜବରଦସ୍ତ ଜାଡେଜା, ଧୋନୀଙ୍କ ଉତ୍ତରାଧିକାରୀ ହେବା ରେସରେ ସବୁଠୁ ଆଗରେ ରହିଛନ୍ତି । ଏବେ ଜାଡେଜା ଜବରଦସ୍ତ ଫର୍ମରେ ଅଛନ୍ତି ଓ ଧୋନୀ ମଧ୍ୟ ତାଙ୍କ ଉପରେ ଭରସା କରିଥାନ୍ତି ।