ଦାୟିତ୍ବ ଗ୍ରହଣ କରିବା ପରେ ପୁରୀ ଯାଇ ପଟ୍ଟିଦିଅଁଙ୍କୁ ଦର୍ଶନ କଲେ ସିଏସ୍ ମନୋଜ ଆହୁଜା

ପୁରୀ: ଓଡ଼ିଶାର ମୁଖ୍ୟ ଶାସନ ସଚିବ ଦାୟିତ୍ବ ଗ୍ରହଣ କରିବା ପରେ ପୁରୀରେ ମନୋଜ ଆହୁଜା । ପୁରୀରେ ପହଞ୍ଚିବା ପରେ ପଟ୍ଟିଦିଅଁଙ୍କ ଦର୍ଶନ କରିଛନ୍ତି ମନୋଜ । ପ୍ରଦୀପ ଜେନାଙ୍କ କାର୍ଯ୍ଯକାଳ ସରିବା ପରେ ସେ ଓଡ଼ିଶାର ନୂଆ ମୁଖ୍ୟ ଶାସନ ସଚିବ ଭାବେ ଆଜି ଦାୟିତ୍ବ ଗ୍ରହଣ କରିଛନ୍ତି । ମୁଖ୍ୟ ଶାସନ ସଚିବ ସହିତ ସେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ସଚିବ ଭାବେ ମଧ୍ୟ ଦାୟିତ୍ଵ ଗ୍ରହଣ କରିଛନ୍ତି । ବିଦାୟୀ ସିଏସ ପ୍ରଦୀପ ଜେନା ମନୋଜଙ୍କୁ ଦାୟିତ୍ବ ହସ୍ତାନ୍ତର କରିଛନ୍ତି ।

୧୯୯୦ ବ୍ୟାଚ ବରିଷ୍ଠ ଆଇଏଏସ ଅଫିସର ହେଉଛନ୍ତି ମନୋଜ ଆହୁଜା । ନିକଟରେ କେନ୍ଦ୍ର ଡେପୁଟେସନରୁ ଫେରିଥିଲେ । କେନ୍ଦ୍ରରେ ୨୦୨୨ ଫେବୃଆରୀରୁ କୃଷି ସଚିବ ଦାୟିତ୍ଵରେ ଥିଲେ ମନୋଜ । ୨୦୧୭ରେ କେନ୍ଦ୍ରୀୟ ଡେପୁଟେସନରେ ଯିବା ପରେ ଲାଲ ବାହାଦୂର ଶାସ୍ତ୍ରୀ ଏକାଡେମୀର ସ୍ଵତନ୍ତ୍ର ନିର୍ଦ୍ଦେଶକ ଭାବେ କାମ କରିଥିଲେ । ୨୦୨୦ରେ କେନ୍ଦ୍ର ଶିକ୍ଷାମନ୍ତ୍ରାଳୟରେ ସେ ସିବିଏସଇ ଅଧ୍ୟକ୍ଷ ଭାବେ ଦାୟିତ୍ଵରେ ରହିଥଲେ । ଖୋର୍ଦ୍ଧା ଜିଲ୍ଲାପାଳ ଭାବେ କ୍ଯାରିୟର ଆରମ୍ଭ କରିଥିଲେ ମନୋଜ । ଏହାପରେ ୨୦୦୯ରେ ଖାଦ୍ୟ ଯୋଗାଣ ସଚିବ, ୨୦୧୦ରେ ଖଣି ଇସ୍ପାତ ବିଭାଗ ସଚିବ ହୋଇଥିଲେ । ୨୦୧୨ରେ କ୍ରୀଡ଼ା ଯୁବ ବ୍ଯାପାର ଓ ୨୦୧୨ରୁ ୨୦୧୫ ପର୍ଯ୍ୟନ୍ତ ବାଣିଜ୍ୟ କର କମିଶନର ଥିଲେ । ୨୦୧୫ରେ ସମବାୟ ବିଭାଗର ସଚିବ ଦାୟିତ୍ଵ ଗ୍ରହଣ କରିଥିଲେ ।