ସୁଧୁରୁନି ବନ୍ୟାସ୍ଥିତି: ଅଧା ରାଜ୍ୟ ଏବେ ବି ଜଳମଗ୍ନ, କୁମ୍ଭୀର ଭୟରେ ଗ୍ରାମବାସୀ

Flood

ଭୁବନେଶ୍ୱର:  ଅଧା ରାଜ୍ୟ ଏବେ ବି ଜଳମଗ୍ନ । ଏବେ ବି ମୁଣ୍ଡଳିରେ ୧୦ ଲକ୍ଷ କ୍ୟୁସେକ୍‌ ଜଳ ପ୍ରଭାବିତ ହେଉଥିବା ବେଳେ କଟକ ଜିଲ୍ଲାର ଅନେକ ଅଞ୍ଚଳ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି । ମହାନଦୀରେ ବନ୍ୟା ପାଇଁ ବିଶେଷ ପ୍ରଭାବିତ ହୋଇଛି କଟକ ଜିଲ୍ଲାର ବାଙ୍କି ଅଞ୍ଚଳ । ଉତ୍ତର ବାଙ୍କି ବ୍ଲକର ୬ଟି ପଞ୍ଚାୟତକୁ ଯୋଗାଯୋଗ ବିଛିନ୍ନ ହୋଇଛି । ଓସ୍ତିଆ ଗାଁର ୭ଶହ ପରିବାର ପାଣି ଘେରରେ ଫଶି ରହିଥିଲେ ମଧ୍ୟ ପ୍ରଶାସନ ଏଯାଏଁ ପହଞ୍ଚି ପାରିନାହିଁ । ବନ୍ୟା ଜଳ ମହାନଦୀରେ ଆସିବା ଦ୍ୱାରା ଉତ୍ତର ବାଙ୍କି ବ୍ଲକର ହୁଳୁହୁଳା ନାଳ ଦେଇ ତିଗିରିଆ, ଆଠଗଡ ଓ ଉତ୍ତର ବାଙ୍କି ବ୍ଲକର ପାଖାପାଖି ୧୦ରୁ ଅଧିକ ପଞ୍ଚାୟତର ଚାଷଜମି ଗତ ୫ରୁ ୬ଦିନ ଧରି ଜଳମଗ୍ନ ହୋଇଛି । ଗାଁକୁ ଯୋଗାଯୋଗ କରୁଥିବା ରାସ୍ତା ଉପରେ ୪ରୁ ୫ଫୁଟର ବନ୍ୟା ଜଳ ଚାଲିଛି । ସେପଟେ ଉତ୍ତର ବାଙ୍କୀର ଓସ୍ତିଆ ଗାଁରେ ବୁଡ଼ିଛି ମନ୍ଦିର । ଆଉ ପାଣି ଘେରରେ ରହିଛନ୍ତି ଠାକୁର ।

ସେହିଭଳି ଯାଜପୁରରେ କମୁଛି ବନ୍ୟା ପାଣି, ହେଲେ ବଢ଼ୁଛି ଦୁର୍ଦ୍ଦଶା । ଦଶରଥପୁର ଦତ୍ତପୁରରେ ବନ୍ୟା ସ୍ଥିତି ସୁଧୁରିଥିବା ବେଳେ ଘାଇ ସୃଷ୍ଟି ହୋଇଥିବାରୁ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି । ଚାଷ ଜମିରେ ଏବେବି ଲହଡି ମାରୁଛି ପାଣି ।

ସେପଟେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ସୀମାନ୍ତରେ ନଦୀ ନାଳ ଘେରା ଭିତରେ ଥିବା ଗାଁ ନଳଦିଆ ଗାଁର ଅବସ୍ଥା ନ କହିଲେ ଭଲ । ସାମାନ୍ୟ ବନ୍ୟା ଆସିଲେ ଏଗାଁର କୃଷି ଉପରେ ନିର୍ଭର କରୁଥିବା ଲୋକମାନଙ୍କର ଆର୍ଥିକ ମେରଦଣ୍ଡକୁ ଦୋହଲେଇ ଦେଇଥାଏ । ବିଲବାଡ଼ିରେ ଆକାତକାତ ପାଣି ଆଉ ଗାଁ ଦାଣ୍ଡରେ କେଉଁଠି ଆଣ୍ଠୁଏ ତ କେଉଁଠି ପେଟେ ଲେଖାଏଁ ପାଣି ପ୍ରବାହିତ ହେଉଛି । ବନ୍ୟା ସମୟରେ କୁମ୍ଭୀର ଭୟରେ ଦିନ କାଟୁଛନ୍ତି ଗ୍ରାମବାସୀ । ବିଧାୟକ ପହଞ୍ଚି ବିପନ୍ନଙ୍କୁ ଶୁଖିଲା ଖାଦ୍ୟ ଦେବା ସହିତ ରନ୍ଧା ଖାଦ୍ୟର ବ୍ୟବସ୍ଥା ମଧ୍ୟ କରିଛନ୍ତି ।

ସେପଟେ ଖୋର୍ଦ୍ଧା ଜିଲ୍ଲା ଦେଇ ପ୍ରବାହିତ ହେଉଥିବା ଧନୁଆ ନଦୀରେ ବି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଫଳରେ ଜଳବନ୍ଦୀ ହୋଇଛି ବାଲିପାଟଣା ବ୍ଲକର ପାଞ୍ଚ ପଞ୍ଚାୟତ । ଏହି ପଞ୍ଚାୟତର ପ୍ରାୟ ୫୦ ଖଣ୍ଡ ଗାଁରେ ପଶିଛି ପାଣି । ପାଦଚଲା ରାସ୍ତାରେ ଚାଲୁଛି ଡଙ୍ଗା । ପ୍ରଶାସନ ପକ୍ଷରୁ ମେଶିନ୍ ଡଙ୍ଗା ସାହାର୍ଯ୍ୟରେ ବିପନ୍ନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି ।

Leave a Reply