ଚାନ୍ଦବାଲି ବ୍ଲକ ଶୀତଳପୁର ଗାଁରେ କୁମ୍ଭୀର ଆତଙ୍କ

ଭଦ୍ରକ: ଚାନ୍ଦବାଲି ବ୍ଲକ ଶୀତଳପୁର ଗାଁରେ କୁମ୍ଭୀର ଆତଙ୍କ । କାଲି ସଂଧ୍ଯାରୁ ଆଜି ସକାଳ ଯାଏଁ ସାଳନ୍ଦୀ ନଦୀରେ ସନ୍ତରଣ କରୁଛି ୧୫ରୁ ୧୬ ଫୁଟ ଲମ୍ବର ୨ଟି ବଉଳା କୁମ୍ଭୀର । ନଦୀକୂଳ ଦେଇ ଗାଁ ସ୍କୁଲ ରାସ୍ତା ହୋଇଥିବାରୁ ଭୟଭୀତ ଗ୍ରାମବାସୀ ଓ ଶହଶହ ଛାତ୍ରଛାତ୍ରୀ । ଅନେକ ସମୟରେ ନଦୀବନ୍ଧରେ ଶୋଇ ରହୁଛନ୍ତି କୁମ୍ଭୀର । ବିଶେଷକରି ଗାଁ ପାନୀୟଜଳ ଅଭାବ ରହିଥିବାରୁ ଗାଁର ଶତପ୍ରତିଶତ ଲୋକ ନଦୀଜଳ ଉପରେ ନିର୍ଭର କରିଥାନ୍ତି । ହେଲେ ଗତକାଲିଠାରୁ ଆଜି ସକାଳ ପର୍ଯ୍ଯନ୍ତ ନଦୀରେ କୁମ୍ଭୀର ସନ୍ତରଣ କରୁଥିବା ଗାଁ ଲୋକ ଦେଖିବା ପରେ ଭୟରେ ନଦୀକୁ ଯାଉନାହାନ୍ତି ।

ପୂର୍ବରୁ ଗାଁ ଲୋକ ଚାନ୍ଦାକରି ନଦୀକୂଳରେ ଜାଲ ବାନ୍ଧିଥିଲେ। ହେଲେ ଗତ କିଛିମାସ ତଳେ ନଦୀର ସୁରକ୍ଷାବନ୍ଧ ସାଳନ୍ଦୀ ନଦୀକୁ ଧସିଯିବା ଫଳରେ ବନ୍ଧା ହୋଇଥିବା ଜାଲ ମଧ୍ଯ ନଦୀକୁ ଚାଲିଯାଇଥିଲା । ଜଳସେଚନ ବିଭାଗ ପକ୍ଷରୁ ମାଟି ପଥର ପକାଯାଇ ବନ୍ଧ ସୁଦୃଢିକରଣ କରାଯାଉଥିଲେ ମଧ୍ଯ ବନଖଣ୍ଡ ବିଭାଗ ପକ୍ଷରୁ କୁମ୍ଭୀରଙ୍କ ପାଇଁ କୌଣସି ପ୍ରତିକାର କରାଯାଉନାହିଁ ।