ହାତୀ ମୃତ୍ୟୁକୁ ନେଇ ସରକାରଙ୍କ କଡ଼ା ଆଭିମୁଖ୍ୟ, ତଦନ୍ତ କରିବ କ୍ରାଇମ୍‌ବ୍ରାଞ୍ଚ

Crime branch will take the elephant death case

ଭୁବନେଶ୍ୱର: ହାତୀ ମୃତ୍ୟୁ ନେଇ ସରକାରଙ୍କ କଡ଼ା ଆଭିମୁଖ୍ୟ । ବୌଦ୍ଧ ଓ କେନ୍ଦୁଝର ସଂରକ୍ଷିତ ଜଙ୍ଗଲ ଡିଭିଜନରେ ଦନ୍ତା ହାତୀଙ୍କୁ ହତ୍ୟା ଘଟଣା । ଉଭୟ ଘଟଣାର ତଦନ୍ତ କରିବ ରାଜ୍ୟ କ୍ରାଇମବ୍ରାଞ୍ଚ । ଏ ନେଇ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର ।

ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେବା ଲାଗି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଦେଇଥିବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୁଇଟି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ମାଷ୍ଟରମାଇଣ୍ଡଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଜୁନ୍‌ ୧୭ ତାରିଖରେ ବୌଦ୍ଧ ଡିଭିଜନ୍‌ ମାଧପୁର୍‌ ରେଞ୍ଜ ଅନ୍ତର୍ଗତ ମୁକ୍ତେଶ୍ୱର ସଂରକ୍ଷିତ ଜଙ୍ଗଲରେ ଗୋଟେ ହାତୀଙ୍କୁ ୯ଟି ଗୁଳି ମାରି ହତ୍ୟା କରି ଦାନ୍ତ ଚୋରି ଉଦ୍ୟମ ହୋଇଥିଲା । ଜୁନ ୨୨ରେ ଉକ୍ତ ଘଟଣାରେ ବନ ବିଭାଗ ୪ ଜଣଙ୍କୁ ଗିରଫ କରିଥିଲା । ସେହିପରି ଜୁନ୍‌ ୧୪ରେ କେନ୍ଦୁଝର ଚମ୍ପୁଆ ରେଞ୍ଜ ବୈତରଣୀ ସଂରକ୍ଷିତ ଜଙ୍ଗଲରେ ୨ଟି ହାତୀଙ୍କ ମୃତ୍ୟୁ ଦେହ ଉଦ୍ଧାର କରିଥିଲା ବନ ବିଭାଗ ।

ବିଦ୍ୟୁତ ତାର ବିଛାଇ ହାତୀଙ୍କୁ ହତ୍ୟା କରି ଦାନ୍ତ ଚୋରି ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଥିଲା ବନ ବିଭାଗ । ତେବେ ଉଭୟ ଘଟଣାର ଉଚ୍ଛସ୍ତରୀୟ ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଥିଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ।

Leave a Reply