୮ ମାସରେ ୧୮ ହଜାର ମାମଲା ରୁଜୁ: ନୂଆ ସରକାର ଆସିବା ଦିନ ଠାରୁ ବଢିଚାଲିଛି ମହିଳା ବିରୋଧୀ ଅପରାଧ

ଭୁବନେଶ୍ବର: ଭୁବନେଶ୍ୱର ଭରତପୁର ଥାନାରେ ମହିଳାଙ୍କୁ ମାଡ଼ । କୁଚିଣ୍ଡାରେ ମନ୍ତ୍ରୀଙ୍କ ପାଖ ଲୋକଙ୍କ ନାବାଳିକା ଗଣଦୁଷ୍କର୍ମ । ସୁନ୍ଦରଗଡ଼ ରାଉରକେଲାରେ ଛାତ୍ରୀ ଅପହରଣ ଓ ଦୁଷ୍କର୍ମ । କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁରରେ ଦୁଷ୍କର୍ମ । ଗତକାଲି ଭୁବନେଶ୍ୱରରେ ବ୍ୟବସାୟ ନାଁରେ ଯୁବତୀଙ୍କୁ ଦୁଷ୍କର୍ମ । ଏପରି ଅନେକ ମହିଳା ବିରୋଧୀ ହିଂସା ଯୋଗୁଁ ଗତ ଆଠ ମାସର ସରକାର ବଦନାମ ମୁଣ୍ଡାଇଲେଣି । କାରଣ ନୂଆ ସରକାର ଆସିବା ଦିନ ଠାରୁ ବଢିଚାଲିଛି ମହିଳା ବିରୋଧୀ ଅପରାଧ । ଗତ ୮ ମାସରେ ୧୮ ହଜାର ୧ଟି ମହିଳା ବିରୋଧୀ ଅପରାଧ ମାମଲା ରୁଜୁ ହୋଇଛି । ସେଥିରୁ ୧୭ ହଜାର ୨୧ ଟି ମାମଲା ବିଚାରଧୀନ ଥିବା ବେଳେ ୭୩୮ ଟି ମାମଲାରେ ଚାର୍ଜସିଟ ଦିଆଯାଇଛି । ୨୧୭ ଟି ମାମଲାର ଫଇସଲା ସାରିଥିବା ବେଳେ ୨୫ଟି ମାମଲାରେ ଫାଇନାଲ ରିପୋର୍ଟ ଦିଆଯାଇଛି ।
ବିଧାୟିକା ସୋଫିଆ ଫିର୍ଦ୍ଦୋସଙ୍କ ପ୍ରଶ୍ନରେ ଏମିତି ଲିଖିତ ଉତ୍ତର ରଖିଛନ୍ତି ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସେପଟେ ଆହୁରି ଚିନ୍ତାଜନକ ଚିତ୍ର ବିଧାନସଭାରେ ଆସିଛି ଯେଉଁଠି ୨୦୨୪ ରେ ୬୪୩୭ଟି ମହିଳା ଓ ଶିଶୁ ଅପହରଣ, ବାଲ୍ୟ ବିବାହ ଅଭିଯୋଗ ମାମଲା ରୁଜୁ କରାଯାଇଛି । ଏଥିରୁ ୬୦୯୭ ମାମଲାରେ ତଦନ୍ତ ଚାଲୁଥିବାବେଳେ ୪୪ ମାମଲାରେ ଚାର୍ଜସିଟ ଦଖଲ ହୋଇଛି । ୧୧ଟି ଫାଇନାଲ ରିପୋର୍ଟ ଦିଆ ସରିଛି । ୨୮୫ ଟି ମାମଲାର ଫଇସଲା ସରିଛି । ଏଥିରେ ୩୯୯ ଜଣ ଓ ୧୪ ଜଣ ମହିଳା ଗିରଫ ହୋଇଥିବା ମୁଖ୍ୟମନ୍ତ୍ରୀଙ୍କ ଲିଖିତ ଉତ୍ତର ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏପରି ଉତ୍ତର ପରେ ମହିଳା ଆହୁରି ଭୟଭୀତ ହୋଇ ପଡ଼ିଥିବା କଂଗ୍ରେସ ଅଭିଯୋଗ କରିଛି । ମହିଳାଙ୍କ ସୁରକ୍ଷା ପାଇଁ କଣ ବ୍ୟବସ୍ଥା କରୁଛନ୍ତି ସରକାର ତାହା ଜଣାଇ ଦୋଷୀଙ୍କୁ ଧରିବାକୁ କଂଗ୍ରେସ ଦାବି କରିଛି । ସରକାର ମହିଳାଙ୍କ ସୁରକ୍ଷା ପ୍ରତି କିଛି କରୁ ନଥିବାରୁ କୌଣସି ମହିଳା ସୁରକ୍ଷିତ ନୁହନ୍ତି ବୋଲି ବିଜେଡି ଅଭିଯୋଗ କରିଛି ।
ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ପରେ ସରକାରୀ ଅବ୍ୟବସ୍ଥାକୁ ଲୁଚାଇବାକୁ ବିଜେପି ପାଖରେ ଆଉ ମାଧ୍ୟମ ନାହିଁ । ମହିଳାଙ୍କ ବିରୋଧରେ ଅପରାଧ କିଛିଟା ବଢିଥିବା କହି ପ୍ରସଙ୍ଗକୁ ସ୍ୱୀକାର କରିଛି ବିଜେପି । ରାଜ୍ୟର ଭୁଶୁଡି ପଡିଥିବା ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଆହୁରି ଚିନ୍ତା ବଢିଛି । ୨୦୨୩ ମସିହାରେ ସର୍ବମୋଟ ୧ ଲକ୍ଷ ୯୯ ହଜାର ୯୫୪ ଗୋଟି ଧର୍ତ୍ତବ୍ଯ ଅପରାଧ ପଞ୍ଜିକୃତ ହୋଇଥିବାବେଳେ ୨୦୨୪ ମସିହାରେ ୨ଲକ୍ଷ ୧୪ ହଜାର ୧୧୩ଟି ଧର୍ତ୍ତବ୍ୟ ଅପରାଧ ପଞ୍ଜିକୃତ ହୋଇିଛି । ଅର୍ଥାତ ନୂଆ ସରକାର ଅମଳରେ ଅପରାଧ ବଢିଛି ।