IPL 2021: ବିମାନବନ୍ଦରରେ ପୃଥକ ଚେକ୍ ଇନ୍ କାଉଣ୍ଟର ପାଇଁ ସରକାରଙ୍କୁ ଅନୁରୋଧ କରିବ ବିସିସିଆଇ

1 min read

ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ ଜମିବ ଫଟାଫଟ୍ କ୍ରିକେଟ । ଏପ୍ରିଲ ୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ ପ୍ରିମିୟର ଲିଗ୍ । ଏତିକି ବେଳେ କରୋନା କାୟାରେ ରହିଛି ପୁରା ଆଇପିଏଲ୍‌ । କିଛି ଖେଳାଳିଙ୍କ ସମେତ, ଫ୍ରାଞ୍ଚାଇଜ୍ କର୍ମଚାରୀ, ପ୍ରସାରଣକାରୀ ଏବଂ ଟୁର୍ଣ୍ଣାମେଣ୍ଟ ସହିତ ଜଡ଼ିତ ଅନ୍ୟ କେତେଜଣ ମଧ୍ୟ କରୋନାରେ ସଂକ୍ରମିତ ହୋଇସାରିଲେଣଇ । ଯାହାକି ଏବେ ବିସିସିଆଇକୁ ଚିନ୍ତାରେ ପକାଇଛି। କରୋନା ପାଇଁ ଏଥର ଟୁର୍ଣ୍ଣାମେଣ୍ଟ ଶେଷ ପର୍ଯ୍ୟନ୍ତ, ସବୁ ଆଇପିଏଲ୍ ଦଳ, ସହଯୋଗୀ ଷ୍ଟାଫ୍ ଏବଂ ଅନ୍ୟାନ୍ୟ ଶେଆର ହୋଲ୍ଡରମାନେ ବାୟୋ-ବବଲରେ ରହିବେ। ଏଥର ପଡ଼ିଆରେ ବି କୌଣସି ଦର୍ଶକ ରହିବେ ନାହିଁ। କିନ୍ତୁ ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ କରୋନା ପରିସ୍ଥିତି ଜଟିଳ କରିଦେଲାଣି ।

କରୋନା ଭାଇରସ ସହ ମୁକାବିଲା କରିବା ପାଇଁ ବିସିସିଆଇର ବରିଷ୍ଠ ଅଧିକାରୀମାନେ ନୂଆ ଯୋଜନା ପ୍ରସ୍ତୁତ କରୁଛନ୍ତି । ତେବେ ଏହି ନୂଆ ପଦକ୍ଷେପଗୁଡ଼ିକ ମଧ୍ୟରେ ବିମାନବନ୍ଦରରେ ପୃଥକ ଚେକ୍ ଇନ୍ କାଉଣ୍ଟର ବ୍ୟତୀତ ଦୈନିକ କରୋନା ପରୀକ୍ଷା ଏବଂ ବାୟୋ-ବବୁଲ୍ ଇଣ୍ଟିଗ୍ରିଟି ପରିଚାଳକଙ୍କ ନିଯୁକ୍ତି ମଧ୍ୟ ସାମିଲ ରହିଛି। ଆଇପିଏଲ୍ 2021ର ମ୍ୟାଚ୍ ମୁମ୍ବାଇ, ଦିଲ୍ଲୀ, କୋଲକାତା, ଅହମ୍ମଦାବାଦ, ବେଙ୍ଗାଲୁରୁ ଏବଂ ଚେନ୍ନାଇର ୬ ଟି ସହରରେ ହେବ। ଖେଳାଳୀମାନଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ବିମାନ ଯାତ୍ରା କରିବାକୁ ପଡ଼ିବ। ପ୍ରତ୍ୟେକ ଦଳକୁ ୩ ଥର ଲେଖାଏଁ ଯାତ୍ରା କରିବାକୁ ପଡ଼ିବ । ତେବେ ବିମାନବନ୍ଦରରେ ଏମାନେ ଅନ୍ୟ ଲୋକମାନଙ୍କ ସଂସ୍ପର୍ଷରେ ଆସିଲେ କରୋନା ହେବାର ଭୟ ରହିଛି । ବିଶେଷ କରି ମୁମ୍ବାଇ ଓ ଦିଲ୍ଲୀ ଏୟାରପୋର୍ଟରେ ଏହାର ଅଧିକ ଭୟ ରହିଛି। ତେଣୁ ବିସିସିଆଇ ଭାରତ ସରକାରଙ୍କୁ ଏହି ୬ ସହରର ବିମାନବନ୍ଦରରେ ଆଇପିଏଲ୍ ପାଇଁ ପୃଥକ ଚେକ୍ ଇନ୍ କାଉଣ୍ଟରର ଅନୁମତି ଦେବାକୁ ଅନୁରୋଧ କରିବାକୁ ଯାଉଛି । ଯାହା ଦ୍ୱାରା ଦଳଗୁଡ଼ିକ ଏକ ସୁରକ୍ଷିତ ବାୟୋ-ବବଲ୍ ପାଇପାରିବେ।

ଏହା ବ୍ୟତୀତ ବାୟୋ-ବବଲକୁ ଅଧିକ ସୁରକ୍ଷିତ କରିବା ପାଇଁ ବିସିସିଆଇ ଅଧିକ କୋଭିଡ-19 ପରୀକ୍ଷା ଉପରେ ଗୁରୁତ୍ୱ ଦେଇଛି। ନିକଟରେ ଚେନ୍ନାଇକୁ ଉଡ଼ାଣ ପୂର୍ବରୁ କୋଭିଡ-19 ପରୀକ୍ଷଣରେ ଜଣେ ସଦସ୍ୟ କୋଭିଡ ରିପୋର୍ଟ ନେଗେଟିଭ୍ ବୋଲି ଜଣାପଡ଼ିଥିଲା କିନ୍ତୁ ୫ ଦିନ ପରେ ସେ କରୋନା ସଂକ୍ରମିତ ଥିବା ଜଣାପଡ଼ିଲା। ଏଥିରୁ ଜଣାପଡ଼ୁଛି ଯେ ବିମାନଯାତ୍ରା ସମୟରେ କରୋନା ହେବାର ଅଧିକ ଆଶଙ୍କା ରହିଛି । ତେଣୁ, ବିସିସିଆଇ ପୃଥକ ଚେକ୍ ଇନ୍ କାଉଣ୍ଟର ଚାହୁଁଛି।

Leave a Reply