କରୋନା ହେଲ୍ପଲାଇନକୁ ସଂକ୍ରମିତ କରିଥିଲେ ଫୋନ୍, ଉତ୍ତର ଆସିଲା-ଯା ମରିଯା

ଲକ୍ଷ୍ନୌ: କରୋନାର ଦ୍ୱିତୀୟ ପର୍ଯ୍ୟାୟ ଦେଶରେ ଆତଙ୍କ ସୃଷ୍ଟି କରିଛି । ଗତ ୨୪ ଘଣ୍ଟାରେ ଦେଶରେ ୨ ଲକ୍ଷ ୩୪ ହଜାର ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୩୪୧ ଜଣ ପ୍ରାଣ ହରାଇଛନ୍ତି । କରୋନା କାଳରେ ଦେଶବାସୀଙ୍କ ପାଇଁ ସାହା ହେଉଛି ସରକାରୀ ହେଲ୍ଥକେୟାର ସିଷ୍ଟମ । କିନ୍ତୁ ସେତେବେଳେ କ’ଣ ହେବ ଯେତେବେଳେ ସରକାରୀ ହେଲ୍ଥ କେୟାର ସିଷ୍ଟମ ହିଁ ଲୋକଙ୍କୁ ମରିବା ପାଇଁ ଛାଡିଦେବ ? ଉତ୍ତର ପ୍ରଦେଶ ଏବେ କରୋନା ମାମଲାରେ ମହାରାଷ୍ଟ୍ରଠାରୁ ମଧ୍ୟ ଆଗରେ ରହିଛି । ଦେଶରେ ସବୁଠୁ ଅଧିକ ସକ୍ରିୟ ମାମଲା ଏହି ରାଜ୍ୟରେ ଦେଖିବାକୁ ମିଳୁଛି । ରାଜ୍ୟର ଯୋଗୀ ସରକାର କରୋନା ମୁକାବିଲା ପାଇଁ ବଡ ବଡ ପଦକ୍ଷେପ ନେଇଛନ୍ତି ବୋଲି ବାହସ୍ଫୋଟ ମାରୁଛନ୍ତି । କିନ୍ତୁ ରାଜଧାନୀ ଲକ୍ଷ୍ନୌରେ ଏଭଳି ଗୋଟିଏ ମାମଲା ସାମ୍ନାକୁ ଆସିଛି ଯାହା ସରକାରୀ କଳର ଅସଲ ମୁଖାକୁ ଖୋଲି ଦେଇଛି । ଜଣେ କରୋନା ସଂକ୍ରମିତ ରାଜ୍ୟ କରୋନା ହେଲ୍ପ ଲାଇନକୁ ସାହାଯ୍ୟ ପାଇଁ ଅପିଲ କରିଥିଲେ । ତାଙ୍କୁ ଯାହା ଉତ୍ତର ମିଳିଥିଲା ତାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ସାହାଯ୍ୟ ମାଗୁଥିବା ସଂକ୍ରମିତଙ୍କୁ ହେଲ୍ପ ସେଣ୍ଟର କର୍ମଚାରୀ ମରିଯିବାକୁ କହିଥିଲେ ।

ସନ୍ତୋଷ କୁମାର ନାମକ ବ୍ୟକ୍ତି ନିଜ ପତ୍ନୀଙ୍କ ସହିତ କରୋନା ଟେଷ୍ଟ୍ କରାଇଥିଲେ । ଏପ୍ରିଲ ୧୦ ତାରିଖ ଦିନ ସେ ଏହି ଟେଷ୍ଟ୍ କରିଥିଲେ । ଏପ୍ରିଲ ୧୨ ତାରିଖରେ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା । ରିପୋର୍ଟ ପଜିଟିଭ୍ ଆସିବା ପରେ ସନ୍ତୋଷ ହେଲ୍ପ ଲାଇନକୁ କଲ୍ କରିଥିଲେ । ଗୋଟିଏ କଲରେ ସଂକ୍ରମିତଙ୍କୁ ସାହାଯ୍ୟର ଦାବି କରୁଥିବା କଲ ସେଣ୍ଟର କେମିତି ଲୋକଙ୍କୁ ସାହାଯ୍ୟ କରୁଛି ତାହା ସନ୍ତୋଷ ଏହି ଗୋଟିଏ କଲରୁ ଜାଣିପାରିଥିଲେ । ପ୍ରଥମ କଲ ପରେ ୧୫ ଏପ୍ରିଲରେ ସନ୍ତୋଷଙ୍କ ପାଖକୁ କଲବ୍ୟାକ୍ ଆସିଥିଲା । ସକାଳ ୮.୧୪ ମିନିଟରେ ଆସିଥିବା କଲ ୫୪ ସେକେଣ୍ଡ୍ ପାଇଁ ଜାରି ରହିଥିଲା । କଲ ସେଣ୍ଟର ପ୍ରତିନିଧି ସନ୍ତୋଷଙ୍କୁ ପଚାରିଥିଲେ ଯେ, ସେ ହୋମ୍ ଆଇସୋଲେସନ୍ ଆପ୍ ଡାଉନ୍ ଲୋଡ୍ କରିଛନ୍ତି କି ନାହିଁ ? ସନ୍ତୋଷଙ୍କ ଉତ୍ତର ଥିଲା ଯେ, ସେ ଏଭଳି କୌଣସି ଆପ୍ ବାବଦରେ ଜାଣି ନାହାନ୍ତି । ଯାହାର ଉତ୍ତରରେ କଲ ସେଣ୍ଟର କର୍ମଚାରୀ ଜଣଙ୍କ ତାଙ୍କୁ କହିଥିଲେ ଯେ,‘‘ ଯା ତୁ ମରିଯା’’

ଏହି କଲ ସନ୍ତୋଷଙ୍କୁ ମାନସିକ ଅଶାନ୍ତି ଦେଇଥିଲା । ଏନେଇ ସେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ଜିଲ୍ଲାପାଳଙ୍କୁ ପତ୍ର ଲେଖି ସେମାନଙ୍କ ସ୍ପଷ୍ଟୀକରଣ ମାଗିଛନ୍ତି ।

Leave a Reply