କୋଭିସିଲ୍ଡ ପରେ ଓଡ଼ିଶାରେ ପହଞ୍ଚିଲା କୋଭାକ୍ସିନ୍ ଟିକାର ୨୦ ହଜାର ଡୋଜ୍

ଭୁବନେଶ୍ୱର: ଓଡ଼ିଶାରେ ପହଁଚିଲା କରୋନାର ଦ୍ବିୀତୀୟ ଟିକା । ୨୦ ହଜାର ଡୋଜ କୋଭାକ୍ସିନ ହାଇଦ୍ରାବାଦରୁ ବିମାନ ଯୋଗେ ଭୁବନେଶ୍ୱର ବିମାନ ବନ୍ଦରରେ ପହଁଚିଲା । ପରେ ଭ୍ୟାକ୍ସିନ ଭ୍ୟାନ ଜରିଆରେ ଓଡିଶା ରାଜ୍ୟ ଟିକା ଭଣ୍ଡାରକୁ ଅଣାଯାଇଛି । ସେଠାରୁ କଡ଼ା ସୁରକ୍ଷା ମଧ୍ୟରେ ସବୁ ଜିଲ୍ଲାକୁ ପଠାଯିବ । ସମ୍ପୂର୍ଣ୍ଣ ସ୍ବଦେଶୀ ଟିକା ହେଉଛି କୋଭାକ୍ସିନ । ଭାରତ ବାୟୋଟେକ୍ ଓ ଆଇସିଏମଆର ମିଳିତ ଭାବେ ଏହି ଟିକା ପ୍ରସ୍ତୁତ କରିଛନ୍ତି । ହଜାରେ ଭାଏଲରେ ୨୦ହଜାର ଡୋଜ୍ ଥିବା ସୂଚନା ମିଳିଛି । ହାଇଦ୍ରାବାଦ ସ୍ଥିତ ଭାରତ ବୟୋଟେକରୁ ଆସିଛି କୋଭାକ୍ସିନ ଟିକା ।
ଭାରତ ବାୟୋଟେକ୍ ଠାରୁ ୫୫ ଲକ୍ଷ କୋଭାକ୍ସିନ୍ ଟିକା ଆଣୁଛନ୍ତି କେନ୍ଦ୍ର ସରକାର । ପ୍ରତି ଡୋଜକୁ ୨୯୫ ଟଙ୍କା ହିସାବରେ ୩୮ ଲକ୍ଷ ୫୦ ହଜାର ଡୋଜ୍ ଟିକା କିଣୁଛି କେନ୍ଦ୍ର । ଭାରତ ବାୟୋଟେକ୍ ୧୬ ଲକ୍ଷ ୫୦ ହଜାର ଟିକା ମାଗଣାରେ ଦେବ ବୋଲି ପୂର୍ବରୁ ଘୋଷଣା କରିଛି । ଗତକାଲି ପୁଣେ ସ୍ଥିତ ସେରମ ଇନଷ୍ଟିଚ୍ୟୁଟରୁ ୪୦ହଜାର ୮ଶହ ଭାଏଲ କୋଭିସିଲ୍ଡ ଟିକା ଆସିଥିଲା। ସେଥିମଧ୍ୟରୁ କଟକ, ପୁରୀ ଓ ନୟାଗଡ଼ ଭଳି ୩ଟି ଜିଲ୍ଲାକୁ ଟିକା ଭ୍ୟାନ ଜରିଆରେ ପଠାଯାଇଛି। ଆଜି ୧୫ରୁ ଅଧିକ ଜିଲ୍ଲାରୁ ସ୍ୱତନ୍ତ୍ର ଭାକ୍ସିନ ଭ୍ୟାନ ଟିକା ଗ୍ରହଣ କରିବାକୁ ରାଜ୍ୟ ଟିକା ଭଣ୍ଡାରରେ ପହଞ୍ଚିଛି।
ଆସନ୍ତା ତାରିଖରେ ରାଜ୍ୟରେ ମୋଟ ୧୬୨ଟି ଟିକା କେନ୍ଦ୍ରରେ ପ୍ରଥମ ପର୍ଯ୍ୟାୟ ଟିକାକରଣ କରାଯିବ। ପ୍ରଥମ ପର୍ଯ୍ୟାୟ ଟିକାକରଣ ପାଇଁ ୩ଲକ୍ଷ ୩୩ହଜାର ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ପଞ୍ଜିକୃତ କରାଯାଇଛି। ପ୍ରଥମ ଟିକାଗ୍ରହଣର ୨୮ଦିନ ପରେ ଦ୍ୱିତୀୟ ଡୋଜ ଟିକା ଦିଆଯିବ। ଏବଂ ଟିକା ଗ୍ରହଣର ୧୪ଦିନ ପରେ ଶରୀରରେ ଅଣ୍ଟିବଡି ସୃଷ୍ଟି ହେବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ଗୃହ ବିଭାଗ, ରାଜସ୍ୱ ବିଭାଗ ଓ ନଗର ଉନ୍ନୟନ ବିଭାଗ କର୍ମଚାରୀଙ୍କୁ ୨୫ତାରିଖ ସୁଦ୍ଧା ପଞ୍ଜିକରଣ କରାଯିବ।