୧ କୋଟି ୪୦ ଲକ୍ଷ ଲୋକଙ୍କ ହାତରେ ଦେଶର ୯୦ ପ୍ରତିଶତ ସମ୍ପତ୍ତି

ଭୁବନେଶ୍ବର: ଜିଏସଟି ବଢୁଛି । ଜିଡିପି ବଢୁଛି । ହେଲେ ବଢୁନି ଲୋକଙ୍କ ମୁଣ୍ଡ ପିଛା ଆୟ । ଆଁ କଲାଣି ଧନୀ ଗରିବ ତାରତମ୍ୟ । ୧୪୦ କୋଟି ବିଶିଷ୍ଟ ଜନସଂଖ୍ୟାର ମାତ୍ର ୧ ପ୍ରତିଶତ ଲୋକଙ୍କ ହାତରେ ଠୁଳ ହୋଇ ଚାଲିଛି ସମ୍ପତ୍ତି । ଆମେରିକାର ଗ୍ଲୋବାଲ ଫାଇନାନସିଆଲ ଇଣ୍ଟିଗ୍ରିଟି ଅର୍ଥନୈତିକ ଗବେଷକଙ୍କ ଭାରତ ସମ୍ପର୍କରେ ଏଭଳି ଅନୁଶୀଳନ ଏବେ ସମସ୍ତଙ୍କୁ ଚକିତ କରିଛି ।

ବେରୋଜଗାରୀ, ଦରଦାମ ବୃଦ୍ଧି ବେଡ଼ି ଉପରେ କୋରଡ଼ା ମାଡ଼ ଦେଉଛି । କ୍ରୋନି କ୍ୟାପିଟାଲିଜିମ୍ ଓ କିଛି ମୁଷ୍ଟିମେୟ ବିଲିୟନାରୀଙ୍କ ଯୋଗୁ ଧନୀ ଅଧିକ ଧନୀ ହୋଇଚାଲିଛନ୍ତି । ଏହାର ଅର୍ଥ ୧ କୋଟି ୪୦ ଲକ୍ଷ ଲୋକଙ୍କ ହାତରେ ଦେଶର ୯୦ ପ୍ରତିଶତ ଧନ ଠୁଳ ହେଉଥିବାବେଳେ ବାକି ଲୋକ ମାତ୍ର ୧୦ ପ୍ରତିଶତ ଧନରେ ନିଜର ଗୁଜରାଣ ମେଣ୍ଟାଉଛନ୍ତି । ଆଗରୁ ମଧ୍ଯ ଧନୀ ଓ ଗରିବ ଭିତରେ ବ୍ୟବଧାନ ଥିଲା । କିନ୍ତୁ ୨୦୧୪ ପରଠୁ ସ୍ଥିତି ସଙ୍ଗୀନ ହେବାରେ ଲାଗିଛି । ଏବେର କେନ୍ଦ୍ର ସରକାର ବାସ୍ତବତା ଯାହା ଥିଲେ ବି ଜିଏସ୍ଟି ଓ ଜିଡିପିକୁ ଦେଖାଇ ପ୍ରଚାରରେ ମାତିଛନ୍ତି । ବିରୋଧୀ ଓ ବିଶେଷଜ୍ଞଙ୍କ ଅଭିଯୋଗ ସାଂଘାତିକ ସ୍ଥିତିରେ ପହଞ୍ଚିଲାଣି ଦେଶର ଋଣଭାର ।

ଏବେ ଭାରତର ଗଚ୍ଛିତ ବୈଦେଶିକ ମୁଦ୍ରା ପରିମାଣ ୬୮୯.୪୬ ବିଲିୟନ୍ ଆମେରିକୀୟ ଡଲାର । କିନ୍ତୁ ଯେତିକ ଋଣ ହେଲାଣି ମୋଟ ବୈଦେଶିକ ମୁଦ୍ରାର ୯୫ ପ୍ରତିଶତ । କଂଗ୍ରେସ କହିଛି ଏପରି ଚାଲିଲେ ୨୦୪୭ ବେଳକୁ ବିକଶିତ ନୁହେଁ ବିକ୍ଷିପ୍ତ ଭାରତ ଭାବେ ବିଶ୍ବରେ ପରିଚୟ ପାଇବ ।

ଏବେକାର କେନ୍ଦ୍ର ସରକାର ପୁଞ୍ଜିବାଦ ଉପରେ ବେଶୀ ବିଶ୍ବାସ କରନ୍ତି । ନୋବେଲ ପୁରସ୍କାର ପ୍ରାପ୍ତ ଅମର୍ତ୍ତ୍ୟ ସେନଙ୍କ ମତରେ ଭାରତର ଆର୍ଥିକ ସମାନତା ସେତିକିବେଳ ଆସିବ ଯେତେବେଳେ ସମସ୍ତଙ୍କ ପାଇଁ ଗୁଣାତ୍ମକ ଶିକ୍ଷା ଓ ସ୍ବାସ୍ଥ୍ୟ ବ୍ୟବସ୍ଥା ମାଗଣା ମିଳିବ । ପୂର୍ବତନ ଅର୍ଥମନ୍ତ୍ରୀଙ୍କ ଅଭିଯୋଗ ଏବର କେନ୍ଦ୍ର ସରକାର ଡବଲ୍ ଇଞ୍ଜିନ୍ ନାଁରେ ରାଜ୍ୟ ରାଜ୍ୟ ଭିତରେ ଏକ ପ୍ରକାର ବୈଷମ୍ୟ ଭାବନା ବୁଣିଚାଲିଛନ୍ତି । ଯେଉଁଠି ଡବଲ୍ ଇଞ୍ଜିନ ନାହିଁ ସେଠି ବିକାଶ ନାହିଁ । ସ୍ବାଧୀନ ଭାରତରେ ବୋଧହୁଏ ଆଗରୁ କୌଣସି ସରକାର ଏପରି ଆଇନା ଦେଖାଇ ନଥିଲେ । ଅଭିବୃଦ୍ଧି ସହିତ ଲୋକଙ୍କ ମୁଣ୍ଡପିଛା ଆୟର କୌଣସି ସମ୍ପର୍କ ନାହିଁ । ଯଦି ତା ହୋଇଥାନ୍ତା ଦେଶର ଜିଡିପି ସହିତ ଲୋକଙ୍କ ପାଖରେ ରୋଜଗାର ମିଳୁଥାନ୍ତା । ଦରଦାମ ବି ସମସ୍ତଙ୍କୁ ସୁହାଇଲାଭଳି ହୋଇଥାନ୍ତା । ଜାତୀୟବୋଧ ନେଇ ଲୋକଙ୍କୁ ଏକଜୁଟ କରିବା ଭଲ । କିନ୍ତୁ ଯେତେବେଳେ ପେଟକୁ ଦାନା ନଥିବ ସେତେବେଳେ ସେଦିନ ଦୂର ନୁହେଁ ଭାରତରେ ଶ୍ରୀଲଙ୍କା, ବାଂଲାଦେଶ ଭଳି ସ୍ଥିତି ସୃଷ୍ଟି ହେବ ।