ହକି ବିଶ୍ବକପ୍ ପାଇଁ କାଉଣ୍ଟଡାଉନ୍ ଆରମ୍ଭ: ରାଉରକେଲାରେ ହକି ଫିଭର୍

1 min read

ଭୁବନେଶ୍ବର: ପୁଣି ଓଡ଼ିଶାରେ ଶୁଭୁବ ହକି ହକି । କଳିଙ୍ଗରେ ଜମିବ ‘ଗୋଲ’ କ୍ରେଜ୍, ରାଉରକେଲାରେ ରୋମାଞ୍ଚ ଭରିବ ଷ୍ଟିକ୍ । ଓ୍ବାର୍ଲଡ କପ୍ ଟାଇଟଲ୍ ପାଇଁ ଦେଖିବାକୁ ମିଳିବ ଦମଦାର ଟକ୍କର । ହକି ବିଶ୍ବକପ ୨୦୨୩ ପାଇଁ ଆରମ୍ଭ ହେଲା କାଉଣ୍ଟଡାଉନ୍ । ଡ୍ର ସେରିମନିରେ ଗତକାଲି ପୁଲ୍ ଡ୍ର ଆସିଥିବା ବେଳେ ମ୍ୟାଚ୍ ସିଡ୍ୟୁଲ ଆସିବା ବାକି ରହିଛି । ସେପଟେ ବିଶ୍ବକପ ଖେଳାଯିବାକୁ ଥିବା ରାଉରକେଲର ସର୍ବବୃହତ ହକି ଷ୍ଟାଡିୟମର ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଦୁଇଦିନ ତଳେ ଏଫଆଇଏଚର କାର୍ଯ୍ୟକାରୀ ସଭାପତିଙ୍କ ସହ ଉଚ୍ଚସ୍ତରୀୟ କମିଟି ନବନିର୍ମିତ ଷ୍ଟାଡିୟମ ପରିଦର୍ଶନ କରି ଖୁସି ବ୍ୟକ୍ତ କରିଛନ୍ତି । ଦୁଇଟି ଷ୍ଟାଡିୟମରେ ବିଶ୍ବକପ ଭେନ୍ୟୁ ହେବା ଚ୍ୟାଲେଞ୍ଜ ବୋଲି ଏଫଆଇଏଚର ସିଇଓ ଥିଏରି ଓ୍ବେଲ କହିଛନ୍ତି । ତେବେ ଆୟୋଜକ ଓଡ଼ିଶା ସୁବ୍ୟବସ୍ଥା କରିଛି । ରାଉରକେଲା ଷ୍ଟାଡିୟମରେ ବିଶ୍ବକପର କିଛି ମ୍ୟାଚ୍ ଖେଳାଯିବା ସହ ସମସ୍ତ ଟିମ୍ ଏଠାରେ ମ୍ୟାଚ୍ ଖେଳିପାରନ୍ତି ବୋଲି ଥିଏରି ଓ୍ବେଲ କହିଛନ୍ତି । ସେପଟେ ବିଶ୍ବକପର ସମସ୍ତ ଟିମ୍ ରାଉରକେଲାରେ ମ୍ୟାଚ ଖେଳିଲେ, ସୁନ୍ଦରଗଡ଼ ସହ ଆଖପାଖ ଅଞ୍ଚଳରେ ହକି କ୍ରେଜକୁ ଆହୁରି ଦ୍ବିଗୁଣିତ କରିବ ବୋଲି ହକି ଲିଜେଣ୍ଡ ଦିଲ୍ଲୀପ ତିର୍କୀ କହିଛନ୍ତି ।

ହକି ବିଶ୍ବକପ ପ୍ରଥମେ ପୁଲ ପର୍ଯ୍ୟାୟ ମ୍ୟାଚ୍, ପରେ କ୍ରସ ଓଭର, କ୍ବର୍ଟର ଫାଇନାଲ, ସେମିଫାଇନାଲ ଓ ଫାଇନାଲ ମ୍ୟାଚ୍ ଖେଳାଯିବ । କ୍ରୀଡ଼ା ବିଶେଷଜ୍ଞଙ୍କ ମତରେ ପୁଲରେ ଭାରତ ଶୀର୍ଷରେ ରହିଲେ ପୁଲ-ବିରେ ଥିବା ବେଲଜିୟମ୍ କିମ୍ବା ଜର୍ମାନୀ ସହ କ୍ବାର୍ଟର ଫାଇନାଲ ଖେଳିବା ସମ୍ଭାବନା ଅଧିକ ରହିଛି । ବିଶ୍ବକପ ପାଇଁ ଆସନ୍ତା ଅକ୍ଟୋବର ୨ରୁ କଳିଙ୍ଗ ଷ୍ଟାଡିୟମରେ ଭାରତ କ୍ୟାମ୍ପ ପଡିବ, ପରେ ରାଉରକେଲା ଷ୍ଟାଡିୟମରେ ମଧ୍ୟ କ୍ୟାମ୍ପ ପଡିବ ।

ଏବେ ବେଙ୍ଗାଳୁରୁରେ ଭାରତୀୟ କ୍ୟାମ୍ପ ପଡ଼ିଥିବା ବେଳେ ଏଥିରେ ୬ ଜଣ ଓଡ଼ିଆ ଖେଳାଳି ସ୍ଥାନ ପାଇଛନ୍ତି । ଚୂଡାନ୍ତ ଭାରତୀୟ ଟିମରେ ୩ରୁ ଅଧିକ ଓଡ଼ିଆ ଖେଳାଳି ସ୍ଥାନ ପାଇବେ ବୋଲି ଆଶା ରହିଛି ।