ପିଆଜ, ରସୁଣ ଦାମ ବୃଦ୍ଧି ପଛରେ କର୍ପୋରେଟ୍ ହାଉସ୍, ଲଗାମ ନଲଗାଇଲେ ସ୍ଥିତି ଭୟାବହ ହେବ: ଓଡିଶା ବ୍ୟବସାୟୀ ମହାସଂଘ

ଭୁବନେଶ୍ବର: ରାଜ୍ୟରେ ପିଆଜ ଓ ରସୁଣ ଦାମ ଆକାଶ ଛୁଆଁ । ସ୍ଥିତି ଏମିତି ଯେ, ଲୋକେ ପିଆଜ ଓ ରସୁଣ କିଣିବାକୁ ବି ଡରିଲେଣି । ଏପରି ଦରବୃଦ୍ଧି ପାଇଁ କର୍ପୋରେଟ ହାଉସକୁ ଦାୟୀ କଲା ଓଡିଶା ବ୍ୟବସାୟୀ ମହାସଂଘ ।

ଓଡିଶା ବ୍ୟବସାୟୀ ମହାସଂଘ ମହାସଚିବ ସୁଧାକର ପଣ୍ଡା କହିଛନ୍ତି, କର୍ପୋରେଟ ହାଉସର ଭୂମିକା ସମସ୍ତଙ୍କୁ ବାଧୁଛି । କର୍ପୋରେଟ ହାଉସ ଅନୈତିକ ଭାବେ ଦରବୃଦ୍ଧି କରୁଛନ୍ତି । ସରକାର ଏଥିପ୍ରତି ଦୃଷ୍ଟି ନଦେଲେ ଆଗକୁ ପରିସ୍ଥିତି ଭୟଙ୍କର ହେବ । ଅନୈତିକ ଉପାୟରେ ଅତ୍ୟାବଶ୍ୟକ ସାମଗ୍ରୀ ହୋର୍ଡିଙ୍ଗ କରି ରଖିବା ସହ ମାର୍କେଟରେ ମନଇଚ୍ଛା ଦରବୃଦ୍ଧି କରୁଛନ୍ତି । ଏନଜିଓ ମାଧ୍ୟମରେ ସର୍ଭେ କରି କର୍ପୋରେଟ କମ୍ପାନୀ ମାର୍କେଟରେ ଯେଉଁ ସାମଗ୍ରୀ ଅଭାବ ରହୁଛି ସେସବୁ ସାମଗ୍ରୀ ହୋର୍ଡିଙ୍ଗ କରିବା ସହ ଦରବୃଦ୍ଧି କରୁଛନ୍ତି । ରସୁଣ ଦର ବୃଦ୍ଧି ମଧ୍ୟ ସେଥିପାଇଁ ହେଉଛି । ସରକାର ଗଛିତ ସାମଗ୍ରୀର ଆକାଉଣ୍ଟସ ତନଖି କଲେ ସବୁ ଜଣା ପଡିଯିବ । ଏ ଦିଗରେ ସରକାରଙ୍କର କେତେ ଆନ୍ତରିକତା ରହିଛି ତାହା ଜଣାନାହିଁ ବୋଲି କହିଲେ ସୁଧାକର କହିଛନ୍ତି ।

ସେପଟେ ଆନ୍ଧ୍ରରେ ବର୍ଷା ଦ୍ୱାରା ପିଆଜର ପ୍ରଥମ ଫସଲ ପ୍ରଭାବିତ ହୋଇଛି । ମହାରାଷ୍ଟ୍ରରେ ନିର୍ବାଚନ ଥିବାରୁ ନାସିକରେ ପିଆଜ ଦାମ ଅଧିକ ଡିମାଣ୍ଡ କରୁଛନ୍ତି । ସେଥିପାଇଁ ପିଆଜ ଦାମ ବଢୁଛି । ଆଳୁ ଦାମ କିନ୍ତୁ ରାଜ୍ୟରେ ୨୭ରୁ ୨୮ ଟଙ୍କା କିମ୍ବା ସର୍ବାଧିକ ୩୦ ଟଙ୍କାରୁ ଅଧିକ ବିକ୍ରି ହେବା କଥା ନୁହେଁ ବୋଲି କହିଛି ବ୍ୟବସାୟୀ ମହାସଂଘ ।