ବର୍ଷ ଶେଷ ସୁଦ୍ଧା ଆସିପାରେ କରୋନା ଟିକା: ଭାରତରେ ତିନୋଟି ଟିକା ପରୀକ୍ଷଣର ସ୍ଥିତି କଣ, ଜାଣନ୍ତୁ

1 min read

ନୂଆଦିଲ୍ଲୀ: ସମଗ୍ର ବିଶ୍ୱ ଏବେ କରୋନା ମହାମାରୀ ଭ୍ୟାକ୍ସିନ୍ ଅପେକ୍ଷାରେ ରହିଛି । କରୋନା ଟିକା କେବେ ଆସିବ ତାହା ସମସ୍ତଙ୍କ ଚିନ୍ତା । ଏହି ସମୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) କହିଛି ଯେ, ଚଳିତ ବର୍ଷ ଶେଷ ସୁଦ୍ଧା କରୋନା ଟିକା ଉପଲବ୍ଧ ହୋଇପାରେ। ତେବେ ଏ ନେଇ WHOର ମୁଖ୍ୟ ଅଧିକ ସୂଚନା ଦେଇନାହାଁନ୍ତି । ସେ କେବଳ କହିଛନ୍ତି ଯେ, ଏବେ ସମସ୍ତଙ୍କୁ ଟିକା ଦରକାର ଏବଂ ଚଳିତ ବର୍ଷ ଶେଷ ସୁଦ୍ଧା ଲୋକେ ଟିକା ପାଇପାରନ୍ତି ।

ବିଶ୍ୱବ୍ୟାପୀ ନଅଟି କରୋନା ଟିକା ର ବିଭିନ୍ନ ପର୍ଯ୍ୟାୟରେ କ୍ଲିନିକାଲ୍ ପରୀକ୍ଷା ଚାଲିଛି । ସମସ୍ତେ ଏହି ଟ୍ରାୟଲର ଫଳାଫଳ ଅପେକ୍ଷାରେ ଅଛନ୍ତି । ଋଷ ଏବଂ ଚୀନ୍ ଏହି ଟିକା ପ୍ରସ୍ତୁତ କରିଛନ୍ତି ଏବଂ ରିପୋର୍ଟ ଅନୁଯାୟୀ, ସେଠାରେ ଏହି ଟିକା କିଛି ରୋଗୀଙ୍କୁ ଦିଆଯିବା ଆରମ୍ଭ ହୋଇସାରିଛି।

କରୋନା ଭୂତାଣୁ ଦ୍ୱାରା ଅଧିକ ପ୍ରଭାବିତ ଦେଶ ମଧ୍ୟରେ ଭାରତ ମଧ୍ୟ ରହିଛି । ଆମେରିକା ପରେ ଭାରତରେ ସର୍ବାଧିକ କରୋନା ମାମଲା ରିପୋର୍ଟ ହୋଇଛି । ଏଭଳି ପରିସ୍ଥିତିରେ ଦେଶର ଲୋକମାନେ ମଧ୍ୟ ଏକ ପ୍ରଭାବଶାଳୀ ଟିକା ଚାହୁଁଛନ୍ତି। ଭାରତରେ ଏବେ ତିନୋଟି କରୋନା ଟିକା ନେଇ ପରୀକ୍ଷଣ ଚାଲିଛି। ସମସ୍ତ ଟିକା ପରୀକ୍ଷଣର ବିଭିନ୍ନ ପର୍ଯ୍ୟାୟରେ ରହିଛି । ନିକଟରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ କହିଛନ୍ତି ଯେ, ୨୦୨୧ ଜୁଲାଇ ମାସ ସୁଦ୍ଧା ସରକାର ୪୦ ରୁ ୫୦କୋଟି ଡୋଜ ଯୋଗାଇବାକୁ ଯୋଜନା କରୁଛନ୍ତି। ତେବେ ଭାରତରେ ଚାଲୁଥିବା ତିନୋଟି ଟିକା ଏବଂ ପରୀକ୍ଷା ଜାଣନ୍ତୁ…

ପ୍ରଥମ ଟିକା : କୋଭାକ୍ସିନ୍

କୋଭାକ୍ସିନ୍ ହେଉଛି ଭାରତର ପ୍ରଥମ ସ୍ୱଦେଶୀ କରୋନା ଟିକା । ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) ଏବଂ ଭାରତ ବାୟୋଟେକ୍ କମ୍ପାନୀ ଦ୍ୱାରା ଏହି ଟିକା ପ୍ରସ୍ତୁତ କରାଯାଉଛି । ଏହା ଏକ ନିଷ୍କ୍ରିୟ ଭୂତାଣୁ ଟିକା । ଏହି ଟିକା ପରୀକ୍ଷା ଦ୍ୱିତୀୟ ପର୍ଯ୍ୟାୟରେ ପହଞ୍ଚିଛି । ସୂଚନା ଅନୁଯାୟୀ ଟିକା ମୂଲ୍ୟ ବହୁତ କମ୍ ରଖାଯିବ।

ଦ୍ୱିତୀୟ ଟିକା: ଜାଇକୋଭ୍-ଡି

ଜାଇକୋଭ-ଡି ହେଉଛି ଦେଶର ଦ୍ୱିତୀୟ ସ୍ୱଦେଶୀ କରୋନା ଟିକା। ଏହା ଭାରତର ବଡ ଫାର୍ମା କମ୍ପାନୀ ଜାୟଡସ୍ କାଡିଲା ଦ୍ୱାରା ବିକଶିତ କରାଯାଇଛି । ଏହା ଏକ ପ୍ରକାର DNA ଆଧାରିତ ଟିକା । ଏହି ଟିକା ମଧ୍ୟ ମାନବ ପରୀକ୍ଷଣର ଦ୍ୱିତୀୟ ପର୍ଯ୍ୟାୟ ଦେଇ ଗତି କରୁଛି । ଏହାର ମୂଲ୍ୟ ବିଷୟରେ କୌଣସି ସୂଚନା ଦିଆଯାଇ ନାହିଁ।

ତୃତୀୟ ଟିକା: କୋଭିଶିଲ୍ଡ

କୋଭିଶିଲ୍ଡ ହେଉଛି ଭାରତର ତୃତୀୟ କରୋନା ଟିକା । ବ୍ରିଟେନର ଅକ୍ସଫୋର୍ଡ ୟୁନିଭରସିଟି ଏବଂ ଫାର୍ମା କମ୍ପାନୀ ଆଷ୍ଟ୍ରାଜେନେକା ଦ୍ୱାରା ଏହାକୁ ବିକଶିତ କରାଯାଇଛି । ଏହି ଟିକା ବର୍ତ୍ତମାନ ଦେଶରେ ମାନବ ପରୀକ୍ଷଣର ଦ୍ୱିତୀୟ ପର୍ଯ୍ୟାୟରେ ପହଁଞ୍ଚିଛି।

Leave a Reply