ଦେଶରେ ତାଣ୍ଡବ ରଚୁଛି କରୋନାର ଦ୍ୱିତୀୟ ପ୍ରବାହ, ଡରାଇଲାଣି ତୃତୀୟ ଲହର…

1 min read
Corona Second Wave Full National Lockdown Centre

ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ୱିତୀୟ ଲହର ଆତଙ୍କ ଖେଳାଇଛି । ପ୍ରଶ୍ନ ଉଠୁଛି କେନ୍ଦ୍ର ସରକାର କଣ ଦେଶରେ ଲକଡାଉନ୍ ଲଗାଇବାକୁ ବିଚାର କରୁଛନ୍ତି ? କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏଭଳି ସମ୍ଭାବନାକୁ ଏଡ଼ାଇ ଯାଇ ନାହିଁ । ନୀତି ଆୟୋଗ ସଦସ୍ୟ ଡକ୍ଟର ବିକେ ପାଲ୍ କହିଛନ୍ତି, ଜାତୀୟ ଲକଡାଉନ୍ ବିକଳ୍ପ ନେଇ ଆଲୋଚନା ଚାଲିଛି ।

ଦେଶରେ ଦୈନିକ ୪ ଲକ୍ଷ ସଂକ୍ରମଣ ସହ ପାଖାପାଖି ୪ ହଜାର ମୃତ୍ୟୁ ହେଉଥିବା ବେଳେ କୋଭିଡ୍-୧୯ ଟାସ୍କ ଫୋର୍ସ ମୁଖ୍ୟଙ୍କ ଏଭଳି ବୟାନ ବେଶ୍ ଗୁରୁତ୍ୱବହନ କରୁଛି । ସେ କହିଛନ୍ତି, ସରକାର ଏବେର ସ୍ଥିତି ଦେଖି ନିର୍ଦ୍ଦେଶନାମା ଜାରି କରିଛନ୍ତି । କଡ଼ା ପ୍ରତିବନ୍ଧକ ଆବଶ୍ୟକତା ହେଉଛି । ଆହୁରି କଡ଼ା ପ୍ରତିବନ୍ଧକର ଆବଶ୍ୟକତାର ବିକଳ୍ପ ନେଇ ଆଲୋଚନା କରାଯାଉଛି । ଯେଉଁ ନିଷ୍ପତ୍ତି ନିଆଯିବା ଆବଶ୍ୟକ ହେବ ନିଆଯିବ ।

ନୀତି ଆୟୋଗ ସଦସ୍ୟ କହିଛନ୍ତି, ସ୍ଥାନୀୟ ସ୍ଥିତି ଆଧାରରେ ରାଜ୍ୟ ସରକାର ୧୦ ପ୍ରତିଶତ ଅଧିକ ସଂକ୍ରମଣ ହାର ଦେଖି ଜିଲ୍ଲାରେ ପ୍ରତିବନ୍ଧକ ଜାରି କରିପାରିବେ । ଅନ୍ୟପଟେ ମହାରାଷ୍ଟ୍ର, କେରଳ, ରାଜସ୍ଥାନ, କର୍ଣ୍ଣାଟକ, ଦିଲ୍ଲୀ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଭଳି ରାଜ୍ୟରେ ଲକଡାଉନ୍, କର୍ଫ୍ୟୁ, ନାଇଟ୍ କର୍ଫ୍ୟୁ, ୱିକେଣ୍ଡ ସଟଡାଉନ୍ ସତ୍ତ୍ୱେ କରୋନା ମାମଲା ଥମୁନି । ଏସବୁ ଭିତରେ ଦେଶରେ ସମ୍ପୂର୍ଣ୍ଣ ଲକଡାଉନ୍ ନେଇ ଚର୍ଚ୍ଚା ହେଉଛି ।

ଦେଶରେ କରୋନାର ଦ୍ୱିତୀୟ ପ୍ରବାହର ପ୍ରଭାବକୁ ଦେଖି ବିଗତ କିଛିଦିନ ହେଲା ଲକଡାଉନ୍ ଦାବି ହେଉଛି । ରାଜନେତାଙ୍କ ସହ ବିଶେଷଜ୍ଞ ମଧ୍ୟ ଦେଶବ୍ୟାପୀ ଲକଡାଉନ୍ ଲଗାଇବା ପାଇଁ ସ୍ୱର ଉଠାଇଲେଣି । କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ମଧ୍ୟ ସମ୍ପୂର୍ଣ୍ଣ ଲକଡାଉନ୍ ପାଇଁ ଦାବି ଉଠାଇଛନ୍ତି ।

Corona Second Wave Full National Lockdown Centre

ଆମେରିକାର ବରିଷ୍ଠ ସ୍ୱାସ୍ଥ୍ୟ ବିଶେଷଜ୍ଞ ଡକ୍ଟର ଏଣ୍ଟନି ଫାଉଚି ମଧ୍ୟ ଭାରତରେ ଲକଡାଉନ୍ ସପକ୍ଷରେ ଅଛନ୍ତି । ଲକଡାଉନ୍ ହିଁ ସଂକ୍ରମଣ ଗତିକୁ ରୋକିବ ବୋଲି ସେ କହିଛନ୍ତି । ଗୁରୁବାର ଦେଶରେ କରୋନାର ରେକର୍ଡ ସଂଖ୍ୟକ ମାମଲା ଚିହ୍ନଟ ହୋଇଛି । ଦିନକରେ ୪.୧୨ ଲକ୍ଷ ସଂକ୍ରମଣ ମାମଲା ଆସିଥିବା ବେଳେ ୪ ହଜାର ଜଣଙ୍କ ମୃତ୍ୟୁ ହୋଇଛି । ଏଥିସହ ଦେଶରେ ସକ୍ରିୟ ସଂକ୍ରମଣ ମାମଲା ୩ ଲକ୍ଷ ପାର୍ କରିଛି । ମହାରାଷ୍ଟ୍ର, କର୍ଣ୍ଣାଟକ, କେରଳ, ଦିଲ୍ଲୀ, ଉତ୍ତରପ୍ରଦେଶ, ତାମିଲନାଡ଼ୁ ଆଦି ରାଜ୍ୟରେ ସବୁଠୁ ଅଧିକ ମାମଲା ଆସୁଛି । ଦୁନିଆରେ ସବୁଠୁ ଅଧିକ କରୋନା ସଂକ୍ରମିତ ମାମଲା ଭାରତରେ ଚିହ୍ନଟ ହେଉଛି ।

ଗୋଟିଏ ପଟେ ଦେଶ କରୋନାର ଦ୍ୱିତୀୟ ପ୍ରବାହ ସହ ଯୁଝୁଥିବା ବେଳେ ବିଶେଷଜ୍ଞ ତୃତୀୟ ଲହରର ଚେତାବନୀ ଦେଇଛନ୍ତି । ଭାରତ ସରକାରଙ୍କ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା କହିଛନ୍ତି, କରୋନାର ତୃତୀୟ ପ୍ରବାହ ନିଶ୍ଚିତ ଆସିବ । ତେବେ ଏହା କେବେ ଆସିବ ଅନୁମାନ କରି ହେବନାହିଁ । ଦେଶରେ କରୋନାର ଦ୍ୱିତୀୟ ପ୍ରବାହ ବେଳେ ସ୍ୱାସ୍ଥ୍ୟାସେବାର ବିପର୍ଯ୍ୟସ୍ଥ ଚିତ୍ର ପଦାରେ ପଡ଼ିଛି । ତ ପ୍ରଶ୍ନ ଉଠୁଛି ଦେଶ କରୋନାର ତୃତୀୟ ପ୍ରବାହର ସାମ୍ନା କେମିତି କରିବ ?

ଏଥିସହ ପଢ଼ନ୍ତୁ- ‘ଭାରତରେ ନିଶ୍ଚୟ ଆସିବ କରୋନାର ତୃତୀୟ ପ୍ରବାହ, ଟାଳି ହେବନି’

ଗୁରୁବାର ଶୁଣାଣି ବେଳେ ସୁପ୍ରିମକୋର୍ଟ ମଧ୍ୟ ତୃତୀୟ ପ୍ରବାହକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି, ସରକାରଙ୍କୁ ଏବେଠୁ ପ୍ରସ୍ତୁତ ହେବାକୁ ପଡ଼ିବ । କାରଣ ତୃତୀୟ ପ୍ରବାହ ଶିଶୁଙ୍କୁ ପ୍ରଭାବିତ କଲେ ଚିକିତ୍ସା ସହ ବାପାମାଆଙ୍କ ଅବସ୍ଥା ଭାବିବାକୁ ପଡ଼ିବ । ଏଥିସହ ଡକ୍ଟର୍ସ, ନର୍ସଙ୍କ ସହ ବିକଳ୍ପ ଯୋଜନା ପ୍ରସ୍ତୁତ ରଖିବାକୁ ସୁପ୍ରିମକୋର୍ଟ କହିଛନ୍ତି ।

Leave a Reply