ବ୍ରିଟେନରେ ନୂଆ ଭାଇରସ, ଭାରତ ପକ୍ଷରୁ ଫ୍ଲାଇଟ ବାତିଲ

ନୂଆଦିଲ୍ଲୀ: ନୂଆ ରୂପରେ ପୁଣି କାୟା ବିସ୍ତାର କରୁଛି କରୋନା । ବ୍ରିଟେନରେ କରୋନାର ଏକ ନୂଆ ପ୍ରକାର ଭୂତାଣୁର ସନ୍ଧାନ ମିଳିଛି । ପୂର୍ବରୁ ଚିହ୍ନଟ ଭୂତାଣୁ ଅପେକ୍ଷା ଏହା ଅଧିକ ଭୟଙ୍କର ବୋଲି ମତ ଦେଇଛନ୍ତି ବିଶେଷଜ୍ଞ । ସଂକ୍ରମଣ ରୋକିବାକୁ ବ୍ରିଟେନ ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କରିବା ସହ ପୁଣି ଶକ୍ତ କଟକଣା ଲାଗୁ କରିଛନ୍ତି । ବ୍ରିଟେନରେ ଏଭଳି ମାରାତ୍ମକ ଭାଇରସର ଉତ୍ପତି ପରେ ଭାରତକୁ ଘାରିଛି ଭୟ । ଫଳରେ ବ୍ରିଟେନରୁ ଆସିବାକୁ ଥିବା ସମସ୍ତ ଫ୍ଲାଇଟର ଉଡାଣ ଡିସେମ୍ବର ୩୧ ପର୍ଯ୍ୟନ୍ତ ରଦ୍ଦ କରିଛନ୍ତି ଭାରତ ସରକାର ।

ଭାଇରସର ଭୟ ଭିତରେ ବ୍ରିଟେନ୍ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମିଳିତ ମନିଟରିଂ ଗ୍ରୁପ୍‌ର ଜରୁରୀ ବୈଠକ ଡକାଯାଇଛି । ବୈଠକରେ କରୋନାର ନୂଆ ଷ୍ଟ୍ରେନ୍‌କୁ ନେଇ ଆଲୋଚନା କରାଯିବ । ଏଥିରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଭାରତର ପ୍ରତିନିଧୀ ଡକ୍ଟର ରଡ୍‌ରିକୋ ଏଚ୍ ଅଫ୍ରିନ୍ ସାମିଲ ହୋଇପାରନ୍ତି । ତେବେ ବ୍ରିଟେନ୍‌ରେ କରୋନାର ନୂଆ ରୂପ ଭାରତ ସରକାରକୁ ଛାନିଆ କରିଛି ।

ଆଜି ରାତି ୧୨ଟାରୁ ଭାରତକୁ ଆସିବାକୁ ଥିବା ଫ୍ଲାଇଟ ଉପରେ କଟକଣା ଲାଗୁ କରାଯାଇଛି । ଫଳରେ ଡିସେମ୍ବର ୩୧ ପର୍ଯ୍ୟନ୍ତ କୌଣସି ବିମାନ ଚଲାଚଳ କରିବ ନାହିଁ । ଏବଂ ଏହା ପୂର୍ବରୁ ଆସିବାକୁ ଥିବା ସମସ୍ତ ବିମାନଯାତ୍ରୀ ଆରଟି ପିସିଆର ଟେଷ୍ଟ କରିବା ବାଧ୍ୟତାମୂଳକ ବୋଲି କହିଛନ୍ତି ସରକାର ।

ବ୍ରିଟେନ୍ ସମେତ ନେଦରଲ୍ୟାଣ୍ଡ, ଡେନମାର୍କ, ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକାରେ ମଧ୍ୟ କରୋନାର ନୂଆ ଭୂତାଣୁ ସଂକ୍ରମଣ ସନ୍ଧାନ ମିଳିଛି । ସ୍ଥିତି ଅଣାୟାତ୍ତ ହେଉଥିବାରୁ ପଡ଼ୋଶୀ ଦେଶଗୁଡ଼ିକ ବ୍ରିଟେନକୁ ବିମାନ ଚଳାଚଳ ବନ୍ଦ କରିଦେଇଛନ୍ତି । ପୂର୍ବରୁ ଖ୍ରୀଷ୍ଟମାସ ପାଳନ ପାଇଁ ବ୍ରିଟେନରେ ସମସ୍ତ କଟକଣା ହଟାଇ ଦିଆଯାଇଥିଲା । ହେଲେ ନୂଆ ଲହର ଯୋଗୁ ହଟସ୍ପଟ୍‌ରେ ବଡ଼ଦିନ ଓ ନୂଆବର୍ଷ ପାଳନ ଉପରେ ରୋକ ଲଗାଇଛନ୍ତି ବ୍ରିଟେନ୍ ସରକାର ।

Leave a Reply