ଖାଦ୍ୟ ଯୋଗାଣ ତଥା ବିଜ୍ଞାନ ବୈଷୟିକ ମନ୍ତ୍ରୀଙ୍କ ବାହସ୍ଫୋଟ: ୫ କର୍ମଚାରୀଙ୍କୁ ନେଇ ଗାଁରେ ବିଜ୍ଞାନକୁ କରିବେ ସମ୍ପୃଦ୍ଧ

ଭୁବନେଶ୍ବର: ପୁଣି ଚର୍ଚ୍ଚାରେ ଖାଦ୍ୟ ଯୋଗାଣ ତଥା ବିଜ୍ଞାନ ବୈଷୟିକ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ରାଜ୍ୟର ଆଳୁ ସଙ୍କଟ ବେଳେ ମିଛ କହି ବିବାଦରେ ଥିବା ବେଳେ ଏବେ ପୁଣି ବିଜ୍ଞାନକୁ ସମୃଦ୍ଧ କରିବା ସମ୍ପର୍କିତ ନିଷତ୍ତିକୁ ନେଇ ବିବାଦକୁ ଟାଣି ହୋଇଯାଇଛନ୍ତି । ଓଡ଼ିଶାର ଗ୍ରାମାଞ୍ଚଳର ଛାତ୍ରଛାତ୍ରୀମାନେ ବିଜ୍ଞାନରେ ଦୁର୍ବଳ । ଏସବୁରେ ସୁଧାର ଆଣିବାକୁ ସରକାର ଓଡିଶା ବିଜ୍ଞାନ ଏକାଡେମୀ ଦ୍ୱାରା ଜୋନାଲ ସ୍ତରରେ ବ୍ୟାପକ କାର୍ଯ୍ୟକ୍ରମ କରିବାକୁ ନିଷ୍ପତ୍ତି ନେଇଛନ୍ତି । ବିଜ୍ଞାନ ଓ ବୈଷୟିକ ମନ୍ତ୍ରୀ ଏ ସମ୍ପର୍କରେ ଜଣାଇଥିବା ବେଳେ ଅତ୍ୟଧିକ କାର୍ଯ୍ୟ ଚାପରେ ଥିବା ଓଡିଶା ବିଜ୍ଞାନ ଏକାଡେମୀ ମାତ୍ର ୫ ଜଣରେ କିଭଳି ଏତେ କାମ କରିପାରିବ ତାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି ।

ଖାଦ୍ୟ ଯୋଗାଣ ତଥା ବିଜ୍ଞାନ ବୈଷୟିକ ମନ୍ତ୍ରୀଙ୍କ ବିଜ୍ଞାନକୁ ନେଇ ବାହାସ୍ଫୋଟ । ମାତ୍ର ପାଞ୍ଚ ଜଣ କର୍ମଚାରୀରେ ଚାଲିଥିବା ବିଜ୍ଞାନ ଏକାଡେମୀ ଉପରେ ଅଧିକ ଚାପ ପକାଇବାକୁ ଚେଷ୍ଟା । ଓଡ଼ିଶାର ବିଜ୍ଞାନ ଶିକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କୁ ସମୃଦ୍ଧ କରିବା ପାଇଁ କାର୍ଯ୍ୟ କରୁଥିବା ଓଡିଶା ବିଜ୍ଞାନ ଏକାଡେମୀ ସଭାପତି ଓ ସମ୍ପାଦକଙ୍କୁ ମିଶାଇ ମାତ୍ର ପାଞ୍ଚ ଜଣରେ ଚାଲିଛି । ଏଭଳି ସମୟରେ ସରକାର ଆହୁରି ଚାପ ଲଦିବା ଚେଷ୍ଟାକୁ ଖୋଲାଖୋଲି ନାପସନ୍ଦ କରିଛନ୍ତି ଏକାଡେମୀର ଅଧିକାରୀ । ଯାହାକୁ ନେଇ ଭିନ୍ନ ଏକ ବିବାଦ ମୁଣ୍ଡ ଟେକିଛି ।

ବିଜ୍ଞାନ ଓ ବୈଷୟିକ ମନ୍ତ୍ରୀଙ୍କ କହିବା କଥା ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଜ୍ଞାନର ପ୍ରଚାର ପ୍ରସାର ପାଇଁ ୮ରୁ ୧୦ଟି ଜିଲ୍ଲାକୁ ନେଇ ଜୋନାଲ ସ୍ତରରେ ଶିକ୍ଷକ, ଛାତ୍ରଛାତ୍ରୀ ଓ ବୈଜ୍ଞାନିକମାନଙ୍କର ଭାବ ବିନିମୟ କାର୍ଯ୍ୟକ୍ରମ ହେବ । ଯାହା ଫଳରେ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ, ଶିକ୍ଷକଙ୍କ ଯିବା ଆସିବା ସମସ୍ୟା ମଧ୍ୟ ଦୂର ହେବ । ହେଲେ ମନ୍ତ୍ରୀଙ୍କ ଏଭଳି ନିଷ୍ପତ୍ତିକୁ ନେଇ ଏକାଡେମୀ ଅଧିକାରୀଙ୍କ ମଧ୍ୟରେ ଅସନ୍ତୋଷ ଉପୁଜିଛି । ସଭାପତି ଓ ସମ୍ପାଦକ ଦୁଇଜଣ ସଂସ୍ଥାକୁ ସମ୍ଭାଳୁଛନ୍ତି । ଜିଲ୍ଲା ସ୍ତରରେ କେହି ସହଯୋଗର ହାତ ବଢାଇବାକୁ ନାହାନ୍ତି । ତେଣୁ ଜୋନାଲ ସ୍ତରରେ ଏହା କିଭଳି କାର୍ଯ୍ୟକାରୀ ହେବ ବୋଲି ପ୍ରଶ୍ନ କରିଛନ୍ତି ସମ୍ପାଦକ ପ୍ରଫେସର ଆଶିଷ କୁମାର ମହାନ୍ତି ।

ବିଜ୍ଞାନ ଏକାଡେମୀ ଏବେ ପାଞ୍ଚ ଜଣ କର୍ମଚାରୀରେ ପାଞ୍ଚଟି ପ୍ରମୁଖ କାର୍ଯ୍ୟ କରୁଛି । ତିନୋଟି ବିଜ୍ଞାନ ପତ୍ରିକା ବିଜ୍ଞାନ ଦିଗନ୍ତ, ସାଇନ୍ସ ହୋରାଇଜନ ଓ ଭିଯୁଆଲି ହ୍ୟାଣ୍ଡିକପ ପାଇଁ ବ୍ରେଲି ପତ୍ରିକା ପ୍ରକାଶନ ଓ ବାଣ୍ଟିବା । ୧୬ଟି ବିଜ୍ଞାନ ସମ୍ବନ୍ଧୀୟ ପୁରସ୍କାର ଓ ସମ୍ମାନ ଦେବା ଭଳି ବିଭିନ୍ନ ଦାୟିତ୍ୱ ତୁଲାଉଛି । ତେଣୁ କର୍ମଚାରୀ ସଂଖ୍ୟା ନ ବଢିଲେ କାର୍ଯ୍ୟକ୍ରମ କରିବା ଅସମ୍ଭବ । ଯେଉଁଥି ପାଇଁ କିଛି ନୂଆ ବୈଜ୍ଞାନିକ ଆବଶ୍ୟକ ବୋଲି କୁହାଯାଇଛି । ସେପଟେ ଏହାକୁ ନେଇ ସରକାରଙ୍କ ଉପରେ ବର୍ଷିଛି ଓଡିଶା ଅଭିଭାବକ ମହାସଂଘ । ସରକାର ପ୍ରକୃତ ସ୍ଥିତି ଜାଣିବାକୁ ଅସମର୍ଥ ବୋଲି ଅଭିଯୋଗ ହୋଇଛି । ସେପଟେ ଗ୍ରାମାଞ୍ଚଳ ସ୍କୁଲରେ ପିଲାଙ୍କ ବିଜ୍ଞାନ ଆଇଡ଼ିଆ ନାହିଁ । ସେମାନଙ୍କ ଉପରେ ଫୋକସ ଦିଆଯାଉଛି । ଅଳ୍ପ କର୍ମଚାରୀରେ ଏହା କରିବା କଷ୍ଟ ବହୁତ । କିନ୍ତୁ କିଛି ତ କରିବାକୁ ପଡିବ ବୋଲି କହିଛନ୍ତି ସଭାପତି ।

ପୂର୍ବରୁ ଆଳୁ ସଙ୍କଟ ନେଇ ମନ୍ତବ୍ୟ, ଧାନରେ କଟନୀ ଛଟନୀ ଆଦି ମନ୍ତବ୍ୟ ପ୍ରସଙ୍ଗକୁ ନେଇ ବିବାଦକୁ ଆସିଥିବା ବିଜ୍ଞାନ ଓ ବୈଷୟିକ ତଥା ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏବେ ରାଜ୍ୟର ବିଜ୍ଞାନ ଶିକ୍ଷା ସମ୍ପର୍କିତ ମନ୍ତବ୍ୟକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି ।