ଅଣସଂରକ୍ଷିତ ପଦବୀରେ ସଂରକ୍ଷିତ ବର୍ଗର ଅଧିକାରୀଙ୍କୁ ପଦୋନ୍ନତି ନେଇ ବିବାଦ
1 min read
ନନ୍ଦିଘୋଷ ବ୍ୟୁରୋ: ସରକାରୀ ଅଧିକାରୀଙ୍କ ପଦୋନ୍ନତି ନେଇ ଅନିୟମିତତା । ଖୋଲାଖୋଲି ସୁପ୍ରିମକୋର୍ଟଙ୍କ ଆଦେଶର ଉଲଂଘନ କଲେ ମୋହନ ସରକାର ! କୌଣସି ଆଇନ, ଅଧିନିୟମ ବା ଅଦାଲତର ରାୟର ଆଧାର ନ ଥାଇ ୪ଟି ବିଭାଗରେ ୧୧୫ ଜଣ ମେରିଟ୍ ବିହୀନ ସଂରକ୍ଷିତ ବର୍ଗ ଅଧିକାରୀଙ୍କୁ ଅଣସଂରକ୍ଷିତ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ପଦବୀରେ ପଦୋନ୍ନତି ଦେବାକୁ ବିଭାଗ ସରକାରଙ୍କୁ ସୁପାରିସ କରିଛି । ଯାହାକୁ ନେଇ ମୁଣ୍ଡ ଟେକିଛି ବିବାଦ । ଓଡ଼ିଶା ସଚିବାଳୟ ସେବାର ପୂର୍ବତନ ଅଧିକାରୀଙ୍କ ଅଭିଯୋଗ ଗତବର୍ଷ ସେପ୍ଟେମ୍ବର ୧୧ ତାରିଖରେ ତତ୍କାଳୀନ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିଭାଗ ପ୍ରମୁଖ ସଚିବ ସଂରକ୍ଷିତ ବର୍ଗର କର୍ମଚାରୀଙ୍କ ପଦୋନ୍ନତି ନେଇ ସବୁ ବିଭାଗକୁ ଚିଠି ଲେଖିଲେ । ଅଭିଯୋଗ ହୋଇଛି ତତ୍କାଳୀନ ଏସ୍ଟି-ଏସ୍ସି ବିଭାଗ ସଚିବଙ୍କ ଆଦେଶକୁ ପାଳନ କରି ଅର୍ଥ ବିଭାଗରେ ୨୬ ଜଣଙ୍କୁ, ପୂର୍ତ୍ତ ବିଭାଗରେ ୫୧, ସାମାଜିକ ନ୍ୟାୟ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗରେ ୪ ଓ ଗୃହ ବିଭାଗରେ ୩୪ ଜଣ ସଂରକ୍ଷିତ ବର୍ଗର ଅଧିକାରୀଙ୍କୁ ସାଧାରଣ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ପଦବୀରେ ପଦୋନ୍ନତି ପ୍ରକ୍ରିୟା ଆରମ୍ଭ ହୋଇଛି । ପୂର୍ତ୍ତ ବିଭାଗର ଅନିୟମିତତା ନେଇ ଓଡ଼ିଶା ହାଇକୋର୍ଟରେ ମାମଲା ଦାଏର ପରେ ବିଭାଗୀୟ ପଦୋନ୍ନତି ଚୟନକମିଟି ବୈଠକକୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ରହିତାଦେଶ ଜାରି କରିଛନ୍ତି ।
ଏବେ ପଦୋନ୍ନତି ପୋଷ୍ଟ ବେସଡ୍ ଖାଲିଥିବା ପଦବୀ ଆଧାରରେ ପଦୋନ୍ନତି ବିଚାର କରାଯାଉଛି । ଆଇନଜୀବୀଙ୍କ ମତରେ ସାଧାରଣ ବର୍ଗର ପିଲାଙ୍କ ସହ ଚୟନ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଚାକିରି ପାଇଥିବା ମେରିଟୋରିଅସ୍ ରିଜର୍ଭ କ୍ଯାଣ୍ଡିଡେଟ-ଏମ୍ଆର୍ସି ଏକପ୍ରକାର ପଦୋନ୍ନତି କ୍ଷେତ୍ରରେ ସାଧାରଣ ବର୍ଗଙ୍କ ପଦବୀରେ ଅବସ୍ଥାପିତ ହୋଇପାରିବେ । ଏ ନେଇ ହାଇକୋର୍ଟ ଓ ସୁପ୍ରିମକୋର୍ଟ ବହୁବାର ରାୟ ଦେଇଛନ୍ତି । କିନ୍ତୁ ସଂରକ୍ଷିତ ବା ଆର୍ସି ବର୍ଗରେ ଚାକିରି ପାଇଥିବା କର୍ମଚାରୀଙ୍କୁ କୌଣସି ବି ସ୍ଥିତିରେ ସାଧାରଣ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ପଦବୀରେ ପଦୋନ୍ନତି ଦେବାର ନିୟମ ନାହିଁ । ଏହା ସର୍ଭିସ ଅଧିନିୟମର ବି ଉଲଂଘନ । ସରକାର ଏପରି କରିବା ପୂର୍ବରୁ ଆଇନ ବିଭାଗର ପରାମର୍ଶ ସହିତ ଆଡଭୋକେଟ୍ ଜେନେରାଲଙ୍କ ମତାମତ ନେବା ଉଚିତ ଥିଲା । ପଦୋନ୍ନତି କ୍ଷେତ୍ରରେ ଏସ୍ଟିଙ୍କ ପାଇଁ ୨୨.୫ ପ୍ରତିଶତ ସଂରକ୍ଷଣ ଓ ଏସ୍ସି ବର୍ଗଙ୍କ ପାଇଁ ୧୬.୨୫ ପ୍ରତିଶତ ରହିଥାଏ । କୌଣସି ବି ସ୍ଥିତିରେ ସଂରକ୍ଷଣ ୫୦ ପ୍ରତିଶତରୁ ଅଧିକ ହେବ ନାହିଁ ବୋଲି ସୁପ୍ରିମକୋର୍ଟ ଏକାଧିକ ଥର ସ୍ପଷ୍ଟ କରିଛନ୍ତି । ତଥାପି ସରକାର ଭୁଲ କରିବା ଦୁର୍ଭାଗ୍ୟଜନକ ।
ପଦୋନ୍ନତିକୁ ନେଇ ଏବେ ସରକାରୀଙ୍କ କର୍ମଚାରୀଙ୍କ ଭିତରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି । ଏସ୍ଟି ଓ ଏସ୍ସି କର୍ମଚାରୀଙ୍କୁ ପଦୋନ୍ନତିକୁ ନେଇ କେହି ବିରୋଧ କରୁନାହାନ୍ତି । କିନ୍ତୁ ତାହା ଆଇନର ଗଣ୍ଡି ଭିତରେ ରହୁ ବୋଲି ବହୁ ସରକାରୀ କର୍ମଚାରୀ ମତ ରଖିଛନ୍ତି ।