ବିଜେପି ଅଫିସରେ ଅଗ୍ନିବୀରଙ୍କୁ ସିକ୍ୟୁରିଟି ଚାକିରୀ ବୟାନ ଦେଇ ବିବାଦରେ ବିଜୟବର୍ଗୀୟ

ନୂଆଦିଲ୍ଲୀ: ଅଗ୍ନିପଥ ଯୋଜନାକୁ ନେଇ ସମଗ୍ର ଦେଶରେ ଜାରି ବିରୋଧ ପ୍ରଦର୍ଶନ ମଧ୍ୟରେ ବିବାଦୀୟ ମନ୍ତବ୍ୟ ଦେଇ ବିବାଦରେ ବିଜେପି ନେତା କୈଳାଶ ବିଜୟବର୍ଗୀୟ । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ପରେ ବିଜେପି ସାଂସଦ ବରୁଣ ଗାନ୍ଧୀଙ୍କ ସମେତ କଂଗ୍ରେସ ନେତା ବିଜୟବର୍ଗୀୟଙ୍କୁ ଘେରିଛନ୍ତି । ଯଦି ବିଜେପି ଅଫିସରେ ସିକ୍ୟୁରିଟି ରଖାଯିବ ତେବେ ଅଗ୍ନିବୀରଙ୍କୁ ପ୍ରାଥମିକତା ଦିଆଯିବ କହି ଚର୍ଚ୍ଚାରେ ବିଜେପି ନେତା ।

ମଧ୍ୟପ୍ରଦେଶ ଇନ୍ଦୋରରେ ଅଗ୍ନିପଥ ଯୋଜନାର ବିବରଣୀ ବୁଝାଇବା ସମୟରେ ସେ ଏପରି ବିବାଦୀୟ ବୟାନ ଦେଇଥିଲେ  । ଯାହାର ଉତ୍ତର ଦେଇଛି କଂଗ୍ରେସ । ‘ଅଗ୍ନିପଥକୁ ନେଇ ସବୁ ଆଶଙ୍କା ଦୂର କରିଦେଲେ ବିଜେପିର କୈଳାଶ ବିଜୟବର୍ଗୀୟ  । ଏପରି ମାନସିକତା ବିରୋଧରେ ସତ୍ୟାଗ୍ରହ’ କହିଛି କଂଗ୍ରେସ ।

ସେହିପରି ବିଜେପି ନେତା ବରୁଣ ଗାନ୍ଧୀ ମଧ୍ୟ ଟ୍ବିଟରରେ ଭିଡିଓ ସେୟାର କରି ଦଳୀୟ ନେତାଙ୍କୁ ଟାର୍ଗେଟ କରିଛନ୍ତି  । ସେ କହିଛନ୍ତି ଯେଉଁ ମହାନ ସେନାର ବୀରଗାଥା ବଖାଣିବା ପାଇଁ ସମୂଚିତ ଶବ୍ଦକୋଷ ଅସମର୍ଥ, ଯାହା ପରାକ୍ରମର କାହାଣୀ ସମଗ୍ର ବିଶ୍ବ ଗୁଣଗାନ କରୁଛି, ସେହି ଭାରତୀୟ ସୈନିକକୁ କୌଣସି ରାଜନୈତିକ ଦଳ ଅଫିସର ଚୌକିଦାରୀ କରିବା ନିମନ୍ତ୍ରଣ ଦେଇଥିବା ନେତାଙ୍କୁ ଧନ୍ୟବାଦ  । ଭାରତୀୟ ସେନା ମା ଭାରତୀଙ୍କ ସେବାର ମାଧ୍ୟମ ଅଟେ  । ଏକ ଚାକିରୀ ନୁହେଁ  ।

ବିଜେପି ନେତାଙ୍କ ବୟାନ ପରେ ଟ୍ବିଟ କରି ବର୍ଷିଛନ୍ତି ଏଆଇଏମଆଇଏମ ନେତା ଅସଦୁଦ୍ଦୀନ ଓୱେସୀ । ଏକ ସମ୍ମାନିତ ଚାକିରୀକୁ ମୋଦି ସରକାର ଏଭଳି ଭାବେ ସମ୍ମାନ ଦେଇଥାଏ  । ଖରାପ ଲାଗୁଛି ଯେ ଏପରି ଏକ ଦଳର ସରକାର ଶାସନ କରୁଛି । ଆମ ସେନା ପାକିସ୍ତାନ ଭଳି କେବେ ରାଜନୀତିରେ ସାମିଲ ହୋଇନି  । ଏହା ଆମ ଲୋକତନ୍ତ୍ରର ଶକ୍ତି ଅଟେ । କିନ୍ତୁ ଯୁବପୀଢୀଙ୍କ ସମସ୍ୟାର ସମାଧାନ କରିବା ପରିବର୍ତ୍ତେ ବିଜେପି ସେମାନଙ୍କ ସହ ବିପଦପୂର୍ଣ୍ଣ ଖେଳ ଖେଳୁଥିବା କହିଛନ୍ତି ଓୱେସୀ ।

ସେପଟେ ବିବାଦ ବଢୁଥିବା ଦେଖି ସଫେଇ ଦେଇଛନ୍ତି ବିଜୟବର୍ଗୀୟ । ଅଗ୍ନିପଥ ଯୋଜନାରୁ ବାହାରିବା ପରେ ଅଗ୍ନିବୀରମାନେ ନିଶ୍ଚିତରୂପେ ପ୍ରଶିକ୍ଷିତ ଓ କର୍ତ୍ତବ୍ୟ ପରାୟଣ ହେବେ । ସେବାକାଳ ପରେ ସେମାନେ ଯେଉଁ ବି କ୍ଷେତ୍ରରେ ଯିବେ ସେଠାରେ ତାଙ୍କ ଉତ୍କୃଷ୍ଟତା ଦେଖିବାକୁ ମିଳିବ । କିନ୍ତୁ ଟୁଲକିଟରେ ଜଡିତ ଲୋକେ ମୋ ବୟାନକୁ ଭୁଲ ଢଙ୍ଗରେ ଉପସ୍ଥାପନା କରିଛନ୍ତି । ରାଷ୍ଟ୍ରବୀର ଓ ଧର୍ମବୀରଙ୍କ ବିରୁଦ୍ଧରେ ଏହି ଟୁଲକିଟ ଗ୍ୟାଙ୍ଗର ଷଡଯନ୍ତ୍ର ସମଗ୍ର ଦେଶବାସୀ ଜାଣିଥିବା ସେ କହିଛନ୍ତି  ।