ହିନ୍ଦୁ ସତ୍ୟ ପାଇଁ ଲଢ଼ନ୍ତି, ହିନ୍ଦୁତ୍ୱବାଦୀ ହିଂସା ସୃଷ୍ଟି କରନ୍ତି: ରାହୁଲ ଗାନ୍ଧୀ

2 min read

ଆମେଠି: ଉତ୍ତରପ୍ରଦେଶ ଆମେଠିରେ ବିଜେପି ଉପରେ ବର୍ଷିଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଦରବୃଦ୍ଧି ଓ ବିଜେପି ସରକାରଙ୍କ ଏକଛତ୍ରବାଦ ଶାସନକୁ ବିରୋଧ କରି ଆଜି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଓ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏକ ପଦଯାତ୍ରା କରିଥିଲେ । ଏହି ପଦଯାତ୍ରାରେ ରାହୁଲ ଗାନ୍ଧୀ ପୁଣିଥରେ ହିନ୍ଦୁ ଓ ହିନ୍ଦୁତ୍ୱବାଦୀ ପ୍ରସଙ୍ଗକୁ ଉଠାଇଥିଲେ । ଏହି ପଦଯାତ୍ରାରେ ରାହୁଲ କହିଥିଲେ କି ଗାନ୍ଧୀଜି କହିଥିଲେ କି ହିନ୍ଦୁଙ୍କ ରାସ୍ତା ହେଉଛି ସତ୍ୟାଗ୍ରହ କିନ୍ତୁ ହିନ୍ଦୁତ୍ୱବାଦୀଙ୍କ ରାସ୍ତା ହେଉଛି କିପରି ଭାବରେ କ୍ଷମତା ଲାଭ କରିବେ । ଯେଉଁମାନେ ଅନ୍ୟାୟ ପାଇଁ ଲଢ଼େଇ କରନ୍ତି ସେମାନେ ହେଉଛନ୍ତି ହିନ୍ଦୁ ଆଉ ଯେଉଁମାନେ ହିଂସା ବିସ୍ତାର କରୁଛନ୍ତି ସେମାନେ ହେଉଛନ୍ତି ହିନ୍ଦୁତ୍ୱବାଦୀ ବୋଲି କହିଥିଲେ ରାହୁଲ ଗାନ୍ଧୀ ।

ଆମେଠିରେ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧନ କରିବା ସମୟରେ ରାହୁଲ ଗାନ୍ଧୀ କହିଥିଲେ କି ବର୍ତ୍ତମାନ ଗୋଟିଏ ପକ୍ଷରେ ହିନ୍ଦୁମାନେ ଅଛନ୍ତି ଯେଉଁମାନେ ସତ କହୁଛନ୍ତି । ଅନ୍ୟ ପକ୍ଷରେ ରହିଛନ୍ତି ହିନ୍ଦୁତ୍ୱବାଦୀ ଯେଉଁମାନେ ଲୋକମାନଙ୍କ ମଧ୍ୟରେ ଘୃଣାଭାବ ସୃଷ୍ଟି କରୁଛନ୍ତି ଏବଂ କ୍ଷମତା ହାତେଇବା ପାଇଁ କିଛି ବି କରିପାରନ୍ତି ବୋଲି ରାହୁଲ କହିଛନ୍ତି । ରାହୁଲ ଆହୁରି କହିଛନ୍ତି କି କେନ୍ଦ୍ର ସରକାର କୃଷକମାନଙ୍କ ଭଲ ପାଇଁ କୃଷି ଆଇନ ଆଣିଥିଲେ । କିନ୍ତୁ ଏକ ବର୍ଷ ପରେ ପ୍ରଧାନମନ୍ତ୍ରୀ ଏହି ଆଇନକୁ ନେଇ କ୍ଷମା ମାଗିଥିଲେ ଏବଂ ଏହି ଆଇନକୁ ପ୍ରତ୍ୟାହାର କରିଥିଲେ । କେନ୍ଦ୍ର ସରକାର ଯେଉଁ ସବୁ ଆଇନ ଆଣିଛନ୍ତି ଯଥା ବିମୁଦ୍ରାକରଣ, ଜିଏସଟି କିମ୍ବା କୃଷି ଆଇନ । ଏହି ସମସ୍ତ ଆଇନ ଫଳରେ ସାଧାରଣ ଲୋକଙ୍କର କିଛି ଲାଭ ହୋଇନାହିଁ । ଏହା କେବଳ ବଡ଼ ବଡ଼ ପୁଞ୍ଜିପତିଙ୍କ ପାଇଁ ହୋଇଛି ବୋଲି କହିଛନ୍ତି ରାହୁଲ ଗାନ୍ଧୀ ।

ଏହି କାର୍ଯ୍ୟକ୍ରମରେ ରାହୁଲ ଆହୁରି କହିଥିଲେ କି ଲଦାଖରେ ଚୀନ ସେନା ଦିଲ୍ଲୀ ପରିମାଣରେ ଜମି ଭାରତଠାରୁ ଛଡାଇ ନେଇଛି । କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପ୍ରସଙ୍ଗରେ କିଛି କଲେ ନାହିଁ କି କିଛି କହିଲେନି ମଧ୍ୟ । ଏହି ପ୍ରସଙ୍ଗରେ ଯେତେବେଳେ ମୋଦିଙ୍କୁ ପଚରାଯାଇଥିଲା ସେ କହିଥିଲେ କି କେହି ବି ଭାରତର ଜମି ନେଇ ନାହାନ୍ତି କିନ୍ତୁ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି କି ଚୀନ ଆମ ଜମି ଅକ୍ତିଆର କରିଛି । ରାହୁଲ ଗାନ୍ଧୀ ଆହୁରି କହିଥିଲେ କି ଦେଶରେ ବେରୋଜଗାରୀ ଓ ଦରବୃଦ୍ଧି ଦୁଇଟି ବଡ଼ ପ୍ରସଙ୍ଗ । କିନ୍ତୁ ଏହି ଦୁଇଟି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଉତ୍ତର ରଖୁନାହାନ୍ତି ବୋଲି କହିଥିଲେ ରାହୁଲ ଗାନ୍ଧୀ ।

 

Leave a Reply