କଂଗ୍ରେସରେ ଆଉ ମନ ଲାଗୁନି, ବିଜେପି ପାଇଁ ହାଇପାଇଁ ହେଉଛନ୍ତି ସନ୍ତୋଷ ସିଂହ ସାଲୁଜା

ନନ୍ଦିଘୋଷ ଟିଭି: ଦେହ କଂଗ୍ରେସ, ମନ ବିଜେପି । ବାଉଳି ହୋଇ ହାଉଳି ଖାଉଛନ୍ତି । କଂଗ୍ରେସରେ ଆଉ ମନ ଲାଗୁନି, ବିଜେପି ପାଇଁ ହାଇପାଇଁ । ଏଭଳି ଅବସ୍ଥା ଏବେ ରାଜ୍ୟ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜାଙ୍କର । ଋତୁ ଅନୁସାରେ ରଙ୍ଗ ବଦଳାଉଥିବା କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ସମସ୍ୟା ଶୁଣୁନାହାନ୍ତି କି ବିଷୟବସ୍ତୁ ଜାଣୁନାହାଁନ୍ତି । କାରଣ ହେଲା ସାଲୁଜା ଏବେ ନିଜର ରାଜନୈତିକ ଭବିଷ୍ୟତକୁ ନେଇ ସନ୍ଦିହାନ । ବିଭିନ୍ନ ପ୍ରକାର ଅପରାଧିକ କାର୍ଯ୍ୟରେ ସମ୍ପୃକ୍ତି ଯୋଗୁ ଧୀରେ ଧୀରେ ସେ ଜନତାଙ୍କ ଭରସା ହରାଇଲେଣି । ବିଭିନ୍ନ ସମୟରେ ବିବାଦୀୟ ବୟାନ ସାଙ୍ଗକୁ ସରକାରୀ ଅଧିକାରୀଙ୍କ ପ୍ରତି ଦୁର୍ବବ୍ୟହାର ପ୍ରଦର୍ଶନ କରୁଥିବାରୁ ତାଙ୍କ ବିରୋଧରେ ପ୍ରବଳ ଜନ ଅସନ୍ତୋଷ ଦେଖାଦେଲାଣି । ବିକାଶ କାର୍ଯ୍ୟରେ ବାରମ୍ବାର ବାଧା ସୃଷ୍ଟି କରୁଥିବାରୁ ନିଜ ନିର୍ବାଚନମଣ୍ଡଳୀରେ ମଧ୍ୟ ସେ ଭୋଟରଙ୍କ ଆସ୍ଥା ହରେଇସାରିଲେଣି ।

ଯେତେବେଳେ ଯାହା ମନକୁ ଆସିଲା ତାହା କହୁଛନ୍ତି ବିଧାୟକ । କଣ୍ଟାବାଞ୍ଜିବାସୀଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ବିଧାୟକ ହୋଇଛନ୍ତି ସାଲୁଜା । ସାଲୁଜା ଅତୀତରେ ଜଣେ କାଠ ମାଫିଆ ଓ ତାଙ୍କ ନାଁରେ ଅନେକ ଅପରାଧିକ ମାମଲା ରହିଛି ବୋଲି ମଧ୍ୟ ଅଭିଯୋଗ ହେଉଛି । କିଛି ମାସ ପୂର୍ବେ ସାନପୁଅ ସେଜି ବନ୍ଧୁକ ଦେଖାଇ ସିନେମା ହଲର ମାଲିକ ଓ ଭାଇଙ୍କୁ ଭୟଭୀତ କରିବା ସହ ମାଡ ମାରିଥିବା ଅଭିଯୋଗରେ ଗିରଫ ହୋଇଥିଲେ । ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଅପରାଧିକ ପୃଷ୍ଠଭୂମି ବିଷୟରେ ସମସ୍ତେ ଜାଣିଛନ୍ତି । ଲୋକଙ୍କ ଦୁଃଖ କମ ବରଂ ନିଜର ଖୁସି ଅଧିକ ଖୋଜନ୍ତି ବିଧାୟକ । ବ୍ୟକ୍ତିଗତ ସ୍ଵାର୍ଥ ପାଇଁ ସରକାରୀ ଅଧିକାରୀଙ୍କୁ ଖରାପ ବ୍ୟବହାର କରି ବେଆଇନ କାମ କରିବା ହେଉଛି ସନ୍ତୋଷଙ୍କ ଚିରାଚରିତ ଅଭ୍ୟାସ ।