ଚିନ୍ତନ ଶିବିରର ଶେଷ ଦିନ, ଏକ ପରିବାର, ଏକ ଟିକେଟ ପ୍ରସ୍ତାବ ଉପରେ ଲାଗିପାରେ ମୋହର

1 min read

ଉଦୟପୁର: କଂଗ୍ରେସ ନବ ସଂକଳ୍ପ ଚିନ୍ତନ ଶିବିରର ଆଜି ଶେଷ ଦିନ । ଦଳର ସାଂଗଠନିକ ପୁର୍ନବିନ୍ୟାସ ନେଇ ଆସିଥିବା ପ୍ରସ୍ତାବକୁ ଆଜି ଗୁରୁତ୍ବର ସହ ବିଚାର ପରେ ସେଥିରେ ଲାଗିପାରେ ମୋହର । କଂଗ୍ରେସ ସଂସଦୀୟ ବୋର୍ଡ ଗଠନ ପାଇଁ ଅସନ୍ତୁଷ୍ଟ ନେତାଙ୍କ ଦାବିକୁ ଦଳ ସ୍ବୀକାର କରିଛି । କିନ୍ତୁ ଏଥିପାଇଁ କଂଗ୍ରେସ ଓ୍ବାର୍କିଂ କମିଟିର ଅନୁମୋଦନ ଜରୁରୀ । କଂଗ୍ରେସ ଓ୍ବାର୍କିଂ କମିଟି ହେଉଛି ଦଳର ସର୍ବୋଚ୍ଚ ନୀତି ନିର୍ଦ୍ଧାରକ ସଂସ୍ଥା । କଂଗ୍ରେସ ସଂସଦୀୟ ବୋର୍ଡ ପାଇଁ ନିର୍ବାଚନ ହେବ ନା ଏହାର ସଦସ୍ୟ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ଦ୍ବାରା ମନୋନୀତ ହେବେ, ସେ ନେଇ ଓ୍ବାର୍କିଂ କମିଟି ନିଷ୍ପତ୍ତି ନେବ ।

କଂଗ୍ରେସ ସଂସଦୀୟ ବୋର୍ଡ ଦଳର କେନ୍ଦ୍ରୀୟ ନିର୍ବାଚନ କମିଟିର ସ୍ଥାନ ନେବ । ଏହା ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଚୟନ କରିବ । ପୂର୍ବରୁ କଂଗ୍ରେସ ନେତା ପି.ଭି. ନରସିଂହ ରାଓଙ୍କ ସମୟରେ ସଂସଦୀୟ ବୋର୍ଡ ଗଠନ ଲାଗି ଯେଉଁ ନିୟମ କରାଯାଇଥିଲା ତାହା ବଳବତ୍ତର ରହିନାହିଁ । କଂଗ୍ରେସର ସମ୍ବିଧାନ ଅନୁସାରେ ସିଡବ୍ଲୁସି ଏକ ସଂସଦୀୟ ବୋର୍ଡ ଗଠନ କରିବ ଯେଉଁଥିରେ କଂଗ୍ରେସ ଅଧ୍ୟକ୍ଷ ଓ ୯ ଜଣ ସଦସ୍ୟ ରହିବେ । ଏହି ୯ ଜଣଙ୍କ ମଧ୍ୟରେ ସଂସଦରେ ଦଳର ନେତା ସଦସ୍ୟ ରହିବେ । ଯଦି ଏହି ନୀତି ପୁଣି କାର୍ଯ୍ୟକାରୀ ହୁଏ ତେବେ ଲୋକସଭା ଓ ବିଧାନସଭା ନିର୍ବାଚନ ଲାଗି ପ୍ରାର୍ଥୀ ଚୟନ କରିବା କ୍ଷେତ୍ରରେ ଏହି ବୋର୍ଡ ପ୍ରମୁଖ ଭୂମିକା ଗ୍ରହଣ କରିବ । ଏହି ନିୟମକୁ ପୁନଃକାର୍ଯ୍ୟକ୍ଷମ କରିବା ଲାଗି ଗୁରୁତ୍ବ ଦେଇଆସୁଛନ୍ତି ଗ୍ରୁପ-୨୩ ନେତା । ଏହା ସହ ଏକ ପରିବାର ଏକ ଟିକେଟ ନୀତି ଓ ଅନ୍ୟାନ୍ୟ ପ୍ରସ୍ତାବ ଉପରେ ମୋହର ଲାଗିପାରେ ।