ନାମାଙ୍କନ ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ

1 min read
Congress

ପିପିଲି: ପିପିଲି ଉପନିର୍ବାଚନ ପାଇଁ ମଙ୍ଗଳବାର ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ । ଶେଷ ଦିନରେ ଉଭୟ କଂଗ୍ରେସ ଓ ବିଜେଡି ପକ୍ଷରୁ ପ୍ରାର୍ଥୀମାନେ ପ୍ରାର୍ଥିପତ୍ର ଦାଖଲ କରିସାରିଛନ୍ତି । ପ୍ରଥମେ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ପ୍ରାର୍ଥିପତ୍ର ଦାଖଲ କରିଥିବା ବେଳେ ପରେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ ମଧ୍ୟ ପ୍ରାର୍ଥିପତ୍ର ଦାଖଲ କରିସାରିଛନ୍ତି । ପୁରୀ ଅତିରିକ୍ତ ଜିଲ୍ଲାପାଳଙ୍କ ଅଫିସରେ ବିଧିବଦ୍ଧ ଭାବେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ଅଜିତ । ପ୍ରଥମେ ପୂଜାର୍ଚ୍ଚନା କରି ସେ ନାମାଙ୍କନ ଦାଖଲ ପାଇଁ ବାହାରିଥିଲେ । ଦଳୀୟ ନେତା କର୍ମୀଙ୍କ ସହ ଏକ ବିରାଟ ପଟୁଆରରେ ଯାଇ ପୁରୀ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ତବେ କଂଗ୍ରେସ ଅଜିତଙ୍କୁ ପ୍ରାର୍ଥୀ କରିବା ପରେ ଦଳରେ ପୁଣି ଗୋଷ୍ଟି କନ୍ଦଳ ଦେଖିବାକୁ ମିଳିଛି । ପ୍ରାର୍ଥୀ ହେବା ଆଶାରେ ଥିବା ଅନ୍ୟ ନେତାମାନେ ଅଜିତଙ୍କୁ ସମର୍ଥନ କରୁନଥିବା ସୂଚନା ମିଳିଛି । ଗତ ନିର୍ବାଚନରେ ମାତ୍ର ୯ ହଜାର ୮୩୦ ଭୋଟ୍‌ ପାଇଥିବା ଅଜିତଙ୍କ ଉପରେ ଦଳ ପୁଣି ବିଶ୍ୱାସ କରିବା, ପିପିଲି କଂଗ୍ରେସକୁ ଆଚମ୍ବିତ କରିଛି ।

ସେପଟେ ପିପିଲି ବିଧାନସଭା ଆସନ ନେଇ ବିଜୁ ଜନତା ଦଳ ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ମଧ୍ୟ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ସକାଳୁ ପିପିଲି ବିଜେଡି କାର୍ଯ୍ୟାଳୟରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ଉପଜିଲ୍ଲପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ପିପିଲି ବିଜେଡି କାର୍ଯ୍ୟାଳୟରୁ ବାହାରିଥିବା ଏହି ଶୋଭାଯାତ୍ରାରେ ଦଳର ବରିଷ୍ଠ ନେତାମାନେ ସାମିଲ ଥିଲେ । କରୋନା କଟକଣା ମାନି ଶୋଭାଯାତ୍ରାରେ ବାହାରିଥିଲେ ରୁଦ୍ର ମହାରଥୀ । ଅପରପକ୍ଷରେ ପିପିଲି ପାଇଁ ବିଜେଡିର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ସରିଛି । ପଞ୍ଚାୟତ, ବ୍ଲକ୍‌ ଏବଂ ଏନ୍‌ଏସି ଦାୟିତ୍ୱ ମନ୍ତ୍ରୀ ଓ ବିଧାୟକଙ୍କୁ ଦିଆସରିଛି । ଦଳର ମହିଳା, ଛାତ୍ର ଓ ଯୁବ ସାମ୍ମୁଖ୍ୟକୁ ଏଥର ଅଧିକ ଗୁରୁତ୍ୱ ଦିଆଯାଇଛି ।

ପିପିଲି ଉପ-ନିର୍ବାଚନ ନେଇ ବିଜେଡି ପକ୍ଷରୁ ରୁଦ୍ରଙ୍କ ନାମ ଘୋଷଣା ପରେ ଗତ ୨୮ ତାରିଖରେ ନବୀନ ନିବାସ ଯାଇ ଦଳୀୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରୁ ଟିକେଟ୍ ଗ୍ରହଣ କରିଥିଲେ । ତାଙ୍କ ସହ ଭଉଣୀ ଓ ଭିଣୋଇ ମଧ୍ୟ ନବୀନ ନିବାସ ଯାଇଥିଲେ । ବାପାଙ୍କ ଅଧୁରା ସ୍ୱପ୍ନକୁ ପୂରଣ କରିବେ ବୋଲି କହିଛନ୍ତି ରୁଦ୍ର । ଚାଷୀଙ୍କ ଉନ୍ନତି, ପାନୀୟ ଜଳ, ଜଳସେଚନ ଉପରେ ଧ୍ୟାନ ଦେବେ ବୋଲି ରୁଦ୍ର କହିଛନ୍ତି । ଏଥିସହ ପରିବାରରେ ଟିକେଟ୍ ପାଇଁ ମତଭେଦ ଉପରେ ପ୍ରତିକ୍ରିୟା ରଖି ରୁଦ୍ର କହିଛନ୍ତି ଏହା ବିରୋଧୀ ଦଳର ଏକ ଚାଲ୍ । ପରିବାର ସବୁବେଳେ ଏକାଠି ଅଛି ।

Leave a Reply